ପୁଲିସ ଅଧିକାରୀଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଜଣେ ପୁଲିସ ଅଧିକାରୀଙ୍କୁ ଅପହରଣ କରିବା ପରେ ନକ୍ସଲ ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ଅନୁଯାୟୀ ପୁଲିସ ଏଏସଆଇ ସୀତାରାମ ବାକଡେ ଫରେସଗଡ ଠାରୁ ନିଜ ବାଇକରେ ଘରକୁ ଫେରୁଥିଲେ। କତଲାରାମ ନିକଟରେ ନକ୍ସଲ ଗୋଟିଏ ଯାତ୍ରୀବାହି ବସକୁ ନିଆଁ ଲଗାଉଥିବା ବେଳେ ସୀତାରାମଙ୍କୁ ଦେଖିଥିଲେ। ସେଠାରୁ ତାଙ୍କୁ ଅପହରଣ କରି ନେଇଯାଇ ନୃଶଂସ ଭାବେ ହତ୍ୟା କରିଥିଲେ। ସୀତାରାମ ବିଜାପୁରରେ ପୁଲିସ ଏଏସଆଇ ରୂପେ କାମ କରୁଥିଲେ। ଗତ ୫ ଦିନ ହେଲା ସେ ଛୁଟିରେ ଘରକୁ ଆସିଥିଲେ। ଆଜି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆସନ୍ତା ୫ ତାରିଖ ଦିନ ନକ୍ସଲ ଦଣ୍ଡକାରଣ୍ୟ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବସ୍ତର ଅଂଚଳରେ ନକ୍ସଲ ହିଂସାତ୍ମକ ହୋଇପଡିଛନ୍ତି। ଗତ ଦୁଇ ଦିନ ହେଲା ନକ୍ସଲଙ୍କ ଗଡ କୁହାଯାଉଥିବା ଦକ୍ଷିଣ ବସ୍ତରରେ ବହୁ ହିଂସା ଘଟାଇ ସାରିଲେଣି। ଗତକାଲି ରାତିରେ ଗୋଟିଏ ଯାତ୍ରୀ ବାହି ବସକୁ ନିଆଁ ଲଗାଇ ପୋଡି ଦେଇଥିବା ବେଳେ ଆଜି ଗୋଟିଏ ଜିପକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ପୁଣି ଏନଏମଡିସି କାର୍ଯ୍ୟାଳୟ ନିକଟରେ ନକ୍ସଲ ପହଞ୍ଚି ବିଦ୍ୟୁତ ଖୁଣ୍ଟ ପୋତୁଥିବା ଶ୍ରମିକଙ୍କୁ ମାଡ ମାରିଥିଲେ। ଲଗାତାର ଏହି ଅଂଚଳରେ ନକ୍ସଲ ଉତ୍ପାତ କରୁଥିବାରୁ ପୁଲିସ ଏବେ କମ୍ବିଂ ଅପରେସନକୁ ଜୋରଦାର କରିଛି।

ସମ୍ବନ୍ଧିତ ଖବର