ଏଣିକି ଅନ୍‌ଲାଇନରେ ମିଳିବ ବୋର୍ଡ, ବିଶ୍ୱବିଦ୍ୟାଳୟ ପ୍ରମାଣପତ୍ର

ମୁଖ୍ୟ ସଚିବ ଉଦ୍‌ଘାଟନ କଲେ ଅନ୍‌ଲାଇନ ପୋର୍ଟାଲ

ଭୁବନେଶ୍ୱର : ଏଣିକି ପ୍ରମାଣପତ୍ର ବା ସାର୍ଟିଫିକେଟ୍‌ ପାଇଁ ଛାତ୍ରଛାତ୍ରୀଙ୍କୁ ବୋର୍ଡ ବା ବିଶ୍ୱବିଦ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ବୋର୍ଡ ଓ ବିଶ୍ୱବିଦ୍ୟାଳୟର ପ୍ରମାଣପତ୍ର ଅନ୍‌ଲାଇନ ଯୋଗେ ମିଳିବ। ନିଜ ଘର କମ୍ପ୍ୟୁଟରରୁ ବା ସବୁଆଡ଼େ ଖୋଲିଥିବା କମନ୍‌ ସର୍ଭିସ୍‌ ସେଣ୍ଟରରୁ ସେହି ପ୍ରମାଣପତ୍ରଗୁଡ଼ିକ ପାଇବା ପାଇଁ ଆବେଦନ କରିପାରିବେ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ଧରଣର ୮ଟି ସେବାକୁ ଅନ୍‌ଲାଇନ ପୋର୍ଟାଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତିି। ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନରେ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ସାର୍ଟିଫିକେଟ୍‌ ଉପଲବ୍ଧ ବ୍ୟବସ୍ଥା ସମ୍ଭବପର ହୋଇପାରିଛି।

ଏ ନେଇ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଲେ, ଏହି ସାର୍ଟିଫିକେଟ୍‌ ପାଇବା ପାଇଁ ଛାତ୍ରଛାତ୍ରୀମାନେ ପ୍ରଥମେ ‘lokseba.odisha.in’ ପୋର୍ଟାଲ୍‌କୁ ଯାଇ ନିଜର ୟୁଜର ଆଇଡି ଓ ପାସ୍‌ଓ୍ଵାର୍ଡ ସୃଷ୍ଟି କରିବେ। ଲଗ୍‌ଇନ୍‌ ହେବା ପରେ ସେମାନେ ନିର୍ଦିଷ୍ଟ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିପାରିବେ। ସାର୍ଟିଫିକେଟ୍‌କୁ ମଞ୍ଜୁରି ଅଧିକାରୀ ଅନୁମୋଦନ ଦେବା ସଙ୍ଗେ ସଙ୍ଗେ ଆବେଦନକାରୀଙ୍କୁ ଏକ ସ୍ୱୟଂକ୍ରିୟ ଏସ୍‌ଏମ୍‌ଏସ୍‌ ସୂଚନା ମୋବାଇଲ୍‌ ଫୋନ ଯୋଗେ ମିଳିବ। ଏହି ସୂଚନା ମିଳିଲେ, ଆବେଦନକାରୀ ନିଜର ସାର୍ଟିଫିକେଟ୍‌ ଅନ୍‌ଲାଇନରେ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ଶ୍ରୀ ମହାପାତ୍ର କହିଥିଲେ।

ଏଭଳି ୮ଟି ସେବା ସଂପର୍କରେ ସୂଚନା ଦେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଲେ, ଏଥିମଧ୍ୟରୁ ଗଣଶିକ୍ଷା ବିଭାଗ ଜରିଆରେ ୬ଟି ସେବା ଉପଲବ୍ଧ ଥିବା ବେଳେ ଅନ୍ୟ ୨ଟି ସେବା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଛି। ଏଗୁଡ଼ିକ ହେଉଛି ହାଇସ୍କୁଲ ମାର୍କସିଟ୍‌ର ନକଲ, ବୋର୍ଡ ସାର୍ଟିଫିକେଟ୍‌ର ନକଲ, ବୈଧୀକରଣ(ଭେରିଫିକେସନ୍‌) ପ୍ରମାଣ, ବୋର୍ଡର ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌, ବୋର୍ଡ ମାଇଗ୍ରେସନ୍‌ ସାର୍ଟିଫିକେଟ୍‌, ବିଶ୍ୱବିଦ୍ୟାଳୟ ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ଓ ବିଶ୍ୱବିଦ୍ୟାଳୟର ମାଇଗ୍ରେସନ୍‌ ସାର୍ଟିଫିକେଟ୍‌।

ଏସବୁ ସେବା ପ୍ରଦାନ ପ୍ରକ୍ରିୟା ଅନୁଧ୍ୟାନ କରି ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଅନ୍‌ଲାଇନ ସେବା ଯୋଗାଣ ବ୍ୟବସ୍ଥାକୁ ପୂର୍ଣ୍ଣମାତ୍ରାରେ ସ୍ୱୟଂକ୍ରିୟ କରିବାକୁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ମୁତାବକ ଆସନ୍ତା ୨ରୁ ୩ ମାସ ମଧ୍ୟରେ ଏହି ସ୍ୱୟଂ ଚାଳନା ବ୍ୟବସ୍ଥା ବିକଶିତ କରାଯିବ। ଆବେଦନ ଗ୍ରହଣ, ପ୍ରକ୍ରିୟାକରଣ, ବୈଧୀକରଣ, ଦେୟ ଆଦାୟ, ଅନୁମୋଦନ ଓ ପ୍ରମାଣପତ୍ର ପ୍ରଦାନ ଆଦି ସଂପୂର୍ଣ୍ଣ ପ୍ରକ୍ରିୟାକୁ ଯନ୍ତ୍ରଚାଳିତ କରି ମନୁଷ୍ୟ ନିୟନ୍ତ୍ରଣମୁକ୍ତ କରିବାକୁ ସେ ନିର୍ଦେଶ ଦେଇଥିଲେ।

ସୂଚନାନୁସାରେ ବର୍ତମାନ ସୁଦ୍ଧା ୨୫ଟି ବିଭାଗର ୩୪୧ଟି ସେବାକୁ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ୨୦୧୨ ବଳରେ ସରକାରୀ ଭାବେ ସାଧାରଣ ସେବା ବୋଲି ଘୋଷଣା କରାଯାଇଛି। ଏସବୁ ସେବା ମଧ୍ୟରୁ ୮୮ଟିକୁ ଅନ୍‌ଲାଇନ ଯୋଗେ ସଂଯୋଗ ବ୍ୟବସ୍ଥା ହୋଇଛି। ଖୁବଶୀଘ୍ର ଅବଶିଷ୍ଟ ସେବାଗୁଡ଼ିକ ଅନ୍‌ଲାଇନ ଯୋଗେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର