ଚେତାବନୀକୁ ଖାତିର କଲେନି ନର୍ସ, ୨୪ ଘଣ୍ଟା ମହଲତ ପରେ ବି ଆନ୍ଦୋଳନ ଜାରି

ଲିଖିତ ଆକାରରେ କାହିଁକି ଦେଉନାହାନ୍ତି ସରକାର?

ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନ୍‌ଏଚ୍‌ଏମ୍‌) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ୨୪ ଘଣ୍ଟିଆ ଚେତାବନୀଙ୍କୁ ଖାତିର କରିନାହାନ୍ତି ଆନ୍ଦୋଳନରତ ନର୍ସ। ଆଜି ପୂର୍ବାହ୍ନ ୧୧ଟାରେ ୨୪ ଘଣ୍ଟା ପୂରି ଯାଇଥିଲେ ମଧ୍ୟ ସେମାନେ କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ବରଂ ରବିବାର ଛୁଟି ଦିନ ଥିଲେ ମଧ୍ୟରେ ୫୦୦ରୁ ଅଧିକ ନର୍ସ ଆଜି ଲୋୟର ପିଏମ୍‌ଜିରେ ଧାରଣାରେ ବସି ରହିଛନ୍ତି। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ବି ସମାନ ଅବସ୍ଥା। ନର୍ସମାନଙ୍କ ଆନ୍ଦୋଳନ ଯୋଗୁଁ ସମ୍ପୂର୍ଣ୍ଣ ରୂପେ ବିଗିଡ଼ି ଯାଇଛି ସ୍ୱାସ୍ଥ୍ୟ ସେବା। ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ମେଡିକାଲରୁ ସେ ମେଡିକାଲ ଦୌଡ଼ୁଛନ୍ତି।

୭ ଦିନ ପରେ ବି ସରକାର ନିର୍ବିକାର। ନର୍ସଙ୍କ ଦାବି ପୂରଣ ଦିଗରେ କୌଣସି ବି ପଦକ୍ଷେପ ନେଉନାହାନ୍ତି। ଦୁଇ ମାସ ମଧ୍ୟରେ ଦାବି ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯେଉଁ କଥା କହିଛନ୍ତି ତାହାକୁ ଲିଖିତ ଆକାରରେ ଦେବାକୁ ନର୍ସମାନେ ଦାବି କରୁଛନ୍ତି। ୩ ଦିନ ହେଲା ସମାନ ଦାବି କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କାହିଁକି ଲିଖିତ ଆକାରରେ ଦେଉନି ତାହା ଜଣାପଡ଼ୁ ନାହିଁ। ଏ ନେଇ ଆନ୍ଦୋଳନରତ ନର୍ସମାନେ କହିଛନ୍ତି ଯେ ଲିଖିତ ଆକାରରେ ପ୍ରତିଶ୍ରୁତି ଦେବାରେ ଅସୁବିଧା କେଉଁଠି ରହୁଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ନର୍ସଙ୍କୁ ଭୂଆଁ ବୁଲାଇବାକୁ ଚାହୁଁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଲିଖିତ ଆକାରରେ ପ୍ରତିଶ୍ରୁତି ଦେବା କ୍ଷଣି ଆମେ କାର୍ଯ୍ୟରେ ଯୋଗଦେବୁ ବୋଲି ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ନିଖିଳ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଭାତି ମହାନ୍ତିଙ୍କ ସମେତ କେତେଜଣ ନର୍ସ ଆନ୍ଦୋଳନରୁ ଓହରି ଯାଇଛନ୍ତି। ସେମାନେ କାର୍ଯ୍ୟରେ ଯୋଗଦେଇଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ୧୪୦୦ ଏନ୍‌ଏଚ୍‌ଏମ୍‌ ନର୍ସଙ୍କ ମଧ୍ୟରୁ ୧୨୦୦ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସରକାରୀ ମେଡିକାଲରେ ସୁରୁଖୁରରେ କାର୍ଯ୍ୟ ଚାଲିଛି। ମାତ୍ର ୨୦୦ ନର୍ସ ଏବେ ସୁଦ୍ଧା କାର୍ଯ୍ୟରେ ଯୋଗଦେଇ ନାହାନ୍ତି। ଟ୍ରେଡ୍‌ ୟୁନିୟନ୍‌ ନେତାଙ୍କ ଦ୍ୱାରା ସେମାନେ ପରିଚାଳିତ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଉପରେ ଭରସା ରଖି ନର୍ସମାନେ କାର୍ଯ୍ୟ ସ୍ଥଳକୁ ଫେରି ଯିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ଏନ୍‌ଏଚ୍‌ଏମ୍‌ ନିର୍ଦେଶିକାଙ୍କ ଧାର୍ଯ୍ୟ ସମୟ ସୀମା ଟପିଯାଇଛି। ଚେତାବନୀ ଦେବାର ୨୪ ଘଣ୍ଟା ପୂରି ଯାଇଥିବାରୁ ଏବେ ସ୍ୱାସ୍ଥ୍ୟ ବିଭାଗ ଉପରେ ସମସ୍ତଙ୍କ ନଜର ରହିଛି। ତେଣୁ ଯେକୌଣସି ମୂହୁର୍ତ୍ତରେ ନର୍ସମାନଙ୍କୁ ଛଟେଇ କରାଯିବା ଆଶଙ୍କା ପ୍ରକାଶ ପାଇଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ରବିବାର ଛୁଟି ଦିନ ଥିବାରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ସୋମବାର ବୈଠକ ବସି ଆନ୍ଦୋଳନ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର