ନବୀନଙ୍କ ଫୋକସ୍‌ରେ ସଂଖ୍ୟାଲଘୁ, ପଛୁଆବର୍ଗ : ସଂଖ୍ୟାଲଘୁଙ୍କ ପାଇଁ ୧୬ କୋଟି ଘୋଷଣା

ଧର୍ମାନୁଷ୍ଠାନ ପାଇଁ ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଅର୍ଥ ମଞ୍ଜୁର
ସନ୍ଧ୍ୟାରେ ପଛୁଆବର୍ଗ କମିସନ ପୁନର୍ଗଠନ
ଜଷ୍ଟିସ ରଘୁନାଥ ବିଶ୍ବାଳ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଗୋଟିଏ ଦିନରେ ଦୁଇଟି ବଡ଼ ରାଜନୈତିକ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ବିଜେଡିର ସମର୍ଥନ ନେଇ ଅସନ୍ତୁଷ୍ଟ ଥିବା ସଂଖ୍ୟାଲଘୁ ସଂପ୍ରଦାୟ ପାଇଁ ପୂର୍ବାହ୍ନରେ ଏକ ବଡ଼ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବର୍ଗର ଧର୍ମାନୁଷ୍ଠାନର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ପଛୁଆ ବର୍ଗଙ୍କ ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ଅପରାହ୍ନରେ ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶା ପଛୁଆବର୍ଗ କମିସନ ପୁନର୍ଗଠନ କରିଛନ୍ତି ଓ ଜଷ୍ଟିସ ରଘୁନାଥ ବିଶ୍ବାଳଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ନେଇ ରାଜନୈତିକ ମହଲରେ ଭିନ୍ନ ଆଲୋଚନା ଆରମ୍ଭ ହେଲାଣି। ନିକଟରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ୩ବର୍ଷ ଭିତରେ ୨୦ଲକ୍ଷ ଲୋକଙ୍କୁ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯିବ। ମାର୍ଚ୍ଚ ୫ ତାରିଖରେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରି ସରକାର କାର୍ଯ୍ୟାଦେଶ ବାଣ୍ଟିବେ। ଆସନ୍ତା ୨ବର୍ଷ ମଧ୍ୟରେ ସରକାର ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ସାମ୍ନା କରିବେ। ତାହାକୁ ଲକ୍ଷ୍ୟ କରି ଏବେଠାରୁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି କି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ଆଜି ଅପରାହ୍ନରେ ସରକାର ପଛୁଆ ବର୍ଗଙ୍କ ପାଇଁ କମିସନ ପୁନର୍ଗଠନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ରଘୁନାଥ ବିଶ୍ବାଳ ଏହାର ଅଧ୍ୟକ୍ଷ ରହିବେ। ଉତ୍କଳ ବିଶ୍ବବିଦ୍ୟାଳୟର ସାମାଜିକ ବିଜ୍ଞାନୀ ପ୍ରଫେସର ତଥା ପଛୁଆବର୍ଗଙ୍କ ସଂପର୍କରେ ସ୍ବତନ୍ତ୍ର ଅଧ୍ୟୟନ କରିଥିବା ଡ. ନବନୀତା ରଥ, ଉତ୍କଳ ବିଶ୍ବବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଡ. ମିତାଲି ଚିନ୍ନାରା, ନୃତତ୍ତ୍ବ ବିଭାଗର ପ୍ରଫେସର ଡ. ପ୍ରସନ୍ନ କୁମାର ପାତ୍ରଙ୍କୁ ଏହାର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବଙ୍କୁ ଏହାର ସଦସ୍ୟ ସଚିବ ଭାବେ ନିଯୁକ୍ତି ମିଳିଛି।

କମିସନଙ୍କ ସମସ୍ତ ସଦସ୍ୟଙ୍କ କାର୍ଯ୍ୟକାଳ ସର୍ବାଧିକ ୩ବର୍ଷ ରହିବ। ଓଡ଼ିଶା ରାଜ୍ୟ ଓବିସି ଆକ୍ଟ-୧୯୯୩ର ପ୍ରାବଧାନ ଅନୁସାରେ କମିସନ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ବହୁ ବର୍ଷ ଧରି ଏହି କମିସନ ଅକାମୀ ହୋଇ ପଡ଼ି ରହିଥିଲା। ଜାତୀୟ ଓବିସି କମିସନ ଏବେ ୩ଦିନିଆ ଓଡ଼ିଶା ଗସ୍ତରେ ଥିବା େବଳେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଓବିସି ବର୍ଗଙ୍କୁ ୨୭% ସଂରକ୍ଷଣ ଦିଆଯାଉନଥିବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ସରକାର ଏହି ବର୍ଗ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଲାଗି ଜନଗଣନା ପ୍ରକ୍ରିୟାରେ ଏମାନଙ୍କ ସଂଖ୍ୟା ନିର୍ଧାରଣ ଉପରେ ଜୋର ଦେଇଥିଲେ। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଅବଗତ କରାଯାଇଥିଲା, ଯାହା ଉପରେ ସରକାରଙ୍କୁ ନକାରାତ୍ମକ ଉତ୍ତର ମିଳିଛି।

ସେହିପରି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନମାନଙ୍କର ବିକାଶ ପାଇଁ ‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’ରୁ ୧୬ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ଧର୍ମାନୁଷ୍ଠାନ ମାନଙ୍କରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ। ନିଷ୍ପତ୍ତି ମୁତାବକ ସତ୍ୟନଗର ଯୀଶୁ ଖ୍ରୀଷ୍ଟ ଏବଂ ମଦର ମେରୀ ଭୁବନେଶ୍ୱର କ୍ୟାଥଲିକ୍ ଚର୍ଚ୍ଚକୁ ଦୁଇ କୋଟି ଟଙ୍କା, ଭୁବନେଶ୍ୱର ୟୁନିଟ୍-୪ କ୍ୟାପିଟାଲ୍ ମସଜିଦ୍‌କୁ ଦୁଇ କୋଟି ଟଙ୍କା ମଞ୍ଜୁର କରାଯାଇଛି। କଟକ ମିସନ ରୋଡ୍ ସ୍ଥିତ କଟକ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ ଏବଂ ଦରଘାବଜାର କଦମ-ଏ-ରସୁଲ ମସଜିଦକୁ ଦୁଇକୋଟି ଲେଖାଏଁ ସରକାର ଦେଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା ଫକୀରାବାଦ ମରକାଜି ମସଜିଦ୍‌, ଭଦ୍ରକ ପୁରୁଣା ବଜାର ଜାମା ମସଜିଦ୍, ସମ୍ବଲପୁର ଜିଲ୍ଲା ସ୍କୁଲ ଛକ ପଲଟ୍ ମସଜିଦ୍‌, ସମ୍ବଲପୁର ସେଣ୍ଟ ଯୋସେଫ୍ କ୍ୟାଥେଡ୍ରାଲ, ବ୍ରହ୍ମପୁର ଭାପୁର ବଜାର ଜାମିୟା ମସଜିଦ୍, ଗିରିରୋଡ୍ ବ୍ରହ୍ମପୁର ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, ରାଉରକେଲା ବିଶପ ମିସନାରୀ ଏବଂ ରାଜଗାଙ୍ଗପୁର ସୁନ୍ନି ଜାମା ମସଜିଦକୁ ଏକ କୋଟି ଲେଖାଏଁ ଅର୍ଥ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର