ନାବାଳିକାଙ୍କୁ ହତ୍ୟା କରି ଅଖାରେ ଭର୍ତ୍ତି କରିବା ଘଟଣା : ଏନ୍‌ଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପୁରୁଣା ସହର ଜାତୀୟ ରାଜପଥ ୨୦ ନିକଟରୁ ପୁଲିସ ଗତମାସ ୨୦ ତାରିଖରେ ଏକ ଅଖାରେ ବନ୍ଧା ଜଣେ ନାବାଳିକାଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ ଭଦ୍ରକ ଏସ୍‌ପି ଏବଂ ଓଡ଼ିଶା ମାନବାଧିକାର କମିସନଙ୍କୁ ରିପୋର୍ଟ ତଲବ କରିଛନ୍ତି। ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ଆଇନଜୀବୀ ହିମାଂଶୁ ଶେଖର ନାୟକଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ଏ ସଂପର୍କରେ ଅଭିଯୋଗ ହେବା ପରେ ୨୮ ତାରିଖରେ କମିସନ ଏହାକୁ ଗ୍ରହଣ କରିଥିଲେ। କମିସନ କେସ୍‌ ନମ୍ବର ୩୦୪୦/୧୮/ ୧୮/୨୦୨୦ରେ ଏହାକୁ ଗ୍ରହଣ କରିଥିଲେ। ଅଭିଯୋଗ ଅନୁସାରେ, ହତ୍ୟାର ଶିକାର ହୋଇଥିବା ଉକ୍ତ ନାବାଳିକାଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଶିଳାନ୍ଦି ଗ୍ରାମରେ। ନିଖୋଜ ହେବା ନେଇ ପ୍ରଥମେ ତାଙ୍କ ବାପା ଅକ୍ଟୋବର ୧୭ ତାରିଖରେ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନ ନେବାରୁ ଏଭଳି ଅଘଟଣ ଘଟିଲା ବୋଲି ଅଭିଯୋଗକାରୀ ତଥା ମାନବାଧିକାର କର୍ମୀ ହିଂମାଶୁ ଶେଖର ନାୟକ କହିଛନ୍ତି। ପୁଲିସର ଅବହେଳା ଯୋଗୁଁ ନାବାଳିକାଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଖିଲାପୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ନାୟକ ଦାବି କରିଥିଲେ। ଜାତୀୟ ମାନବାଧିକାର କମିସନ ଏନେଇ ଭଦ୍ରକ ଏସ୍‌ପି ଏବଂ ରାଜ୍ୟ ମାନବାଧିକାର କମିସନଙ୍କୁ ରିପୋର୍ଟ ତଲବ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। କେନ୍ଦୁଝର ପୁଲିସର ଅବହେଳା ପାଇଁ ଏପରି ଘଟିଥିବାରୁ କେନ୍ଦୁଝର ଏସ୍‌ପିଙ୍କୁ ମଧ୍ୟ ରିପୋର୍ଟ ମଗାଯାଉ ବୋଲି ଶ୍ରୀ ନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର