କଳାହାଣ୍ଡି ଜିଲ୍ଲାରେ ଆହୁରି ୫ ଜଣ କରୋନା ପଜିଟିଭ ଚିହ୍ନଟ, ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଲା

୫ଟି ଗାଁ ସିଲ କଲା ପ୍ରଶାସନ, ୩୦ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ଗଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆହୁରି ୫ ଜଣଙ୍କ ସ୍ୱାବ ରିପୋର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଳାମୁଣ୍ଡା ବ୍ଲକର ବାଗମୁଣ୍ଡା, ଦଶପୁର, ନକଟିକାନି, ଲେତେର ଓ ଚହକା ଗାଁ କୁ ସିଲ କରାଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

Financial Times

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ଗତ ମେ ୧୭ ତାରିଖରେ ଗୋଳାମୁଣ୍ଡା ବ୍ଲକର ୨ ଜଣ ମହାରାଷ୍ଟ୍ର ଫେରନ୍ତା, ୨ ଜଣ ତେଲେଙ୍ଗାନା ଓ ଗୁଜରାଟରୁ ଜଣେ ପ୍ରବାସୀ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ମେ ୧୯ ତାରିଖରେ ସେମାନଙ୍କ ସ୍ୱାବ ରିପୋର୍ଟ ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ୭ ଦିନିଆ ସଙ୍ଗରୋଧ କେନ୍ଦ୍ରରେ ରହି ଗତ ମେ ୨୮ ତାରିଖ ଦିନ ଗୃହ ସଙ୍ଗରୋଧ ପାଇଁ ଘରକୁ ଯାଇଥିଲେ । ଆଜି ଏହି ୫ ଜଣଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଥିବା କଳାହାଣ୍ଡି ସିଡିଏମଓ ଡ଼ା. ଜଗୁଲାଲ ଅଗ୍ରୱାଲ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଥିଲେ । ୫ ଜଣ ଆକ୍ରାନ୍ତ ଙ୍କୁ ଭବାନୀପାଟଣା ବାନ୍ଦୋପଲା ସ୍ଥିତ ଇଂଜିନିୟରିଂ କଲେଜ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଳାମୁଣ୍ଡା ବ୍ଲକର ବାଗମୁଣ୍ଡା, ଦଶପୁର, ନକଟିକାନି, ଲେତେର,ଚହକା ଗ୍ରାମକୁ ସିଲ କରି ଦିଆଯାଇଛି ।

REUTERS/Carl Recine

ଅନ୍ୟ ପକ୍ଷରେ ପଜିଟିଭ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ବାଗମୁଣ୍ଡାର ୪ ଜଣ, ଦଶପୁରର ୫ ଜଣ, ନକଟିକନିର ୪ ଜଣ, ଲେତେରର ୮ ଜଣ ଓ ଚହକା ଗ୍ରାମର ୯ ଜଣଙ୍କ ସମେତ ୩୦ ଜଣଙ୍କ ସ୍ୱାବ ରିପୋର୍ଟ ପରୀକ୍ଷା ନିମନ୍ତେ ପଠା ଯାଇଛି। ବର୍ତ୍ତମାନ କୋଭିଡ ହସ୍ପିଟାଲରେ କଳାହାଣ୍ଡି ଜିଲ୍ଲାର ୧୮ ଜଣ ପଜିଟିଭ ଆକ୍ରାନ୍ତ ଓ ନୂଆପଡା ଜିଲ୍ଲାର ୨ ଜଣ ପଜିଟିଭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ବ୍ୟତୀତ ୪୬ ଜଣ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ୱାବ ରିପୋର୍ଟ ପରୀକ୍ଷା ପାଇଁ ଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । କଳାହାଣ୍ଡି ଜିଲ୍ଲାରେ ୨୦ ଜଣ ଆକ୍ରାନ୍ତ ଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପର୍ଯ୍ୟନ୍ତ ଜିଲ୍ଲାରୁ ୩ ହଜାର ୭୦୦ ଜଣଙ୍କ ସ୍ୱାବ ରିପୋର୍ଟ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ୨୦ ଜଣଙ୍କ ରିପୋର୍ଟ ପଜିଟିଭ ବହାରିଥିଲା । ୨୭୩ ଜଣଙ୍କ ରିପୋର୍ଟ ଆସିନଥିବା ବେଳେ ଅନ୍ୟ ମାନଙ୍କ ରିପୋର୍ଟ ନେଗେଟିଭ ବହାରିଛି । ଦିନକୁ ଦିନ ଜିଲ୍ଲାରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

ସମ୍ବନ୍ଧିତ ଖବର