ବୌଦ୍ଧ: ଅବହେଳିତ ମହାପୁରୁଷ ସ୍ମୃତିପୀଠ

ବୌଦ୍ଧ : ଐତିହ୍ୟରେ ପରିପୂର୍ଣ୍ଣ ବୌଦ୍ଧ ଜିଲ୍ଲା। ବୌଦ୍ଧ ସହରରେ ଧାର୍ମିକ ଭାବନା ଭରପୂର ରହିଥିବା ବେଳେ ଏଠାରେ ମହାପୁରୁଷଙ୍କୁ ଅନେକ ସମ୍ମାନ ଦିଆଯାଏ। ଭବିଷ୍ୟତ ପିଢ଼ି ମନେରଖିବା ପାଇଁ ପ୍ରମୁଖ ଛକରେ ମହାତ୍ମା ଗାନ୍ଧୀ, ବାବା ସାହେବ ଆମ୍ବେଦକର, କବି ଗଙ୍ଗାଧର ମେହେର, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ଅନେକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବିଭିନ୍ନ ଜାତୀୟ, ରାଜ୍ୟ ତଥା ଜିଲ୍ଲା ଉତ୍ସବ ଦିନ ପ୍ରତିମୂର୍ତ୍ତିଗୁଡ଼ିକ ସାମନାରେ ପ୍ରଦୀପ ପ୍ରଜ୍ବଳନ ସହ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରାଯାଏ। ବୌଦ୍ଧର ମହାପୁରୁଷଙ୍କ ତାଲିକାରେ ପୂର୍ବ ବିଧାୟକ ତଥା ମନ୍ତ୍ରୀ ନଟବର ପ୍ରଧାନ ମଧ୍ୟ ରହିଛନ୍ତି।

ସହରର ପ୍ରମୁଖ ଛକ ଏନ୍‌ଏସି ଛକ ରାସ୍ତା ପାର୍ଶ୍ବରେ ଏକ ପୀଠ ନିର୍ମାଣ କରି ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଗରିବ ପରିବାରରୁ ଆସିଥିବା ସ୍ବର୍ଗତ ପ୍ରଧାନ ଅନେକ ସଂଘର୍ଷ କରି ନିଜ ଉଦ୍ୟମରେ ଉଚ୍ଚଶିକ୍ଷିତ ହୋଇଥିଲେ। ଓକିଲାତି ମଧ୍ୟ ପଢ଼ିଥିଲେ। ୧୯୭୧, ୧୯୭୪ ଓ ୧୯୭୭ ମସିହା ସାଧାରଣ ନିର୍ବାଚନରେ ବିଧାୟକ ନିର୍ବାଚିତ ହୋଇଥିଲେ। ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ଥିବା ବେଳେ ପୂର୍ତ୍ତ, ପରିବହନ, ଜଙ୍ଗଲ, ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗର ମନ୍ତ୍ରୀ ରହିଥିଲେ। ସେ କେବଳ ରାଜନୈତିକ ବ୍ୟକ୍ତିତ୍ବ ନଥିଲେ, ଜଣେ ପ୍ରଗତିଶୀଳ ବ୍ୟକ୍ତି ସହ ଉଚ୍ଚକୋଟୀର ପ୍ରବକ୍ତା ଓ ଲେଖକ ଥିଲେ। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଲାଗୁ ହୋଇଥିବା ‘ମିଶା’ ଆଇନ ବିରୋଧରେ ବୌଦ୍ଧ ଉପଖଣ୍ଡର ପୁ‌ରୋଧା ଥିଲେ। ତାଙ୍କ ଲିଖିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ଦୁଇଟି ମିଶା ବନ୍ଦୀର କାହାଣୀ’ ବେଶ୍‌ ଚର୍ଚ୍ଚାରେ ରହିଥିଲା। ବୌଦ୍ଧ ଜିଲ୍ଲା ପାଇଁ ସ୍ବର୍ଗତ ପ୍ରଧାନଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ସେହି ସମୟରେ ବୌଦ୍ଧ ଫୁଲବାଣୀ ଜିଲ୍ଲାର ଉପଖଣ୍ଡ ଭାବରେ ଥିଲା। ରାଜ୍ୟ ସରକାର ଉପଖଣ୍ଡ ସ୍ତରରେ କଲେଜ ଖୋଲିବା ପାଇଁ ୫ ଶହ ଟଙ୍କା ଲେଖାଏଁ ସଂଗ୍ରହ କରିବାକୁ କହିଥିଲେ। ସେ‌ତେବେଳେ ପାଞ୍ଚଶହ ଟଙ୍କା ଜମା କରିବା କଷ୍ଟକର ଥିଲା। ସ୍ବର୍ଗତ ପ୍ରଧାନ ବିଭିନ୍ନ ପଞ୍ଚାୟତରୁ ଅର୍ଥ ସଂଗ୍ରହ କରିବା ପରେ ବୌଦ୍ଧର ପଞ୍ଚାୟତ କଲେଜ ପ୍ରତିଷ୍ଠା ହୋଇପାରିଥିଲା। ତାଙ୍କ ଚେଷ୍ଟାରେ ବୌଦ୍ଧରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ ହୋଇଥିଲା। ପରବର୍ତ୍ତୀ ପିଢ଼ି ପାଖରେ ତାଙ୍କୁ ପରିଚିତ ରଖିବା ପାଇଁ ଜାତୀୟ ରାଜପଥ କଡ଼ରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

୨୦୧୨ ମସିହା ଅଗଷ୍ଟ ୩୧ ତାରିଖ ସ୍ବାୟତ୍ତ ଶାସନ ଦିବସ ଅବସରରେ ଉନ୍ମୋଚିତ ହୋଇଥିଲା ପ୍ରତିମୂର୍ତ୍ତି। ନଟବର ପ୍ରଧାନଙ୍କ ଜାମାତା, ତତ୍କାଳୀନ ବିଧାନସଭା ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ପ୍ରଦୀପ ଅମାତ ଏହାକୁ ଉଦ୍‌ଘାଟନ କରିଥିଲେ। ତତ୍କାଳନୀ କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ରମେଶ ମାଝୀ ଓ କନ୍ଧମାଳ ସାଂସଦ ରୁଦ୍ରମାଧବ ରାୟ ଉପସ୍ଥିତ ଥିଲେ। ପ୍ରତିମୂର୍ତ୍ତିକୁ ଉଚ୍ଚ ବେଦିରେ ସ୍ଥାପନ କରି ଚାରିପଟେ ଗ୍ରିଲ୍‌ରେ ଆବଦ୍ଧ କରାଯାଇଛି। ହେଲେ ରକ୍ଷଣାବେକ୍ଷଣ ଅଭ‌ାବରୁ ବହୁ ବର୍ଷ ହେଲା ଅବହେଳିତ ‌ହୋଇ ପଡ଼ିରହିଛି ଏହି ପୀଠ। ଗ୍ରିଲ୍‌ଗୁଡ଼ିକ ଭାଙ୍ଗି ଯାଇଥିବାରୁ ଗୋରୁଗାଈଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଗୋବର ଜମା ହୋଇଥିବା ଦୁର୍ଗନ୍ଧମୟ ପରିବେଶରେ ରହିଛି ବୌଦ୍ଧର କିଂବଦନ୍ତି ପୁରୁଷ ନଟବର ପ୍ରଧାନଙ୍କ ପ୍ରତିମୂର୍ତ୍ତି।

ଏନ୍‌ଏସିର ସଫେଇ କର୍ମଚାରୀ ଏହି ପୀଠ ସଂଲଗ୍ନ ରାସ୍ତା ପରିଷ୍କାର କରୁଛନ୍ତି। ହେଲେ ପୀଠର ଆବର୍ଜନା ଉପରେ କାହାର ନଜର ନାହିଁ। ଜିଲ୍ଲାର ଐତିହ୍ୟକୁ ସାଉଁଟି ଦର୍ଶନୀୟ ସ୍ଥାନରେ ପରିଣତ କରିବାରେ ଲାଗିଥିବା ଜିଲ୍ଲା ପ୍ରଶାସନ ମଧ୍ୟ ଏହି ପୀଠକୁ ଅଣଦେଖା କରୁଛନ୍ତି। ଫଳରେ ପ୍ରତିମୂର୍ତ୍ତି ସ୍ଥାପନ କରିବାର ଲକ୍ଷ୍ୟ ସାଧନ ହୋଇପାରୁ ନାହିଁ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସମୁଚିତ ନ୍ୟାୟ ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର