ଓଏଏସ୍‌ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱରେ ପରୀକ୍ଷାର୍ଥୀ

ଭୁବନେଶ୍ୱର : କେନ୍ଦ୍ର ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ଆଇଏଏସ୍‌ ସାକ୍ଷାତ ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହେଉଛି। ଏହା ପୂର୍ବଦିନ ଅର୍ଥାତ୍‌ ଫେବ୍ରୁଆରି ୧୮ରେ ଓପିଏସ୍‌ସି ଦ୍ୱାରା ପରିଚାଳିତ ୨୦୧୭-୧୮ର ଓଏଏସ୍‌ ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ଏଥିସହ ୨୦୧୬-୧୭ର ସାକ୍ଷାତ ପରୀକ୍ଷା ଫେବ୍ରୁଆରି ୧୨ରୁ ଆରମ୍ଭ ହେବାକୁ ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତାରିଖ ଘୋଷଣା ସମୟରେ ଓପିଏସ୍‌ସି କର୍ତୃପକ୍ଷ ଅନ୍ୟ ପରୀକ୍ଷାଗୁଡ଼ିକ ଉପରେ ଧ୍ୟାନ ଦେଇ ନ ଥିବା ନେଇ କେତେଜଣ ପରୀକ୍ଷାର୍ଥୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି।

ସେମାନଙ୍କ କହିବାନୁଯାୟୀ ଏହିଭଳି ସମସ୍ୟା ଯୋଗୁଁ ଅନେକ ପରୀକ୍ଷାର୍ଥୀଙ୍କୁ ହଟହଟା ହେବାକୁ ପଡ଼ିବ। ଯେଉଁମାନେ ଫେବ୍ରୁଆରି ୧୯ରେ ଆଇଏଏସ୍‌ର ସାକ୍ଷାତ ପରୀକ୍ଷା ଦେବେ ସେମାନେ କିଭଳି ଭାବେ ଦୁଇଟି ପରୀକ୍ଷାକୁ ସମ୍ମୁଖୀନ ହେବେ ସେନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ଓପିଏସ୍‌ସି ପ୍ରିଲିମିନାରି ପରୀକ୍ଷାର ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ କେତେଜଣ ଆଶାୟୀ ଏସମ୍ପର୍କରେ ଓପିଏସ୍‌ସି ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ। ୨୦୧୬-୧୭ର ଚୂଡ଼ାନ୍ତ ଫଳ ପ୍ରକାଶ କରିବା ପରେ ୨୦୧୭-୧୮ର ପ୍ରିଲିମିନାରି ପରୀକ୍ଷା କରିବା ଲାଗି ଅନୁରୋଧ କରିଥିଲେ। ତଥାପି କୌଣସି ସୁଫଳ ମିଳିନି। ୟୁପିଏସ୍‌ସି ଢାଞ୍ଚାରେ ଗୋଟିଏ ବର୍ଷର ପରୀକ୍ଷାର ଚୂଡ଼ାନ୍ତ ଫଳ ପାଇବା ପରେ ଆଉ ଗୋଟିଏ ପରୀକ୍ଷା ଆରମ୍ଭ କରିବାକୁ ଆଶାୟୀ ପରୀକ୍ଷାର୍ଥୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର