କର୍କଟ ପୀଡ଼ିତ ସଞ୍ଜୀବଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ

ଜଳେଶ୍ବର: ଜଳେଶ୍ବର ବ୍ଲକ୍‌ ଅଧୀନ ରାୟାଁରାମଚନ୍ଦ୍ରପୁର ଗାଁ’ର ଖଗେନ୍ଦ୍ର ମାହାନାଙ୍କ ପୁଅ ସଞ୍ଜୀବ। ବୟସ ମାତ୍ର ୩୦। କର୍କଟ ରୋଗରେ ପୀଡ଼ିତ ହୋଇ ସଞ୍ଜୀବ ଏବେ ମୃତ୍ୟୁ ସହ ସଂଗ୍ର‌ାମ କରୁଛନ୍ତି। ଆଉ ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସଞ୍ଜୀବଙ୍କ କାନ ପାଖରେ ଦୀର୍ଘଦିନରୁ ଏକ ମାଂସ ବଢ଼ୁଥିଲା। ଔଷଧ ଖାଇବା ପରେ ତାହା ଭଲ ହୋଇଯାଇଥିଲା। ୨୦୨୦ ମସିହାରେ ତାଙ୍କର ବିବାହ ହେଲା। ଏବେ ତାଙ୍କର ୧୮ ମାସର ପୁଅ ଅଛନ୍ତି। କିନ୍ତୁ ବିବାହର ଦିନ କେଇଟା ପରେ ସଞ୍ଜୀବ କାନ ପାଖରେ ଏକ କ୍ଷତ ସୃଷ୍ଟି ହେଲା। ପରିବାର ଲୋକେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ନେବା ପରେ ସେ କର୍କଟ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। କର୍କଟ ରୋଗ କଥା ଶୁଣି ପରିବାର ଲୋକଙ୍କ ମୁଣ୍ଡ ଉପରେ ସତେଯେମିତି ଆକାଶ ଛିଡ଼ିପଡ଼ିିଲା।

ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଏହି ପରିବାର ବର୍ତ୍ତମାନସୁଦ୍ଧା ସଞ୍ଜୀବଙ୍କ ଚିକିତ୍ସା ପାଇଁ ଦୁଇ ଖଣ୍ଡ ପୈତୃକ ଜମି ବିକ୍ରି କରି ସାରିଛି। ସେହିପରି ପରିବାର ଲୋକ ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଋଣ ମଧ୍ୟ କରିଛନ୍ତି। ସଞ୍ଜୀବଙ୍କ କିଛି ବନ୍ଧୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ତେବେ ବର୍ତ୍ତମାନ ଅଧିକ ଚିକିତ୍ସା ପାଇଁ ପରିବାର ଲୋକଙ୍କ ପକ୍ଷେ ଆଉ ଅର୍ଥ ଯୋଗାଡ଼ କରିବା ସମ୍ଭବ ହେଉନାହିଁ। ସଞ୍ଜୀବଙ୍କ ବାପା ଜଣେ ମାନସିକ ଭିନ୍ନକ୍ଷମ ହୋଇଥିବା ବେଳେ ସଞ୍ଜୀବ ହିଁ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ପୁଣି ଏବେ ତାଙ୍କ ସାନ ଭଉଣୀ ବି ବିବାହ ଯୋଗ୍ୟା। ସେହିପରି ଘରର ଦୈନନ୍ଦିନ ଖର୍ଚ୍ଚ ମଧ୍ୟ ରହିଛି। ଏପରି ଅବସ୍ଥାରେ ଘୋର ମାନସିକ ଚିନ୍ତାରେ ଓ ଅତି ଦୟନୀୟ ଅବସ୍ଥାରେ ଦିନ ବିତାଉଥିବା ଏହି ପରିବାରକୁ ସରକାରୀ ସହାୟତା ଦେବାକୁ ଜଳେଶ୍ବରର ଟୁଇଟର୍‌ ମ୍ୟାନ୍‌ ଅଶୋକ କୁମାର ମହାନ୍ତି ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ନିବେଦନ କରିଛନ୍ତି। ସେହିପରି ସମାଜସେବୀ ଚନ୍ଦନ କୁମାର ପ୍ରଧାନ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର