ପୁରୀ ବିମାନବନ୍ଦର ସ୍ଥାନ ନିର୍ଦ୍ଧାରଣ ନିମନ୍ତେ ପରିବେଶ ଦୃଷ୍ଟିକୋଣକୁ ଗୁରୁତ୍ୱ ଦେବା ଜରୁରୀ

ଭୁବନେଶ୍ୱର : ପୁରୀ ସହର ନିକଟରେ ଏକ ବିମାନବନ୍ଦରର ସ୍ଥାପନ ନିମନ୍ତେ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉଭୟ ତୀର୍ଥସ୍ଥଳୀ ଏବଂ ପର୍ଯ୍ୟଟନ ସ୍ଥଳୀ ରୂପେ ଖ୍ୟାତ ପୁରୀରେ ବିମାନବନ୍ଦର ନିର୍ମାଣର ଯଥାର୍ଥତା ମଧ୍ୟ ରହିଛି। ତେଣୁ ବିମାନବନ୍ଦର ପ୍ରକଳ୍ପକୁ ଆଗେଇ ନେବା ପାଇଁ ଏକ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ପୁରୀ ଗସ୍ତ କରି କେତେକ ସମ୍ଭାବ୍ୟ କ୍ଷେତ୍ର ଅନୁଧ୍ୟାନ କରିବା ପରେ ସିପସରୁବାଲି ଅଞ୍ଚଳସ୍ଥ ପ୍ରସ୍ତାବିତ ଶାମୁକା ପ୍ରକଳ୍ପ ନିକଟରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ତେବେ ନିର୍ଦ୍ଦିଷ୍ଟ କ୍ଷେତ୍ରର ଅନ୍ତିମ ନିର୍ଦ୍ଧାରଣ ପୂର୍ବରୁ ସରକାର ପରିବେଶ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ବୋଲି ଓଡ଼ିଶା ପରିବେଶ ସମିତି ପକ୍ଷରୁ କୁହାଯାଇଛି।

ସମିତି ପକ୍ଷରୁ ଆହୁରି କୁହାଯାଇଛି ଯେ, ଏବେ ବିଶ୍ୱସ୍ତରରେ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ପରିଣାମରେ ସମୁଦ୍ର ପତ୍ତନରେ ଉନ୍ନତି ଘଟୁଥିବାରୁ ଆଗାମୀ ଦିନରେ ପୁରୀ ପରି ସମୁଦ୍ର ଉପକୂଳରେ ଅବସ୍ଥିତ ପୃଥିବୀର ଅନେକ ସହର ଏବଂ ଅନ୍ୟାନ୍ୟ ଅଞ୍ଚଳକୁ ସମୁଦ୍ର ଜଳ ଅନୁପ୍ରବେଶ କରିବାର ସମ୍ଭାବନା ବୃଦ୍ଧି ପାଉଛି। ପୁରୀ ଉପକୂଳ ମଧ୍ୟ ବିପଜ୍ଜନକ ଜୋନ୍‌ରେ ଅନ୍ତର୍ଭୁକ୍ତ ହୋଇଛି। ଅନ୍ୟପକ୍ଷରେ ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ କ୍ରମଶଃ ସଂଖ୍ୟା ଓ ତୀବ୍ରତାରେ ବୃଦ୍ଧି ପାଉଥିବାରୁ ସମୁଦ୍ରକୂଳ ଅଞ୍ଚଳ ପ୍ରତି ଏହା ଅଧିକ କ୍ଷତି ସାଧିତ ହେଉଛି। ୨୦୧୯ ମସିହାର ଫନି ବାତ୍ୟା ପୁରୀ ସହରକୁ କ୍ଷତବିକ୍ଷତ କରିବା ସହି ସମୁଦ୍ର ପତ୍ତନ ପ୍ରାୟ ୫ ଫୁଟ୍ ଅଧିକ ଉଚ୍ଚତା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଏବେ ରାଜ୍ୟର ଉପକୂଳ ଅଞ୍ଚଳମାନଙ୍କରେ ଅଧିକ ସଂଖ୍ୟାରେ ବୃକ୍ଷରୋପଣ କରାଯାଇ ଏକ ପ୍ରାକୃତିକ ସବୁଜ ପ୍ରାଚୀର ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି। ଯାହା ଦ୍ବାରା ବାତ୍ୟାର ପ୍ରକୋପକୁ କିଛି ମାତ୍ରାରେ ହ୍ରାସ କରିବାରେ ସକ୍ଷମ ହୋଇପାରିବ। କେତେକ କ୍ଷେତ୍ରରେ ଉପକୂଳୀୟ ଭୂଭାଗ ମଧ୍ୟ ସାମୁଦ୍ରିକ ଶକ୍ତିର ପ୍ରଭାବରେ ପରିବର୍ତ୍ତିତ ହୋଇ ଅବକ୍ଷୟର ଶିକାର ହେଉଛି, ଯାହା ଅତୀତରେ ପୁରୀରେ ଘଟି ସାରିଛି। ଏକ ବିମାନବନ୍ଦର ସ୍ଥାପନ ନିମନ୍ତେ ଆଗାମୀ ଶହେ ବର୍ଷକୁ ଦୃଷ୍ଟିରେ ରଖି ଯୋଜନା କରାଯିବା ଏବଂ ଭବିଷ୍ୟତ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯିବା ଆବଶ୍ୟକ। ଏ ସମସ୍ତ ପରିବେଶୀୟ ଦିଗକୁ ବିଚାରକୁ ନେଇ ଉପକୂଳରୁ ସୁରକ୍ଷିତ ଦୂରତାରେ, ଖୁବ କମ୍‌ରେ ଦଶ କିଲୋମିଟର ଦୂରତାରେ ସ୍ଥାନ ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି। ପୁଣି ସ୍ଥାନୀୟ ଅଞ୍ଚଳର ପରିବେଶ ଏବଂ ଜୈବବିବିଧତାର ଗୁଣାତ୍ମକ ମାନରେ ଯେପରି ବିଘ୍ନ ନ ଘଟେ ଏବଂ ସନ୍ତୁଳନ ବଜାୟ ରହେ ତାହା ଉପରେ ମଧ୍ୟ ଦୃଷ୍ଟି ଦିଆଯିବା ଅପରିହାର୍ଯ୍ୟ। ପୁରୀରେ ମଧୁର ଜଳ ଉପଲବ୍ଧି ହେଉଥିବା ଅଞ୍ଚଳ ଯେପରି ପ୍ରଭାବିତ ନହୁଏ ତାହା ମଧ୍ୟ ଅନ୍ୟ ଏକ ବିଚାରଯୋଗ୍ୟ ବିଷୟ। ଅନ୍ତିମ ନିଷ୍ପତ୍ତି ନିମନ୍ତେ ଅନ୍ୟ ସମସ୍ତ ବିଷୟ ସହିତ ଏହି ସବୁ ପରିବେଶୀୟ କାରକଗୁଡ଼ିକୁ ଗମ୍ଭୀରତାର ସହ ବିଚାରକୁ ନେବା ନିମନ୍ତେ ଓଡ଼ିଶା ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ର ଏବଂ ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର