କେନ୍ଦ୍ର ଉପରେ ବାକି ପଡ଼ିଛି ୬ ହଜାର କୋଟି : କେନ୍ଦ୍ରୀୟ ପାଣ୍ଠି ଉପରେ ନୂଆଦିଲ୍ଲୀରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅର୍ଥ ଆଣିବାକୁ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର : ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ର ଅଂଶ ବାବଦକୁ ଓଡ଼ିଶା ପାଇବ ୬ ହଜାର କୋଟି ଟଙ୍କାରୁ ଅଧିକ। ପିଏମ୍‌ଏୱାଇ, ଏମ୍‌ଜିଏନ୍ଆର୍‌ଇଜିଏ, ଏନ୍‌ଏସ୍‌ଏପି, ପିଏମ୍‌ଜିଏସ୍‌ୱାଇ ଓ ଅନ୍ୟାନ୍ୟ ଯୋଜନା ବାବଦକୁ ଏହି ଅର୍ଥ କେନ୍ଦ୍ର ଉପରେ ବାକି ପଡ଼ିଛି। ବକେୟା ଅର୍ଥକୁ କିପରି ତୁରନ୍ତ ଅଣାଯିବ, ସେଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଆଜି ସମୀକ୍ଷା କରିଛନ୍ତି। କେନ୍ଦ୍ରରୁ ପାଣ୍ଠି ଆଣିବା ନିମନ୍ତେ ନିୟମିତ ବ୍ୟବଧାନରେ କେନ୍ଦ୍ରୀୟ ବିଭାଗଗୁଡ଼ିକ ସହ ସମନ୍ବୟ ରକ୍ଷା କରିବାକୁ ଆବାସିକ କମିସନ୍‌ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ବିଳମ୍ବ ହେଉଛି, ତେବେ ବ୍ୟକ୍ତିଗତ ଭାବେ ତାଙ୍କ ନଜରକୁ ଆଣିବା ପାଇଁ ସେ କହିଥ‌ିଲେ।

ନୂଆଦିଲ୍ଲୀ ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ପାଣ୍ଠି କିପରି ଅଣାଯିବ ଓ ‘୫ଟି’କୁ କିପରି ଲାଗୁ କରାଯିବ, ସେ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଫଳପ୍ରଦ ପ୍ରଶାସନିକ ବ୍ୟବସ୍ଥା ପାଇଁ ‘୫ଟି’କୁ ନିଷ୍ଠାର ସହ କାର୍ଯ୍ୟ କ୍ଷେତ୍ରରେ ଲଗାଇବାକୁ ମୁଖ୍ୟ ଆବାସିକ କମିସନର୍‌ ଓ ସ୍ବତନ୍ତ୍ର ଆବାସିକ କମିସନର୍‌ଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀରେ ଓଡ଼ିଶା କଲ୍‌ଚରାଲ୍‌ ସେଣ୍ଟର୍‌ ପ୍ରତିଷ୍ଠା ପାଇଁ ତୁରନ୍ତ କିପରି ଜମି ମିଳିବ, ସେ ଦିଗରେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର