ସୁରତରେ ହନ୍ତସନ୍ତ କେନ୍ଦ୍ରାପଡ଼ାର ଲକ୍ଷାଧିକ ଶ୍ରମିକ, ପ୍ରବାସୀଙ୍କୁ ଫେରାଇ ଆଣିବାରେ ପାତରଅନ୍ତର

କେନ୍ଦ୍ରାପଡ଼ା : ପ୍ରବାସୀଙ୍କୁ ଫେରାଇ ଆଣିବା ବ୍ୟବସ୍ଥାରେ ବି ପାତରଅନ୍ତର। ବାହାର ରାଜ୍ୟରେ ରହୁଥିବା କେନ୍ଦ୍ରାପଡାବାସିନ୍ଦାଙ୍କ ଦୁର୍ଦ୍ଦଶା ବଢୁଥିବାବେଳେ ଏଭଳି ବିବାଦ ଏବେ ମୁଣ୍ଡ ଟେକିଛି। ଗଂଜାମ ଜିଲ୍ଲାର ପ୍ରବାସୀଙ୍କୁ ଫେରାଇ ଆଣିବା ଦିଗରେ ଯେଭଳି ତତ୍ପରତା ପ୍ରକାଶ ପାଉଛି, ସରକାରୀ ସ୍ତରରେ କେନ୍ଦ୍ରାପଡ଼ା ଅଥବା ଅନ୍ୟ ଜିଲ୍ଲାର ପ୍ରବାସୀଙ୍କ ପାଇଁ ସେଭଳି ତତ୍ପରତା ଦେଖିବାକୁ ମିଳୁନାହିଁ। ଗୁଜରାଟର ସୁରଟରେ ରହୁଥିବା କେନ୍ଦ୍ରାପଡ଼ାର କିଛି ଲୋକ ଏହିଭଳି ଅଭିଯୋଗ ଆଣିଛନ୍ତି।

ଏହି ଅଭିଯୋଗ କିଛିଦିନ ତଳର ଏକ ଘଟଣାକୁ ମନେ ପକାଇଦେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ବାଜପୁର ଗ୍ରାମର ଗଙ୍ଗାଧର ବିଶ୍ବାଳ ହରିୟାନାଠାରେ ଆତ୍ମହତ୍ୟା କରିଥିଲେ। ଘରକୁ ଫେରିବା ପାଇଁ ଗଙ୍ଗାଧର ବାରମ୍ବାର ଗୁହାରି କରିଥିଲେ ମଧ୍ୟ ସରକାର ତାଙ୍କ ଦୁଃଖ ଶୁଣିନଥିଲେ। ଫଳରେ, ସେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। କେବଳ ଗଙ୍ଗାଧର ନୁହନ୍ତି; କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଶ୍ରମିକ ଘରକୁ ଫେରିବା ପାଇଁ ଦେଶରେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ଅଥଚ ସେମାନଙ୍କୁ ଅଣାଯିବା ଦିଗରେ ସେଭଳି ଠୋସ୍‌ ପଦକ୍ଷେପ ନିଆଯାଉନାହିଁ। ସୁରତରୁ ଗଞ୍ଜାମ ଜିଲ୍ଲାର ଲୋକଙ୍କୁ ଆଣିବା ସକାଶେ ଯେଭଳି ପ୍ରାଥମିକତା ଦିଆଯାଉଛି, ବାହାରେ ଫସି ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ପ୍ରବାସୀଙ୍କୁ ଗୁରୁତ୍ବ ଦିଆଯାଉ ନଥିବାରୁ ଏହି ପ୍ରସଙ୍ଗରେ ପକ୍ଷପାତ ଅଭିଯୋଗ ଆସିଛି। ପ୍ରବାସୀଙ୍କ ଏଭଳି ଅଭିଯୋଗ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ମଧ୍ୟ ହେବାରେ ଲାଗିଛି।

ସୂଚନା ଅନୁସାରେ, ରାଜ୍ୟରେ ଗଞ୍ଜାମରେ ସର୍ବାଧିକ ପ୍ରାୟ ୩ଲକ୍ଷ ପ୍ରବାସୀ ନାଁ ପଞ୍ଜୀକୃତ କରିଥିବା ବେଳେ କେନ୍ଦ୍ରାପଡ଼ାରେ ଏହି ସ˚ଖ୍ୟା ଲକ୍ଷେ ୨୦ହଜାରରୁ ଅଧିକ ବୋଲି କୁହାଯାଉଛି। ମାତ୍ର ୱେବ୍‌ସାଇଟ୍‌ ବନ୍ଦ ଥିବା ଆଳ ଦେଖାଇ ପ୍ରଶାସନ ଏଯାଏ ପ୍ରକୃତ ସଂଖ୍ୟା କହୁନାହାନ୍ତି। କିନ୍ତୁ ଆଜି ସଂଧ୍ୟା ସୁଦ୍ଧା ୭୭୩୬ପ୍ରବାସୀ କେନ୍ଦ୍ରାପଡ଼ାକୁ ଫେରିଥିବା ବେଳେ ଗ˚ଜାମରେ ଏହି ସ˚ଖ୍ୟା ୪୨ ହଜାର ଡେଇଁଗଲାଣି। ସାତ ପଛରେ ନାଁ ପଞ୍ଜୀକୃତ କରିଥିବା ଗଞ୍ଜାମ ଲୋକଙ୍କୁ ସରକାର ବିଭିନ୍ନ ଉପାୟରେ ନେଇ ଯାଉଥିବା ବେଳେ ଆମକୁ ହତାଦାର କରାଯାଉଥିବା କେନ୍ଦ୍ରାପଡ଼ାର ଅନେକ ପ୍ରବାସୀ ଅଭିଯୋଗ କରିଛନ୍ତି।

ସୁରତ୍‌ର ନିଲଗିର‌୍‌ ସର୍କଲ୍‌ର ଲିମ୍ବାୟତରେ ରହୁଥିବା ପ୍ରଫୁଲ୍ଲ ଦାସ କହିଛନ୍ତି ଯେ, ‘ ସେମାନେ ପ୍ରାୟ ୧୨୦୦ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକ ଘରକୁ ଫେରିବା ପାଇଁ ଅପେକ୍ଷା କରିଛି। ଗତ ୪ତାରିଖରୁ ନାଁ ପୂରଣ କରି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ ବି ସେମାନଙ୍କ କଥା ବିଚାରକୁ ନିଆଯାଉନାହିଁ। ହେଲେ ସେମାନଙ୍କ ବହୁ ପଛରେ ନାଁ ଦେଇଥିବା ବହୁ ଗ˚ଜାମର ଲୋକ ଘରକୁ ଗଲେଣି। ଏ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କଲା ବେଳକୁ ଓଡ଼ିଶାରୁ ଅନୁମତି ଆସିନଥିବା କହି ଅଧିକାରୀ ଫେରାଇ ଦେଉଛନ୍ତି।’ ସମାନ କଥା ଦୋହରାଇଛନ୍ତି ମନୋର˚ଜନ ସେନ୍‌। ମନୋରଂଜନ କହିଛନ୍ତି ଯେ, ‘ ପାଟକୁରା, ମହାକାଳପଡ଼ା, ଗରଦପୁର, ମାର୍ଶାଘାଇ ବ୍ଲକ୍‌ର ଲୋକମାନେ ସେଠାରେ ଅଛନ୍ତି। ୪ ତାରିଖରୁ ନାଁ, ଆଧାର କାର୍ଡ ଦାଖଲ କରିସାରିଲୁଣି। କିନ୍ତୁ ତାଲିକାରେ ନାଁ ଆସୁନାହିଁ। ପଚାରିଲେ ଓଡ଼ିଶା ସରକାର ଅନୁମତି ଦେଇନଥିବା କଥା କହୁଛନ୍ତି। ଆଉ କେତେଦିନ ଏମିତି ଭୋକ ଉପାସରେ ପଡ଼ି ରହିବୁ,’ ବୋଲି ଶ୍ରୀ ସେନ୍‌ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର