ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି: ଗର୍ଭନାଡ଼ି ବଦଳରେ ମୂତ୍ରଥଳି କାଟିଦେଲେ

ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ୨୨ ଦିନ ହେଲା ଜୀବନ ସହ ଲଢ଼ୁଛନ୍ତି

ଚନ୍ଦ୍ରଗିରି: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅସ୍ତ୍ରୋପଚାରରେ ଗୁରୁତର ତ୍ରୃଟି ଯୋଗୁଁ ଚନ୍ଦ୍ରଗିରି ଗ୍ରାମର ଜଣେ ମହିଳା ୨୨ ଦିନରୁ ଅଧିକ ହେଲାଣି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ମୋହନା ବ୍ଳକ୍‌ ଚନ୍ଦ୍ରଗିରି ଗ୍ରାମର ନଡ଼ିଆ ସାହି ବାସିନ୍ଦା ପ୍ରମୋଦ ସାହୁଙ୍କ ଧର୍ମପତ୍ନୀ ବନିତା ସାହୁ (୩୦) ଗତ ଜୁଲାଇ ୧୬ ତାରିଖରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଥିଲେ। ସେଦିନ ତାଙ୍କ ଅସ୍ତ୍ରୋପଚାର କରା ଯାଇଥିଲା। ମହିଳାଙ୍କ ସ୍ବାମୀ ପ୍ରମୋଦ ସାହୁ କହିବା ଅନୁସାରେ, ମୋହନା ସ୍ବାସ୍ଥ୍ୟକେନ୍ଦ୍ରରୁ ସ୍ବତନ୍ତ୍ର ଭାବେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡ୍ୟୁଟିରେ ଆସିଥିବା ଡାକ୍ତର ତ୍ରୁଟିପୂର୍ଣ୍ଣ ଭାବେ ଗର୍ଭନାଡ଼ି ବଦଳରେ ମୂତ୍ରଥଳି କାଟି ଦେଇଥିଲେ।

ଅସ୍ତ୍ରୋପଚାର ପରେ ପେଟରେ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହେବା ସହ ପେଟ ଫୁଲି ଯାଇ ପରିସ୍ରା ନହେବାରୁ ଜୁଲାଇ ୨୧ ତାରିଖ ଦିନ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ୧୦୮ ଆମ୍ବୁଲାନସ୍‌ ଯୋଗେ ସ୍ଥାନାନ୍ତର କରା ଯାଇଥିଲା। ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ ପରିବାର ନିୟୋଜନ ଅସ୍ତ୍ରୋପଚାର ଯୋଗୁଁ ଦୀର୍ଘ ୨୨ ଦିନ ହେଲା ସ୍ବାମୀ ପ୍ରମୋଦ ପତ୍ନୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଅସ୍ତ୍ରୋପଚାର ୱାର୍ଡ଼ ୩୭୫ ନମ୍ବର ଶଯ୍ୟାରେ ଚିକିତ୍ସିତ କରାଇ ବହୁ ଖର୍ଚ୍ଚାନ୍ତ ହୋଇ ସାରିଲେଣି। ପତ୍ନୀଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରାୟ ଏକ ମାସ ହେବ କାମଧନ୍ଦା ହରାଇ ଆର୍ଥିକ ଅନଟନରେ ଦିନ କଟୁଥିବା କହିଛନ୍ତି ଦିନ ମଜୁରିଆ ପ୍ରମୋଦ ସାହୁ। ପ୍ରମୋଦ କହିବା ଅନୁସାରେ, ତାଙ୍କ ପତ୍ନୀ ବନିତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନରେ ୨୬ ଜୁଲାଇରେ ଦ୍ବିତୀୟ ଥର ପାଇଁ ଅସ୍ତ୍ରୋପଚାର କରା ଯାଇଥିଲା। ଅସ୍ତ୍ରୋପଚାର ସମୟରେ ରକ୍ତର ଆବଶ୍ୟକତା ପଡ଼ିବାରୁ ବ୍ରହ୍ମପୁର ‘ସମ୍ବାଦ’-ଆମଓଡ଼ିଶା କାର୍ଯ୍ୟାଳୟ ତରଫରୁ ଆବଶ୍ୟକ ରକ୍ତ ପାଇଥିବା କହିଛନ୍ତି।

ଗତ ମାସ ୧୫ ଓ ୧୬ ତାରିଖରେ ମୋହନା ବ୍ଲକ୍‌ ଅଞ୍ଚଳର ୨୨ ଜଣ ମହିଳାଙ୍କୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପଞ୍ଜୀକରଣ କରା ଯାଇଥିଲା। ବିଗତ କିଛି ମାସ ତଳେ ଚାନ୍ଦିପୁଟ ଗ୍ରାମର ଜଣେ ମହିଳାଙ୍କ କ୍ଷେତ୍ରରେ ଅନୁରୂପ ଘଟଣା ଘଟି ମହିଳାଙ୍କ ମୂତ୍ରାଶୟ କାଟି ଦିଆ ଯାଇଥିଲା। ବାରମ୍ବାର ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତ୍ରୁଟିପୂର୍ଣ୍ଣ ପରିବାର ନିୟୋଜନ ଅସ୍ତ୍ରୋପଚାର ସମସ୍ୟା ଉପୁଜୁ ଥିଲେ ମଧୢ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସ୍ଥାନୀୟ ଅ˚ଚଳବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖାମଖିଆଲ ମନୋଭାବ ଓ ଅସ୍ତ୍ରୋପଚାରରେ ତ୍ରୁଟି ଲୋକଲୋଚନକୁ ଆସୁଥିବାରୁ ଅ˚ଚଳର ମହିଳାମାନେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଗାମୀ ଦିନରେ ଆସିବାକୁ ଅମଙ୍ଗ ହେବା ସହ ଏହାର ବିପରୀତ ପ୍ରଭାବ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର