ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା ଅର୍ଥ ବିଭାଗ, ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ : ରାଜ୍ୟ ଟଙ୍କାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାହାର? ଏଥିରେ କେନ୍ଦ୍ରର ଭାଗ ଅଛି କି ନାହିଁ? ଯଦି ଅଛି କେତେ?

ଆଜି ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ଦେଇଥିବା ତଥ୍ୟ କିଛି ସମୟ ପାଇଁ ଏଭଳି ଏକ ଦ୍ୱନ୍ଦ୍ୱ ସୃୃଷ୍ଟି କରିଥିଲା। କାରଣ ରାଜ୍ୟ ସରକାର ପୂର୍ବରୁ ଏହି ଯୋଜନା ରାଜ୍ୟର ନିଜସ୍ୱ ବୋଲି କହିଥିବା ବେଳେ ଏଥିରେ ୭୦୦ କୋଟି ଟଙ୍କାର କେନ୍ଦ୍ରର ଭାଗ ଥିବା କହିିଥିଲେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ। ତେବେ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ପଷ୍ଟୀକରଣ ମାଧ୍ୟମରେ ଆଜି ପୁଣି ସୂଚାଇଛି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା ଓ ଏଥିରେ କେନ୍ଦ୍ରର ଟଙ୍କାଟିଏ ବି ନାହିଁ।

ଆଜି ଅତିରିକ୍ତ ବଜେଟ୍‌ ଉପସ୍ଥାପନ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଣ୍ଡେ କହିଥିଲେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆକାର ୨୦୦୦ କୋଟି ଟଙ୍କା। ଏହି ଯୋଜନାରେ ରାଜ୍ୟ ସରକାରଙ୍କ ଭାଗ ପ୍ରାୟ ୧୩୦୦ କୋଟି ଟଙ୍କା। କେନ୍ଦ୍ର ସରକାରଙ୍କ ସୂତ୍ରରୁ ପ୍ରାୟ ୭୦୦ କୋଟି ଟଙ୍କା ମିଳୁଛି।

ଅର୍ଥ ବିଭାଗର ଏଭଳି ସୂଚନା ଆଜି ଏହି ଯୋଜନାକୁ ବିବାଦକୁ ଠେଲି ଦେଇଥିଲା। ଚର୍ଚ୍ଚା ଆରମ୍ଭ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଭାଗ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡିଶା ସରକାରଙ୍କ ନିଜସ୍ୱ ସମ୍ବଳରେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ। ଏହି ଯୋଜନା ପାଇଁ କୌଣସି କେନ୍ଦ୍ରୀୟ ସହାୟତା ନାହିଁ।

ସ୍ୱାସ୍ଥ୍ୟ ବିଭାଗ କହିଛି, ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ, ବିଶେଷ କରି ରାଜ୍ୟରେ ଥିବା ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରଦାନ ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓଡିଶା ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟକ୍ରମ। ଗତ ସ୍ୱାଧୀନତା ଦିବସ ଦିନ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଯୋଜନାରେ ଦୁଇଟି ପ୍ରମୁଖ ଉପାଦାନ ରହିଛି।

ପ୍ରଥମଟିରେ, ରାଜ୍ୟରେ ଥିବା ୭୦ ଲକ୍ଷ ଆର୍ଥିକ ଅନଗ୍ରସର ପରିବାରର ମହିଳାଙ୍କ ନିମନ୍ତେ ବାର୍ଷିକ ୭ ଲକ୍ଷ ଓ ପୁରୁଷଙ୍କ ନିମନ୍ତେ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁରକ୍ଷା ସୁବିଧା ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ରାଜ୍ୟ ସରକାର ୨୯୦ କୋଟି ଟଙ୍କା ବ୍ୟୟ କରିବେ। ଅନ୍ୟ ପକ୍ଷରେ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ରାଜ୍ୟରେ ରହିଥିବା ସବୁ ସ୍ୱାସ୍ଥ୍ୟାନୁଷ୍ଠାନରେ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ ହେବ। ଏଥିରେ କୌଣସି ବ୍ୟକ୍ତିଙ୍କ ଆୟ , ସ୍ଥିତି କିମ୍ବା ବାସସ୍ଥାନ ବାଧକ ହେବ ନାହିଁ। ରାଜ୍ୟ ସରକାର ଏ ବାବଦରେ ଚଳିତ ଆର୍ଥିକ ବର୍ଷରେ ୭୧୩.୫୨ କୋଟି ଟଙ୍କା ବ୍ୟୟ କରିବେ। ସୁତରାଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚଳିତ ଆର୍ଥିକ ବର୍ଷ ମୋଟ ୧୦୦୩.୫୨ କୋଟି ଟଙ୍କା ବ୍ୟୟ ହେବ।

ଉଲ୍ଲେଖଥାଉକି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଂପର୍କରେ ସ୍ପଷ୍ଟୀକରଣ ଦେବା ବେଳେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାତୀୟ ସ୍ୱାସ୍ଥ୍ୟ ମିସନ ବାବଦରେ ଉଲ୍ଲେଖ କରିଥିଲୋ। ସ୍ୱାସ୍ଥ୍ୟ ବିଭାଗ କହିଛି, ଦେଶରେ ବିଭିନ୍ନ ଜନସ୍ୱାସ୍ଥ୍ୟ ଯୋଜନାର ରୂପାୟନ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିସନ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଛି। ଏହା ଆରମ୍ଭ ହେବା ଠାରୁ ଦେଶର ବିଭିନ୍ନ ରାଜ୍ୟକୁ ମିସନ ଅଧୀନସ୍ଥ ଯୋଜନାଗୁଡିକୁ ସହାୟତା ଦିଆଯାଉଛି। ସେ ବାବଦରେ ଓଡିଶାକୁ ପ୍ରାୟ ୭୮୫ କୋଟି ଟଙ୍କା ମିଳିଛି।

ସମ୍ବନ୍ଧିତ ଖବର