କୋଭିଡ-୧୯ ପରିଚାଳନା ଦାୟିତ୍ୱରୁ ଆଉ ୯ ଆଇଏଏସ୍‌ ବି ହଟିଲେ

ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗରୁ ବରିଷ୍ଠ ଆଇଏଏସ୍ ଅଫିସର ହେମନ୍ତ ଶର୍ମାଙ୍କୁ ଦୂରେଇ ଦିଆଯିବା ଖବରକୁ ନେଇ କମ୍ପନ ସୃଷ୍ଟି ହେବା ପରେ ରାଜ୍ୟ ସରକାର ଆଜି ତରବରିଆ ଭାବେ କୋଭିଡ଼ ପରିଚାଳନାରେ ନିୟୋଜିତ ଅନ୍ୟ ସମସ୍ତ ଆଇଏଏସ୍ ଅଫିସରଙ୍କୁ ହଟାଇ ଦେଇଛନ୍ତି। ଏ ସଂକ୍ରାନ୍ତରେ ସରକାରୀ ନିର୍ଦେଶନାମା ପ୍ରକାଶ ପାଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି, ସେ ଅନୁସାରେ, ରାଜ୍ୟରେ କୋଭିଡ଼ ମୁକାବିଲା କ୍ଷେତ୍ରରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ନୋଡ଼ାଲ ଅଫିସର ଭାବେ ନିଯୁକ୍ତି ପାଇଥିବା ଜଳସଂପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କ ନିଯୁକ୍ତିକୁ ରଦ୍ଦ କରାଯାଇଛି। ସରକାର ତାଙ୍କୁ ମାର୍ଚ୍ଚ ୨୫ ତାରିଖରେ ଏହି ଗୁରୁଦାୟିତ୍ବ ଦେଇଥିଲେ। ସେହିଭଳି ମହିଳା ଓ ଶିଶୁ କଲ୍ୟାଣ ସଚିବ ଅନୁ ଗର୍ଗ, କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟାଙ୍କ ଓଏସଡ଼ି ଆର୍ ଭିନିଲକ୍ରିଷ୍ଣା, ପୂର୍ତ ସଚିବ ଡାକ୍ତର କ୍ରିଷନ୍ କୁମାର, ସାମାଜିକ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରଵାଲ, ପର୍ଯ୍ୟଟନ ନିର୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂହ ପୁନିଆ, ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ନିର୍ଦେଶିକା ରଶ୍ମିତା ପଣ୍ଡା ପ୍ରମୁଖଙ୍କୁ ବି କୋଭି଼ଡ଼ କାର୍ଯ୍ୟରୁ ସରକାର ଦୂରେଇ ଦେଇଛନ୍ତି।

ପ୍ରଶ୍ନ ଉଠୁଛି, ରାଜ୍ୟରେ ଲକ୍‌଼ଡାଉନ୍-୫ ଜାରି ରହିଛି। ୨୪ ଘଣ୍ଟା ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୨୫ ଦିନ ବିପଦ ଥିବା କହିଛନ୍ତି। ପୂରା ଜୁନ ମାସ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଏଭଳିସ୍ଥଳେ ଏହି ଅଫିସରଙ୍କୁ କାହିଁକି ଦାୟିତ୍ବମୁକ୍ତ କରାଗଲା?

ରାଜନୈତିକ ମହଲର କହିବା କଥା ହେଉଛି, କୋଭିଡ୍ ସାମଗ୍ରୀ କିଣା କେଳେଙ୍କାରୀ ବଳୟ ଭିତରୁ ବାହାରିବା ଲାଗି ଏଭଳି ଅସ୍ତ୍ର ସରକାର ପ୍ରୟୋଗ କରିଥାଇପାରନ୍ତି। ସରକାର ବାର୍ତା ଦେବାକୁ ଚାହିଁଛନ୍ତି ଯେ କେବଳ ହେମନ୍ତ ନୁହେଁ, ଅନ୍ୟ ସମସ୍ତଙ୍କୁ ବି ବିଦା କରାଯାଇଛି। ହେଲେ ହେମନ୍ତଙ୍କ ଚାରିଦିନ ପରେ ଓ ପୁଣି କୋଭିଡ଼୍ ପରିଚାଳନା ଅଧାପନ୍ତରିଆ ଅବସ୍ଥାରେ ଥିବା ବେଳେ କାହିଁକି? ତାହାର ଉତ୍ତର କେହି ଦେଇନାହାନ୍ତି।

ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ ଟ୍ବିଟ୍ କରି କୋଭିଡ଼୍‌ ପରିଚାଳନାରେ ସହଯୋଗ କରିଥିବା ଅଧିକାରୀଙ୍କୁ ସାବାସୀ ଦେଇଛନ୍ତି। ଏସବୁ ଅଧିକାରୀ ପ୍ରଶଂସା ପାଇଁ ହକ୍‌ଦାର ବୋଲି ମୁଖ୍ୟସଚିବ କହିଛନ୍ତି। ହେଲେ ଏମାନଙ୍କୁ ଏଭଳି ଅଧା ଅପରେସନରୁ ବିଦା ନେଇ କିଛି କହିନାହାନ୍ତି।

ସମ୍ବନ୍ଧିତ ଖବର