ରାଜ୍ୟର ସହରାଞ୍ଚଳରେ ରାତି ୯ଟାରୁ ରାତ୍ରିକାଳୀନ କର୍ଫ୍ୟୁ, ୮ ତାରିଖ ପରେ ଦ୍ବାଦଶ ଶ୍ରେଣୀ ଯାଏଁ ସବୁ ସ୍କୁଲ ବନ୍ଦ

ବିବାହ ଶୋଭାଯାତ୍ରାରେ ସାମିଲ ହୋଇପାରିବେ ୩୦ ଜଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର କଟକଣାକୁ ବଢ଼ାଇ ଦେଇଛନ୍ତି। ପୂର୍ବରୁ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ଲାଗୁ ହେଉଥିବା ବେଳେ ଏହା ଏବେ ୯ଟାରୁ ଆରମ୍ଭ ହେବ। ଏହା କେବଳ ରାଜ୍ୟର ସମସ୍ତ ସହରାଞ୍ଚଳରେ ପାଇ ଉଦ୍ଦିଷ୍ଟ ବୋଲି ବୁଧବାର ସ୍ୱତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଚଳିତ ମାସ ୭ ତାରିଖ ସକାଳ ୫ଟାରୁ ଆସନ୍ତା ଫେବ୍ରୁଆରି ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଆସନ୍ତା ୮ ତାରିଖ ପରେ ରାଜ୍ୟରେ ୬ଷ୍ଠରୁ ଦ୍ବାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ। ତେବେ ସ୍କୁଲ ବନ୍ଦ ସମୟରେ ଅନ୍‌ଲାଇନ୍‌ କ୍ଲାସ ଜାରି ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଏସ୍‌ଆରସି ଶ୍ରୀ ଜେନା କହିଛନ୍ତି ଯେ, ଅତ୍ୟାବଶ୍ୟକ ସେବା ପାଇଁ କୋଭିଡ-୧୯ କଟକଣା ଲାଗୁ ହେବ ନାହିଁ। ବର୍ତ୍ତମାନ ମାଟ୍ରିକ୍‌ ପରୀକ୍ଷା ପାଇଁ ସମେଟିଭ୍‌ ପରୀକ୍ଷା ଚାଲିଛି। ଆଗାମୀ ୮ ତାରିଖ ପରେ ସ୍କୁଲ ବନ୍ଦ ରହିବ। ପରୀକ୍ଷା ପରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ-କଲେଜ ଗୁଡ଼ିକ ବନ୍ଦ ରହିବ। ଅନ୍‌ଲାଇନ୍‌ ମାଧ୍ୟମରେ କ୍ଲାସ ଗୁଡ଼ିକ ଜାରି ରହିବ। 

ସେହିପରି ମଲ, ମାର୍କେଟ, ହାଟ, ଦୋକାନ-ବଜାରରେ ଭିଡ଼ ହ୍ରାସ ପାଇଁ ସମସ୍ତେ ଉଦ୍ୟମ କରିବେ ବୋଲି ଶ୍ରୀ ଜେନା କହିଛନ୍ତି। କାରଣ ଏହା ନିଜସ୍ୱ ଦାୟିତ୍ୱ। ବ୍ୟବସାୟୀ ଓ ଦୋକାନୀମାନେ ଦାୟିତ୍ୱରେ ଖିଲାପ କଲେ କାର୍ଯ୍ୟନୁଷ୍ଠାନ ନିଆଯିବା ଏହା ସହିତ ସଂପୃକ୍ତ ବ୍ୟବସାୟିକ ଅନୁଷ୍ଠାନକୁ ପରବର୍ତ୍ତୀ ୭ ଦିନ ସିଲ୍‌ କରାଯିବ। ସାମାଜିକ, ଧାର୍ମିକ, ରାଜନୈତିକ, ଶୈକ୍ଷିକ କାର୍ଯ୍ୟକ୍ରମରେ ୧୦୦ ଲୋକ ଅଂଶଗ୍ରହଣ କରିପାରିବେ। ହଲ୍‌ କ୍ୟାପେସିଟିର ୫୦ ପ୍ରତିଶତ ରହିବ। ପିକ୍‌ନିକ୍‌କୁ ବାରଣ କରାଯାଇଛି। ହୋଟେଲ, କଲ୍ୟାଣ ମଣ୍ଡପ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା ନାହିଁ। ସମାରୋହକୁ ମନା। ବ୍ୟକ୍ତିଗତ ସମାରୋହ ଘର ଭିତରେ କରିପାରିବେ। ଧର୍ମାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ। କେବଳ ଧାର୍ମିକ ନୀତିର ଆୟୋଜନ ହେବ। କିନ୍ତୁ ଅୟୋଜନ ନେଇ ସ୍ଥାନୀୟ ପ୍ରଶାସନ ନେଇ ଏହାରି ଉପରେ ନିଷ୍ପତ୍ତି ନେବେ।

ଏସ୍‌ଆରସି କହିଛନ୍ତି, ହୋଟେଲ ଓ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ରାସ୍ତାଘାଟରେ ୯ଟା ପର୍ଯ୍ୟନ୍ତ ବ୍ୟବସାୟ କରିପାରିବେ। ତାଙ୍କ ସାମ୍ନାରେ ୫ରୁ ଅଧିକ ଲୋକ ରହିବେ ନାହିଁ। ବସ୍‌, କାର, ଟ୍ୟାକ୍ସି ଆଦିରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଯାତ୍ରାରେ ମଧ୍ୟ ପୂର୍ବଭଳି ୧୦୦୦ ଦର୍ଶକ ରହିପାରିବେ। କିନ୍ତୁ ମାସ୍କକୁ ଗୁରୁତ୍ୱ ଦିଆଯିବ। ସିନେମା ହଲ, ମଲ୍ଟିପ୍ଲେକ୍ସରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ନନ୍ଦନକାନନ ଓ ଉଦ୍ଭିଦ ଉଦ୍ୟାନରେ ଦର୍ଶକ ଅନ୍‌ଲାଇନ୍‌ରେ ଟିକେଟ କିରିବେ। ଇନଡୋର ଓ ଆଉଟ୍‌ଡୋର ଫିଲ୍ମ ସୁଟିଂ ହୋଇପାରିବ।

ବିବାହରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ଙ୍କୁ ଅନୁମତି

ବିବାହ ସମାରୋହରେ ୧୦୦ ଲୋକ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ସାମିଲ ହୋଇପାରିବେ। ବିବାହ ଶୋଭାଯାତ୍ରାରେ ସାମିଲ ହେବାକୁ ୩୦ ଜଣଙ୍କୁ ଅନୁମତି ମିଳିବ। ବିବାହ ପାଇଁ ଅତୀତର ମାର୍ଗଦର୍ଶିକାକୁ ବ୍ୟବହାର କରାଯିବ। ବିବାହ ପାଇଁ ଏକାଧିକ କାର୍ଯ୍ୟକ୍ରମ ଯଥା ହଳଦୀ ଓ ଅନ୍ୟ ଆୟୋଜନ କରାଯାଇପାରିବ ନାହିଁ। ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କ୍ଷମତାରେ ପରିଚାଳିତ ହେବ। କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧିନ କାର୍ଯ୍ୟାଳୟରେ ମଧ୍ୟ କମ କର୍ମଚାରୀରେ କାମ କରବାକୁ ଅନୁରୋଧ କରିବୁ। ରାଜ୍ୟ ସରକାର ଜୀବିକା ପ୍ରତି ସଚେତନ ଅଛନ୍ତି। ଏହି କଟକଣା ଗୁଡ଼ିକୁ ସଫଳତାର ସହିତ ପାଳନ କରିବା, ତା’ହେଲେ ଆମେ ସୁରକ୍ଷିତ ରହିବା।

ଆମେରିକାରେ ଦୈନିକ ୧୧ ହଜାର ପଜିଟିଭ୍‌
ଏସ୍‌ଆରସି କହିଛନ୍ତି, ଆମ ଦେଶ ଓ ରାଜ୍ୟରେ କରୋନାର ନୂଆ ଆକ୍ରାନ୍ତ ଆତଙ୍କ ସୃଷ୍ଟି କରୁଛି। ଆମେରିକାରେ ନୂତନ କରୋନା ଆକ୍ରାନ୍ତ ଦିନକୁ ପାଖାପାଖି ୧୧ ହଜାର ରହୁଛି। ଦକ୍ଷିଣ ଆଫ୍ରକାରେ ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଗବେଷକ କହୁଛନ୍ତି ଏହା ତୀବ୍ର ଗତିରେ ବ୍ୟାପୁଛି। ଡେଲଟା ତୁଳନାରେ ୩ ଗୁଣ ଅଧିକ ବ୍ୟାପୁଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀରେ ଦ୍ରୁତଗିରେ ବଢ଼ୁଛି। ଦେଶରେ ଆଜି ୫୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଦେଶରେ ୨ ଲକ୍ଷ ୧୪ ହଜାର ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

