ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅନ୍ତରାଷ୍ଟ୍ରୀୟ ରାଙ୍କିଂରେ ଆଣିବାକୁ ସାମୂହିକ ଉଦ୍ୟମ ଲୋଡ଼ା: କେନ୍ଦ୍ରମନ୍ତ୍ରୀ

୭୯ତମ ପ୍ରତିଷ୍ଠା ଦିବସରେ ଧର୍ମେନ୍ଦ୍ର କହିଲେ- ସମାରୋହରେ ଯୋଗଦେଇ ମୁଁ ଗର୍ବିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକଙ୍କ ପାଠପଢ଼ା ଶୈଳୀ ଓ ଗବେଷଣା ଦେଶରେ ଆଦୃତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନକୁ ଅନ୍ତରାଷ୍ଟ୍ରୀୟ ରାଙ୍କିଂରେ ଆଣିବା ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାମୂଳକ ହେଲେ ହିଁ ଏହାର ଉନ୍ନତି ହୋଇପାରିବ ବୋଲି ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟର ୭୯ତମ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ସମାଜ ଓ ସଂସ୍କୃତିର ଅନନ୍ୟ ପର୍ବ ପବିତ୍ର ପ୍ରଥମାଷ୍ଟମୀ ଅବସରରେ ଓଡ଼ିଶାର ପ୍ରଥମ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମୁଁ ଗର୍ବିତ । ଉତ୍କଳ ବିଶ୍ୱବିଦ୍ୟାଳୟ ସେହିଭଳି ମହାନୁଭବଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇପାରିଥିଲା, ଯେଉଁମାନେ ଓଡିଶାର ସ୍ୱତନ୍ତ୍ରତାର ସ୍ୱପ୍ନ ଦେଖିଥିଲେ । କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ, ବିଶ୍ୱନାଥ ଦାସଙ୍କ ସାମୂହିକ ପ୍ରଚେଷ୍ଟାରେ ଗଢି ଉଠିଥିବା ଏହି ଶିକ୍ଷାନୁଷ୍ଠାନ ଆଜି ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି । ସେହିପରି ମୋ ଭଳି ମଧ୍ୟ ଜଣେ ସାମାଜିକ କାର୍ଯ୍ୟକର୍ତାର ପ୍ରାରମ୍ଭିକ ଜୀବନର ମୂଳଦୁଆକୁ ସୁଦୃଢ଼ ଓ ଆତ୍ମବିଶ୍ୱାସୀ କରିବାରେ ବିଶ୍ୱବିଦ୍ୟାଳୟର ଅବଦାନ ଅତୁଳନୀୟ ।

ସମାଜ ପରିବର୍ତନର ମାଧ୍ୟମ ଓ ଲୋକଙ୍କ ସହ ନିଜକୁ ବାନ୍ଧି ରଖିବାର ଶିକ୍ଷାର ପ୍ରେରଣା ମୋତେ ଏହି ଠାରୁ ହିଁ ମିଳିଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପାଇଁ ନାକ୍ ଏ+ ମାନ୍ୟତା ପ୍ରାପ୍ତ ଏହି ଶିକ୍ଷାନୁଷ୍ଠାନ ମେଂଟର ହିସାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶାର ପୁଞ୍ଜି ହେଉଛି ଏହାର ବୋଦ୍ଧିକ କ୍ଷମତା । ଅର୍ଥାତ୍ ପଢ଼ିବା, ପଢ଼ାଇବା ଏବଂ ବୁଝାଇବା ଓଡିଆଙ୍କ ଧମନୀରେ ରହିଛି । ସେଭଳି ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଲେ ଡ଼ା. ରଜତ କୁମାର କର । ପଦ୍ମଶ୍ରୀ ଡ଼ା. କରଙ୍କ ଶିକ୍ଷାଦାନର ପଦ୍ଧତି ଚକ୍ ଏବଂ ଟକ୍ ଥିଓରି ଅନେକ ଛାତ୍ରଛାତ୍ରୀଙ୍କ ସହ ମୋତେ ପ୍ରଭାବିତ କରିଛି । ଡ଼ା.କରଙ୍କ କହିବାନୁସାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାର ଦୁଇଟି ମୂଳ କାମ ହେଲା ଚକ୍ ଏବଂ ଟକ୍ । ତେବେ ବର୍ତମାନ ଶିକ୍ଷାର ପରିବର୍ତିତ ଦୃଶ୍ୟପଟ୍ଟ ତଥା ଡ଼ିଜିଟାଲ ୱାର୍ଲଡରେ ପିଲାମାନଙ୍କ ପାଇଁ ସେତେବେଳର ଚକ୍ ଆଜି ଡ଼ିଜିଟାଲ୍ ପେନସିଲ୍ ହୋଇଛି ବୋଲି ଶ୍ରୀ ପ୍ରଧାନ ଅଭିଭାଷଣରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଣିତ ଦୂରଦୃଷ୍ଟିସମ୍ପନ୍ନ ଜାତୀୟ ଶିକ୍ଷା ନୀତି -୨୦୨୦ଆମକୁ ମଲଟି ଡ଼ିସିପ୍ଲିନାରୀ, ନିଯୁକ୍ତି, ଗବେଷଣା, ସ୍ଥାନୀୟ ଭାଷା ସହ ମାତୃଭାଷା ଓ ବିଶ୍ୱବିଦ୍ୟାଳୟକୁ ଅନ୍ତର୍ଜାତୀୟକରଣ କରିବାର ସୁଯୋଗ ଦେଇଛି । ଏଥିପାଇଁ ସ୍ୱତନ୍ତ୍ର ଫ୍ରେମୱାର୍କ ଆଣିବା ପାଇଁ ଚିନ୍ତା କରିବା ଆବଶ୍ୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୌରବମୟ ଇତିହାସ, ଶ୍ରୀମନ୍ଦିର ଓ ଏହାର ରୋଷଶାଳାର ବୈଜ୍ଞାନିକ ପୃଷ୍ଠଭୂମି, ଭକ୍ତ ସାଲବେଗଙ୍କ ଜୀବନୀ, ନାରୀ ସଶକ୍ତିକରଣର କଥା କହୁଥିବା ଶ୍ରୀୟା ଚଣ୍ଡାଳୁଣିଙ୍କ ମହତ୍ୱ ସହ ଆଧ୍ୟାତ୍ମିକ ସଂସ୍କୃତି ଓ ପରମ୍ପରା ଉପରେ ଶିକ୍ଷାଦାନ କରିବା ଉପରେ ବିଶ୍ୱବିଦ୍ୟାଳୟ ବିଚାର ବିମର୍ଷ କରିବା ଦରକାର ।

ମହାମାରୀ ଦ୍ୱାରା ଅନେକ ରାଷ୍ଟ୍ର ପ୍ରଭାବିତ ହୋଇଥିବା ବେଳେ ଏବେ ବି ଅନେକ ଚ୍ୟାଲେଞ୍ଜ ରହିଛି । ଏପରି ସ୍ଥିତିରେ ଆଗାମୀ ଦିନର ଚାଲିଚଳଣୀ, ସାମାଜିକ ଜୀବନ, ପାଠପଢ଼ା କିପରି ହେବ, ତାହାର ନିଷ୍ପତ୍ତି ବିଶ୍ୱବିଦ୍ୟାଳୟମାନେ ନେବା ଦରକାର । ପାଠପଢ଼ା ସମେତ ମାନବ ସମସ୍ୟାର ସମାଧାନର ସୂତ୍ର ବାହାର କରିବାକୁ ବିଶ୍ୱବିଦ୍ୟାଳୟମାନଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ । ଏତଦବ୍ୟତିତ ବିଦ୍ୟାଞ୍ଜଳିରେ ବିଶ୍ୱବିଦ୍ୟାଳୟକୁ ସାମିଲ କରିବା ଏବଂ ଏଥିରେ ଯୋଡିବା ପାଇଁ ଏବେର ଛାତ୍ରଛାତ୍ରୀଙ୍କ ସହ ଆଲୁମିନି ବା ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରୟାସ ରହିବା ମଧ୍ୟ ଜରୁରୀ । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ସହ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ ।

ସେ କହିଛନ୍ତି ଯେ କୌଣସି ଗୋଟିଏ ବିଶ୍ୱବିଦ୍ୟାଳୟର ପ୍ରଗତି ପାଇଁ ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ରତା ରହିବା ଦରକାର । ବିଶ୍ୱବିଦ୍ୟାଳୟର ଅଧିକାରକୁ ସଙ୍କୁଚିତ କରିବା କଥା ନୁହେଁ । ଏହାର ବୌଦ୍ଧିକ ପରିପ୍ରକାଶରେ ଅଙ୍କୁଶ ଲଗାଇବା ମଧ୍ୟ ଅନୁଚିତ । ତେବେ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ଭଲ ଭାବରେ ପୁନର୍ବାର ଅନୁଧ୍ୟାନ ଓ ବିଚାବିମର୍ଷ କରନ୍ତୁ ବୋଲି ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତିା

ସୂଚନାଯୋଗ୍ୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରର ୭୯ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅବସ୍ଥାପିତ ବିଦ୍ୟାଦାତ୍ରୀ ମାଆ ସରସ୍ୱତୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଆଶୀର୍ବାଦ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ପଦ୍ମଶ୍ରୀ ଡ଼ା. ରଜତ କୁମାର କର ପ୍ରମୁଖ ଯୋଗଦେଇଥିଲେ । କେନ୍ଦ୍ର ଶ୍ରୀ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଥିବା ସେଂଟର ଫର୍ ଇନୋଭେସନ ଏଣ୍ଡ ଇନକୁବେସନର ନୂତନ ୱେବସାଇଟକୁ ଲୋକାର୍ପଣ କରିବା ସହ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆଂଟି ଟ୍ରାନ୍ସଫରିନ୍ ଆଂଟିବଡିର ଶୁଭାରମ୍ଭ କରିଥିଲେ । ଏହାବ୍ୟତୀତ ଇନକୁବେସନ ସେଂଟରରେ ଷ୍ଟାଟଅପ୍ ଏବଂ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଥିଲେ ।

ସମ୍ବନ୍ଧିତ ଖବର