ମାଲକାନଗିରି ସୀମାରେ ନକ୍ସଲ ହମ୍‌ଲା : ରେଳଧାରଣାରେ ଗଛକାଟି ପକାଇଲେ, ରାସ୍ତା କାମରେ ନିୟୋଜିତ ଗାଡି ପୋଡ଼ିଲେ

ମାଲକାନଗିରି : ସୀମାନ୍ତ ଛତିଶଗଡ ସହ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀ ପୁଣି ସକ୍ରିୟ ହୋଇଛନ୍ତି। ଛତିଶଗଡର ଦୁଇଟି ସ୍ଥାନରେ ମାଓବାଦୀ ହିଂସାକାଣ୍ଡ ଘଟାଇଥିବା ବେଳେ ଚିତ୍ରାକୋଣ୍ଡାରେ ପୋଷ୍ଟର ମାରି ଚେତାବନୀ ଦେଇଛନ୍ତି। ଯାହାଫଳରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାରେ ଦୁଇ ଜଣ ନକ୍ସଲ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସୀମାନ୍ତ ଦନ୍ତେଓ୍ଵାଡ-କମାଲୁର ରେଳ ଲାଇନରେ ଗଛ ପକାଇ ଅବରୋଧ କରିବାରୁ ୧୫ଘଣ୍ଟା ଧରି ରେଳଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାତି ପ୍ରାୟ ୧୦ଟାରେ ସଶସ୍ତ୍ର ନକ୍ସଲ ଗୋଟିଏ ବଡ ଗଛକୁ କାଟି ରେଳଧାରଣା ଉପରେ ପକାଇ ଦେଇଥିଲେ। ରାସ୍ତା ଅବରୋଧ ଯୋଗୁଁ ଗୋଟିଏ ମାଲବାହୀ ଟ୍ରେନ ଆସି ଅଟକିବାରୁ ନକ୍ସଲ ଅତର୍କିତ ଭାବେ ଟ୍ରେନରେ ପଶି ପାଇଲଟ ଏବଂ ଗାର୍ଡଙ୍କ ଠାରୁ ଓ୍ଵାକିଟକି ଛଡାଇ ନେଇଥିଲେ। ରେଳ କର୍ମଚାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଯାଉଥିବା ଜିଆରଜି ଯବାନଙ୍କ ଉପରେ ନକ୍ସଲ ହମ୍‌ଲା କରିଥିବା ସୂଚନା ମିଳିଛି। ଆଇଇଡି ଲଗାଇ ବିସ୍ଫୋରଣ କରିବା ପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ। ଯବାନମାନେ ପାଲଟା ଗୁଳି ଚଳାଇବାରୁ ନକ୍ସଲ ସ୍ଥାନ ଛାଡି ଚାଲିଯାଇଥିଲେ। କମାଲୁର ଷ୍ଟେସନ ନିକଟରେ ଥିବା ଗୋଟିଏ ପ୍ରୋକଲିନ୍‌ ଏବଂ ଟ୍ରେଲରରେ ନିଆଁ ଲଗାଇ ପୋଡି ଦେଇଥିବା ବି ଜଣାପଡିଛି।

ସେହିଭଳି, ବିଜାପୁର ଜିଲ୍ଲାରେ ମଧ୍ୟ ନକ୍ସଲ ରାସ୍ତା କାମକୁ ବିରୋଧ କରି ପାମଲୱାୟା ନିକଟରେ ଗୋଟିଏ ଠିକା କ୍ୟାମ୍ପରେ ଆକ୍ରମଣ କରିଛନ୍ତି। କାମରେ ନିୟୋଜିତ ଗାଡିକୁ ପୋଡି ଦେବା ସହ ପୋଷ୍ଟର ଛାଡି ତୁରନ୍ତ କାମ ବନ୍ଦ କରିବାକୁ ଚେତାବନୀ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର