ଜଗା-ବଳିଆଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ନେଇ ଏମସ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଏନ୍‌ଏଚ୍‌ଆରସି

ସ୍ଥାନାନ୍ତର ବିରୋଧରେ ପୂର୍ବରୁ ଅଭିଯୋଗ ଆଣିଥିଲେ ମାନବିକ ଅଧିକାର କର୍ମୀ

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କୁ  ଅଲଗା କରାଯିବା ପରେ ଏବେ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର ନିଷ୍ପତ୍ତି ନେଇ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆରସି) ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମସ୍‌)କୁ ନୋଟିସ ଜାରି କରାଯାଇଛି। ନୋଟିସରେ ଜଗା ବଳିଆଙ୍କ ସ୍ଥିତି କେମିତି ଅଛି ଓ କେଉଁ ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ଥାନାନ୍ତର କରାଯିବା ଲାଗି ନିଷ୍ପତ୍ତି ନିଅାଯାଉଛି ତାହା ଜଣାଇବା ଲାଗି ଏନ୍‌ଏଚ୍‌ଆରସି ଜବାବ ତଲବ କରିଛନ୍ତି।

ସୂଚନାଯୋଗ୍ୟ, ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଉଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଜଗା-ବଳିଆଙ୍କ ଚିକିତ୍ସା କରାଯିବ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ସ୍ଥାନାନ୍ତର କରାଯିବାକୁ ବିରୋଧ କରି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ମାନବିକ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ନିକଟରେ ଏନ୍‌ଏଚ୍‌ଆରସିରେ ପିଟିସନ୍ ଦାଖଲ କରିଥିଲେ। ଏନ୍‌ଏଚ୍‌ଆରସି ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନକୁ ଗ୍ରହଣ କରି  ଦିଲ୍ଲୀ ଏମସ୍‌କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଶ୍ରୀ ତ୍ରିପାଠୀ ପିଟିସନରେ ଦର୍ଶାଇଛନ୍ତି କି ଜଗା-ବଳିଆଙ୍କ ଚିକିତ୍ସା ଲାଗି ଓଡ଼ିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ।

ଅନ୍ୟପକ୍ଷରେ କିଛି ମାସ ହେବ ଏମସ୍‌ରେ ଚିକିତ୍ସା ଚାଲିଥିବା ଯୋଡ଼ାମୁଣ୍ଡ ଶିଶୁଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦିନକୁ ଦିନ ଉନ୍ନତି ଦେଖାଯାଇଛି। ନିକଟରେ ଜଗା ଓ ବଳିଆ ହେଲମେଟ୍‌ ପିନ୍ଧିଛନ୍ତି। ମାତ୍ର ସଂମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ।

ସମ୍ବନ୍ଧିତ ଖବର