ଆଜି କରୋନା ନେଇ ଭିଡିଓ ବାର୍ତ୍ତା ଜରିଆରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରୋନା ମହାମାରୀରେ ପରିଣତ ହେବା ପୂର୍ବରୁ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି । ତେବେ ଆଜି କରୋନା ନେଇ ଭିଡିଓ ମେସେଜ ଜରିଆରେ  ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ ସେ ଗଣମାଧ୍ୟମ ଜରିଆରେ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଜାରି ହୋଇଥିବା କଟକଣାକୁ ଆହୁରି କଡ଼ାକଡ଼ି କରିବା ପାଇଁ ହୁଏତ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ନବୀନ । ଅନ୍ୟ ପକ୍ଷରେ ଆଜି ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବଢ଼ି ଚାଲିଥିବା କରୋନାଭାଇରସ୍ ସଂକ୍ରାନ୍ତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ।

ସେପଟେ ଆଜି ମଧ୍ୟରାତ୍ରିରୁ ମାର୍ଚ୍ଚ ୨୯ ତାରିଖ ଯାଏଁ ରାଜ୍ୟର ୩୦ଟି ଜିଲ୍ଲାରେ ତାଲା ବନ୍ଦ ପାଳନ କରାଯିବ । ଏ ନେଇ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ତାଲା ବନ୍ଦ କଟକଣା ସତ୍ୱେ ଅତ୍ୟାବଶୀୟ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବ । ପୂର୍ବଭଳି ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ଅଗ୍ନିଶମ, ପେଟ୍ରୋଲ ପମ୍ପ, ପନିପରିବା, ମାଛ ମାଂସ ଓ କ୍ଷୀର ଦୋକାନ ଖୋଲା ରହିବ ।

ଲକ୍ ଡାଉନକୁ କଡାକଡି କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ସରକାର ସାମଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ଏକ ନିଷ୍ପତ୍ତି ହୋଇଛି । ରାଜ୍ୟବାସୀ ଏହାକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚୀ ।

ସମ୍ବନ୍ଧିତ ଖବର