ନୟାଗଡ଼ରୁ ମହିପୁର ସ୍ପିଡ୍ ଟ୍ରାଏଲ୍‌କୁ ମାସେ ବିତିଲା, ଚଳାଚଳ କଲାନି ପାସେଞ୍ଜର ‌ଟ୍ରେନ୍

ନୟାଗଡ଼ : ଗତ ଜୁଲାଇ ୨୫ ତାରିଖରେ ନୟ‌ାଗଡ଼ ଟାଉନ ‌ଷ୍ଟେସନ୍‌ରୁ ମହିପୁର ଷ୍ଟେସନ୍‌କୁ ପାସେଞ୍ଜର ଟ୍ରେନ୍ ଚଳାଚଳ ନେଇ ସ୍ପିଡ୍‌ ଟ୍ରାଏଲ୍‌ କରାଯାଇଥିଲା। ପନ୍ଦର ଦିନ ମଧ୍ୟରେ ମହିପୁର ଷ୍ଟେସନକୁ ରେଳ ଚଳାଚଳ କରିବାର ଯଥେଷ୍ଟ ସମ୍ଭାବନା ଥିଲା ବୋଲି ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଥିଲା। କିନ୍ତୁ ଇତି ମଧ୍ୟରେ ସ୍ପିଡ୍‌ ଟ୍ରାଏଲ୍‌ ରନ୍‌କୁ ମାସେ ବିତିଛି। ହେଲେ ଏ ପର୍ଯ୍ୟନ୍ତ ମହିପୁରକୁ ପାସେଞ୍ଜର ଟ୍ରେନ୍ ଗଡ଼ି ପାରିନଥିବା ବେଳେ ଆହୁରି ଏକମାସ କିମ୍ବା ତା’ଠାରୁ ଅଧିକ ସମୟ ଲାଗିପାରେ ବ‌ୋଲି ସୂଚନା ମିଳିଛି। ନୟାଗଡ଼କୁ ଟ୍ରେନ୍ ଗଡ଼ିବା ଦୁଇ ବର୍ଷ ବିତିଥିବା ବେଳେ ଏହାର ପରବର୍ତ୍ତୀ ‌ଷ୍ଟେସନ ମହିପୁରକୁ ଟ୍ରେନ୍ ଗଡ଼ିବା ନେଇ ଯାତ୍ରୀଙ୍କ ଭିତରେ ଯେଉଁ ଉତ୍ସାହ ଦେଖିବାକୁ ମିଳିଥିଲା, ସେଥିରେ ଟିକିଏ ଭଟ୍ଟା‌ ପଡ଼ିଯାଇଛି। ଜିଲ୍ଲାକୁ ଟ୍ରେନ୍ ଚଳାଚଳର ଦୁଇବର୍ଷ ପରେ ମଧ୍ୟ ଆଉ ଗୋଟିଏ ବି ‌‌ଷ୍ଟେସନକୁ ଟ୍ରେନ୍ ଗଡ଼ି ନପାରିବା, କାର୍ଯ୍ୟ ଯେ ଅତ୍ୟନ୍ତ ଧୀମା ଗତିରେ ଚାଲିଛି, ତାହା ସ୍ପଷ୍ଟ ବୁଝାପଡ଼ୁଛି।

ଖ‌ୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ମଧ୍ୟସ୍ଥ ନୟାଗଡ଼ ‌ଟାଉନ ଷ୍ଟେସନ୍‌ଠାରୁ ୧୨ କି.ମି ବ୍ୟାପୀ ଏହି ଟ୍ରାକ୍ ଟ୍ରେନ୍ ଚଳାଚଳ ପାଇଁ ଉପଯୁକ୍ତ ନି ନାହିଁ ତା’ର ପରୀକ୍ଷା ସ୍ବରୂପ ଏକ ସ୍ପିଡ୍‌ ଟ୍ରାଏଲ ଟ୍ରେନ୍ ଚଳାଚଳ କରିଥିଲା। ଦକ୍ଷିଣ ପୂର୍ବ ପ୍ରାନ୍ତର ରେଳ ସୁରକ୍ଷା ଆୟୁକ୍ତ ଏକେ ରାୟ ଓ ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ନରୋତ୍ତମ ସିଂହ ରେଳ ଧାରଣା ନିରୀକ୍ଷଣ କରିଥିଲେ। ସୁରକ୍ଷା ଆୟୁକ୍ତ ଏହି ରିପୋର୍ଟ ରେଲୱେ ବୋର୍ଡକୁ ପଠାଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ, ଇତି ମଧ୍ୟରେ ବୋର୍ଡ ରେଳ ଚଳାଇବା ନେଇ ସବୁଜ ସଙ୍କେତ ଦେଇନାହିଁ। ସମ୍ଭବତଃ ସୁରକ୍ଷାଜନିତ କିଛି ତ୍ରୁଟି ପାଇଁ ବୋର୍ଡ, ପାସେଞ୍ଜର ‌ଟ୍ରେନ୍ ଚଳାଚଳ ପାଇଁ ଅନୁମତି ଦେବାରେ ବିଳମ୍ବ କରୁଛି। ପୂର୍ବତଟ ରେଳପଥର ଲୋକ ସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି କହିଛନ୍ତି, ରେଳ ସୁରକ୍ଷା ଆୟୁକ୍ତ ତାଙ୍କର ରିପୋର୍ଟ ବୋର୍ଡକୁ ପଠାଇଥିବା ବେଳେ, ରେଳ ଚଳାଚଳ ନେଇ ଅନୁମତି ମିଳିନାହିଁ। ସୁରକ୍ଷାଜନିତ ଆଉ କିଛି କାର୍ଯ୍ୟ କରାଯିବା ପରେ ପାସେଞ୍ଜର ଟ୍ରେନ୍ ଚାଲିବ। ଏଥି ନେଇ କିଛି ମାସ ଲାଗିବ। ଅନୁମତି ମିଳିଯିବାର ଯଥେଷ୍ଟ ସମ୍ଭାବନା ରହିଛି। ମହିପୁର ଷ୍ଟେସନକୁ ରେଳ ଗଡ଼ିବା ପରେ ଏହାର ପରବର୍ତ୍ତୀ ‌‌ଷ୍ଟେସନଗୁଡ଼ିକୁ ଟ୍ରେନ୍ ଗଡ଼ିବା ନିର୍ଭର କରୁଛି।

ଉଲ୍ଲେଖଯୋଗ୍ୟ, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଏ ପର୍ଯ୍ୟନ୍ତ ୮୦ କିମି ପର୍ଯ୍ୟନ୍ତ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଖୋର୍ଦ୍ଧାଠାରୁ ନୟାଗଡ଼ ଟାଉନ ପର୍ଯ୍ୟନ୍ତ ୬୫ କିମି ଓ ବଲାଙ୍ଗୀରରୁ ବିଛୁପଲ୍ଲୀ ପର୍ଯ୍ୟନ୍ତ ୧୫ କିମି ରେଳ ଲାଇନ କାର୍ଯ୍ୟ ସରିଛି। ବର୍ତ୍ତମାନ ନୟାଗଡ଼ ଟାଉନଠାରୁ ମହିପୁର ପର୍ଯ୍ୟନ୍ତ ୧୨ କିମି ରେଳ ଲାଇନ କାର୍ଯ୍ୟ ସମାପ୍ତ ହୋଇଛି। ସର୍ବମୋଟ ୯୨ କିମି ରେଳ ଲାଇନ କାର୍ଯ୍ୟ ସରିଛି। ୨୦୧୫ ଜୁଲାଇ ୧୬ ତାରିଖରେ ଖୋର୍ଦ୍ଧାଠାରୁ ବେଗୁନିଆ ପର୍ଯ୍ୟନ୍ତ ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଥିଲା। ଉକ୍ତ ବର୍ଷ ନଭେମ୍ବର ୩ ରେ ବେଗୁନିଆ-ରାଜସୁନାଖଳା, ୨୦୧୭ ମାର୍ଚ ୨୦ରେ ରାଜସୁନାଖଳା-ବୋଲଗଡ଼ ରୋଡ୍‌, ୨୦୧୭ ଜୁନ୍ ୧୯ରେ ବୋଲଗଡ଼ ରୋଡ୍‌-ନୟାଗଡ଼ ଟାଉନ୍‌ରେ ରେଳ ଚଳାଚଳ କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପରେ ନୟାଗଡ଼ ପର୍ଯ୍ୟନ୍ତ ଟ୍ରେନ୍ ଗଡ଼ିବା ଶେଷ ସୀମା ରହିଛି।

ସମ୍ବନ୍ଧିତ ଖବର