କରୋନା ସ୍ଥିତି ବଦଳିଛି
ବିଗତ ୪ଦିନ ଭିତରେ ରାଜ୍ୟରେ କରୋନାର ସ୍ଥିତି ବଦଳିଛି। ଗତକାଲି ୬୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଆଜି ଏହା ୧୨୮୦ରେ ପହଞ୍ଚି। ଏହା ଗତକାଲି ତୁଳନାରେ ୭୯ ପ୍ରତିଶତ ଅଥିକ। ଆମ ଦେଶରେ ଆଉ ଏକ ଲହର ଆରମ୍ଭ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଆମେ ସମସ୍ତେ ଏକଜୁଟ ହୋଇ ଲଢ଼ିବାର ବେଳ ଆସିଛି। ଏହା ନକଲେ ରାଜ୍ୟର ବିପୁଳ କ୍ଷତି ଘଟିବ। ବିଗତ ଦିନରେ ଆମେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ଆମେ କରୋନା ଲଢ଼େଇରେ ସଫଳତା ହାସଲ କରିଛେ। ଓଡ଼ିଶାବାସୀଙ୍କ ସହଯୋଗ ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଆମେ ସଫଳ ହୋଇଛେ। ଲହରର ଆରମ୍ଭରୁ ଆମେ ସତର୍କ ରହିଲେ । ଏହା ପାଳନ ନ କଲେ ଆମ ଗାଁ, ସହର ଓ ରାଜ୍ୟକୁ ବିପଦ ଆସିବ।

କୋଭିଡ ମନ୍ତ୍ର ପାଳନ କରନ୍ତୁ
ଯେଉଁମାନେ ଡବଲ ଡୋଜ୍‌ ନେଇଛନ୍ତି, ସେମାନେ ମଧ୍ୟ ଓମିକ୍ରନ୍‌ ସଂକ୍ରମିତ ହେବାର ଆଶଙ୍କା ରହିଛି। ତେଣୁ ଯେଉଁମାନେ ଟିକା ନେଇ ନାହାନ୍ତି, ଶୀଘ୍ର ନେଇ ସରକାରଙ୍କୁ ସହଯୋଗ କରନ୍ତୁ। ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକା ଦାନ ଆରମ୍ଭ ହୋଇଯାଇଛି। ତିନୋଟି ମୂଳ ମନ୍ତ୍ର, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ହାତ ଧୋଇବାକୁ ମାନି ଚଳିବ। ଭୀଡ଼କୁ ଯିବା ନାହିଁ, ବୁଢ଼ା-ବୁଢ଼ି ତଥା ବୟସ୍କଙ୍କ ଯତ୍ନ ନେବା। ତିନୋଟି ମୂଳମନ୍ତ୍ରକୁ ଭୁଲିବା ନାହିଁ, ତା’ହେଲେ ଆମେ ସୁରକ୍ଷିତ ରହିବା। ନୂଆବର୍ଷ ଆରମ୍ଭରେ ଆମେ ପର୍ବପର୍ବାଣୀ ଭଳି ଉତ୍ସବ ଭଳି ପାଳନ କରିଥାଉ। ବର୍ଷ ଆରମ୍ଭରୁ ଓମିକ୍ରନ୍‌ ପହଞ୍ଚିଛି। ତେଣୁ ସତର୍କତା ଅବଲମ୍ବନ କରି ତିନି ଅସ୍ତ୍ରକୁ ବ୍ୟବହାର କରିବା। ଅଯଥାରେ ଭିଡ଼କୁ ଯିବା ନାହିଁ। ଯଦି ଆମେ ଏହା ନ କରିବା, ତା’ହେଲେ ବିପଦରେ ପଡ଼ିବାର ଆଶଙ୍କ ରହିଛି।

ସମ୍ବନ୍ଧିତ ଖବର