କରୋନା ନେଲା ରାଉରକେଲା ଏନ୍‌ଆଇଟି ପ୍ରଫେସରଙ୍କ ଜୀବନ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତି ଗତିରେ ବ୍ୟାପିବାରେ ଲାଗିଛି। ଆଜି ସୁଦ୍ଧା ଜିଲ୍ଲାରେ ୨୧ ଜଣଙ୍କ ମୃତ୍ୟୁ ହୋଇସାରିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ କରୋନା ଯୋଗୁଁ ଗତକାଲି ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଜଣେ ପ୍ରଫେସରଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ମେଟାଲର୍ଜିକାଲ ଆଣ୍ଡ୍‌ ମ୍ୟାଟେରିଆଲ ଇଜିନିଅରିଂ ବିଭାଗର ପ୍ରଫେସର ସମରଜିତ ସରକାର (୫୨)। ତେବେ ପ୍ରଫେସର ସରକାରଙ୍କ ମୃତ୍ୟୁ ବିଷୟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆନୁଷ୍ଠାନିକଭାବେ ଘୋଷଣା କରାଯାଇନି। ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଫେସର ସରକାର କିଛିଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ହାଇଟେକ୍‌ କୋଭିଡ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ୧୩ ତାରିଖରେ ଜୟ ପ୍ରକାଶ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଭୋର୍‌ ସମୟରେ ତାଙ୍କର ପରଲୋକ ଘଟିଥିଲା। ବେଦବ୍ୟାସରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ଜିଲ୍ଲାରେ ପୂର୍ବାପେକ୍ଷା ଆକ୍ରାନ୍ତ ସଂଖ୍ୟା ଅଧିକ ହ‌ାରରେ ବୃଦ୍ଧି ହେଉଛି। ଗତ ୪୮ ଘଣ୍ଟା (୧୪ ଓ ୧୫ ତାରିଖ) ଭିତରେ ଜିଲ୍ଲାରୁ ମୋଟ୍‌ ୩୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୪ ତାରିଖରେ ୧୫୬ ଜଣ ଓ ୧୫ ତାରିଖରେ ୧୬୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର