ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦ ହଜାର ଟପିଲା

ଗଞ୍ଜାମରେ ୧୦ ହଜାର ଟପିଲା କରୋନା, ୨୯ ଜିଲ୍ଲାରୁ ୧୪୯୯ ଚିହ୍ନଟ, ୯ ମୃତ

ଭୁବନେଶ୍ୱର : ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦ ହଜାର ଟପିଛି। ଆଜି ୭୭୨ ଜଣ ରୋଗୀ ସୁସ୍ଥ ହେବା ପରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦୫୧୭ ଛୁଇଁଛି। ରାଜ୍ୟରେ ଏବେ ସୁସ୍ଥ ହାର ୬୩.୬ ପ୍ରତିଶତରେ ପହଞ୍ଚିଛି। ତେବେ ଏବେ ବି ରାଜ୍ୟରେ ୧୧ ହଜାର ୧୪୫ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ଅପରପକ୍ଷରେ ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୧୦ ହଜାର ଟପି ଯାଇଛି। ଗତ ୩୦ ଦିନରେ ଜିଲ୍ଲାରେ ୮୭୯୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକି ଜିଲ୍ଲାର କରୋନା ଚିତ୍ର ସଂପୂର୍ଣ୍ଣଭାବେ ବଦଳି ଯାଇଛି। ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୨.୫ ପ୍ରତିଶତ ରୋଗୀ କେବଳ ଗଞ୍ଜାମ ଜିଲ୍ଲାରୁ ହିଁ ଚିହ୍ନଟ ହୋଇଛନ୍ତି। ଯଦିଓ ଗତ କିଛିଦିନ ହେବ ଜିଲ୍ଲାରୁ ଯେଉଁଭଳି ଭାବେ ପଜିଟିଭ୍ ଚିହ୍ନଟ ହେଉଥିଲେ ଏଥିରେ ବ୍ରେକ୍ ଲାଗିଥିଲେ ହେଁ, ତଥାପି ଜିଲ୍ଲା ସମ୍ବେଦନଶୀଳ ରହିଛି।

ଆଜି ୯ଜଣଙ୍କ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ୮ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଅଣ କରୋନାରେ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାରୁ ୪ଜଣ ପ୍ରାଣ ହରାଇଛନ୍ତି। ମଧୁମେହରେ ପୀଡ଼ିତ ଥିବା ୮୧ବର୍ଷର ପୁରୁଷ, ୪୯ବର୍ଷର ପୁରୁଷ, ୪୫ବର୍ଷର ପୁରୁଷ ଓ ମଧୁମେହ, ଉଚ୍ଚ ରକ୍ତଚାପ ଓ ଅନ୍ୟ ଜଟିଳ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଖୋର୍ଧା ଜିଲ୍ଲାର ୭୯ବର୍ଷର ପୁରୁଷ, ୮୨ବର୍ଷର ବୃଦ୍ଧ ଯିଏକି ଉଚ୍ଚ ରକ୍ତଚାପ, ମଧୁମେହ ଓ ଷ୍ଟ୍ରୋକ୍‌ରେ ପୀଡ଼ିତ ଥିବା ବେଳେ ଗଜପତି ଜିଲ୍ଲାର ୫୮ବର୍ଷର ମହିଳା, ସୁନ୍ଦରଗଡ଼ ଜିଲ୍ଲାର ମଧୁମେହରେ ପୀଡ଼ିତ ଥିବା ୫୨ବର୍ଷର ପୁରୁଷ କରୋନାର ଶିକାର ହୋଇଛନ୍ତି। ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଥିବା ବେଳେ ଅଣ କୋଭିଡ୍ ମୃତ୍ୟୁ ୩୭ରେ ପହଞ୍ଚିଛି। ତହିଁରୁ ଗଞ୍ଜାମ ଜିଲ୍ଲାରେ କେବଳ ୯୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୨୨, କଟକ ୧୧ ଓ ଗଜପତିରେ ୧୦ଜଣଙ୍କ ମୃତ୍ୟୁ ହୋଇଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୨୯ ଜିଲ୍ଲାରୁ ୧୪୯୯ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧରୁ ୯୧୪ଜଣ ଥିବା ବେଳେ ୫୮୫ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ୩୬୮, ଖୋର୍ଧା ୨୧୪, ଗଜପତି ୯୭, ଢେଙ୍କାନାଳ ୯୨, କୋରାପୁଟ ୮୧, ସୁନ୍ଦରଗଡ଼ ୭୫, ନୟାଗଡ଼ ୬୭, ସମ୍ବଲପୁର ୫୬, କନ୍ଧମାଳ ୫୦, କଳାହାଣ୍ଡି ୪୪, ରାୟଗଡ଼ା ୪୦, ବାଲେଶ୍ବର ୩୭, ପୁରୀ ୩୬, ନବରଙ୍ଗପୁର ୩୩, କଟକ ୨୮, ମାଲକାନାଗିରି ୨୬, ଅନୁଗୁଳ ୨୫, ବଲାଙ୍ଗୀର ୧୯, ଜଗତସିଂହପୁର ୧୫, କେନ୍ଦ୍ରାପଡ଼ା ୧୪, ମୟୂରଭଞ୍ଜ ୧୩, ବରଗଡ଼ ୧୦, ନୂଆପଡ଼ା ୯, ଝାରସୁଗୁଡ଼ା ୭, ସୋନପୁର ୫, ଦେବଗଡ଼ ୨ ଓ ଭଦ୍ରକରୁ ଜଣେ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୭୭ରେ ପହଞ୍ଚିଛି। ରାଜ୍ୟରେ ପୁରୁଷ ସଂକ୍ରମିତଙ୍କ ସଂଖ୍ୟା ୨୧୯୦୦ ଥିବା ବେ‌ଳେ ମହିଳାଙ୍କ ସଂଖ୍ୟା ୮୪୭୮ ରହିଛି।

ରାଜ୍ୟରେ ଆଜି ୭୭୨ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ସର୍ବାଧିକ ୨୧୨ଜଣ ଗଞ୍ଜାମ ଜିଲ୍ଲାର ରହିଥିବା ବେଳେ କଟକ ୧୧୬, ଖୋର୍ଧା ୮୧, କେନ୍ଦୁଝର ୬୮, କୋରାପୁଟ ୪୧, ରାୟଗଡ଼ା ୩୧, ଗଜପତି ୨୭, ସୁନ୍ଦରଗଡ଼ ୨୪ଜଣ ରହିଛନ୍ତି। ଏହାସହ ଯାଜପୁର ୨୧, କଳାହାଣ୍ଡି ୨୦, ନବରଙ୍ଗପୁର ୧୯, ମୟୂରଭଞ୍ଜ ୧୮, କନ୍ଧମାଳ ୧୪, ମାଲାକାନାଗିରି ୧୨, ସମ୍ବଲପୁର ୧୧, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀରୁ ୧୦ଜଣ ଲେଖାଏଁ, ବରଗଡ଼ ୬, ବଲାଙ୍ଗୀର ୫, ବାଲେଶ୍ବର ୪, ବୌଦ୍ଧ, ଜଗତସିଂହପୁର ଓ ଝାରସୁଗୁଡ଼ା ୩ଜଣ ଲେଖାଏଁ, ଅନୁଗୁଳ, ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର