କରୋନା ଦେଖାଇବ ଆଉ କେତେ ଦୁଃଖର ଚିତ୍ର: ରୋଜଗାର ପାଇଁ ସୁରତ ଯାଇଥିଲେ ଭଗବାନ ନାୟକ, ଚାଲିଗଲା ଜୀବନ

ଭଗବାନ ନାୟକଙ୍କ ମୃତ୍ୟୁ ପରେ ଭଗବାନଙ୍କ ଭରସାରେ ପରିବାର 

ଭଞ୍ଜନଗର: ପେଟପାଟଣା ପାଇଁ ଭିଟାମାଟି ଛାଡି କାମ ଅନ୍ବେଷଣରେ ଯାଇଥିଲେ ସୁଦୂର ଗୁଜୁରାଟର ସୁରତ ସହରକୁ। ରୋଜଗାର କରି ଟଙ୍କା ପଠାଇବେ ପରିବାର ଏଠି ଚଳିବା ସହ ବାକି ଶୁଝିବେ। ହେଲେ ଅଚାନକ ଟଙ୍କା ବଦଳରେ ଆସିଲା ତାଙ୍କର ମୃତ୍ୟୁର ଖବର। ପାଦ ତଳୁ ଯେମିତି ମାଟି ଖସିଗଲା ପୂରା ପରିବାରର। ବେସାହାରା ପାଲଟି ଗଲେ ପୁରା ପରିବାର । ସ୍ବାମୀଙ୍କୁ ଝୁରି ଝୁରି ଆଖିରୁ ଲୁହ ଶୁଖୁନି ସ୍ତ୍ରୀର ଆଉ କିଛି ଦିନ ତଳେ ଦୀର୍ଘାୟରୁ ଆଶୀର୍ବାଦ ଦେଇ ବିଦାୟ ଦେଇଥିବା ବିଧବା ଜମାରୁ ବିଶ୍ବାସ କରିପାରୁନାହାନ୍ତି ପୁଅର ଏଭଳି ଅକାଳ ବିୟୋଗକୁ । ଏଭଳି କରୁଣ ଚିତ୍ର ଦ‌େଖିବାକୁ ମିଳିଛି ସୁରତକୁ କାମ ଅନେଷ୍ବଣରେ ଯାଇଥିବା ଭଗବାନ ନାୟକଙ୍କ ପରିବାର କ୍ଷେତ୍ରରେ।

ଗତ ସୋମବାର ଦିନ ହଠାତ୍‌ ସ୍ବାସ୍ଥ ଖରାପ ହୋବାରୁ ଭଗବାନ ନାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। କରୋନା କଟକଣା ପାଇଁ ଭିଟାମାଟିକୁ ଫେରିଥିବା ବ‌େଳେ ପରିବାରର ଅର୍ଥିକ ସ୍ଥିତିକୁ ନଜରରେ ରଖି ପୁଣି ଗତ କିଛି ଦିନ ତଳେ ସୁରତ ଫେରିଥିବା ଭଗବାନଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ପରିବାର ଭାଙ୍ଗିପଡିଛନ୍ତି। ଘରର ମୁରବିଙ୍କ ଅକାଳ ବି‌ୟୋଗ ପରେ ପରିବାର କିଭଳି ଚଳାଇବେ ଏବଂ ବାକି କିଭଳି ଶୁ‌ଝିବେ ସେ ଚିନ୍ତାରେ ରହିଛନ୍ତି ଭଗବାନଙ୍କ ସ୍ତ୍ରୀ।

ଭଗବାନଙ୍କ ପରିବାର କ‌ହିଲେ ଘରେ ବିଧବା ମାଆ, ସ୍ତ୍ରୀ ରମା ନାଇକ ଏବଂ ୩ଟି ପୁଅ ଗୋଟିଏ ଝିଅ। ଭଗବାନ ଦୀର୍ଘ ୨୦ ବର୍ଷ ହେବ ସୁରତରେ ରହି ସୂତାକଳରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତ୍ତମାନ ବଡପୁଅ  ସୁନୀଲକୁ(୧୮) ମଧ୍ୟ ସାଙ୍ଗରେ ନେଇ ଯାଇଥିଲେ। ମଝିଆ ପୁଅ ଅନିଲ (୧୫) ଓ ସାନ ପୁଅ ରବି(୧୨) ସ୍କୁଲ ବନ୍ଦ ରହିଥିବାରୁ ଘରେ ମା ସହ ରହିଛନ୍ତି। ଝିଅ ସୁଜ୍ଞାନୀକୁ ପ୍ରାୟ ଦେଢ ବର୍ଷ ତଳେ ବିବାହ କରାଇଥିବା ବେଳେ ବର୍ତ୍ତମାନ ସନ୍ତାନ ଜନ୍ମ କରିବାକୁ ଆସି ବାପା ଘରେ ରହିଛି। ନିଜର ସମ୍ପତି କହିଲେ ଝାଟିମାଟିର ଚାଳ ଘରକୁ ଛାଡିଦେଲେ ଜମି ଖଣ୍ଡିଏ ନଥିବାରୁ ସୁରତ ଯାଇ କାମ କରୁଥିଲେ। ସେଠାରେ ଗତ ମାର୍ଚ୍ଚ ପରଠାରୁ କରୋନା ପାଇଁ କାମ ଧନ୍ଦା ବନ୍ଦ ହେବାରୁ ଘରକୁ ଫେରି ଆସିଥିଲେ।

ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ସହ ଝିଆ ବାହାଘର ସମୟରେ ବାକି ହୋଇ ଯାଇଥିବାରୁ ସର୍ବଦା ଚିନ୍ତାରେ ରହୁଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ଲକ୍‌ଡାଉନ୍‌ରେ ରୋଜଗାର ହରାଇବା ସହ ପରିବାରର ଆର୍ଥିକ ଅନଟନ ବଢି ଯାଇଥିବାରୁ ବାଧ୍ୟ ହୋଇ ସେ ପୁଣି ସୁରତ ଫେରିଯିବା ପାଇଁ ନିଷ୍ପତି ନେଇଥିଲେ। ତେଣୁ କଟକଣା କ‌ୋହଳ ହେବା ପରେ ଗତମାସ ୨୪ ତାରିଖ ଦିନ ସାଙ୍ଗରେ ବଡପୁଅକୁ ଧରି ଟ୍ରେନ୍‌ ଯୋଗେ ସୁରତ ଚାଲି ଯାଇଥିଲେ। ଏହାପରେ ସୁରତର ବେଡ଼ ରୋଡରେ ଥିବା ଏକ କମ୍ପାନିରେ କାମ ଆରମ୍ଭ କରିଥିଲେ।କିଛିଦିନ କାମ କରିବା ପରେ ତାଙ୍କର ସ୍ବସ୍ଥ ଅସୁସ୍ଥ ହୋଇଥିଲା। ଡାକ୍ତରଖାନାରେ ଦେଖାଇ ସାମାନ୍ୟ ସୁସ୍ଥ ହୋଇଥିବା ବେଳେ ଗତ ସୋମବାର ଦିନ ପୁଣି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା ବ‌ୋଲି ପରିବାରଲୋକ ପ୍ରକାଶ କରିଛନ୍ତି।

ଏହି ଖବର ପରିବାର ଲୋକ ପାଇବା ପରେ ଦୁଃଖର ପାହାଡ ମୁଣ୍ଡ ଉପ‌ରେ ଛିଣ୍ଡି ଯାଇଥିଲା। ମୃତ‌ଦେହ ଏତେଦୂର ଆଣିନପାରି ବଡପୁଅ ସେଠାରେ ଅନ୍ତିମ ସଂସ୍କାର କରି ଅସ୍ତି ଧରି ଫେରୁଥିବା ଜଣାପଡିଛି। ତେବ‌େ ଏଭଳି ସ୍ଥିତିରେ ବିଧବା ମାଆ ଓ ପିଲା ମାନଙ୍କୁ ନେଇ ଆଗାମୀ ଦିନରେ କିଭଳି ଚଳିବେ ସେନେଇ ଚିନ୍ତାରେ ପଡିଛନ୍ତି ସ୍ତ୍ରୀ ରମା। ଭଲ ଘର ଖଣ୍ଡି‌ଏ ନଥିବା ବେଳେ ପରିବାର ପ୍ରତିପୋଷଣ କିଭଳି କରିବେ ସେନେଇ ଚିନ୍ତାରେ ପଡିଛନ୍ତି। ରୋଜଗାରିଆ ଘରର ମୁରବି ଚାଲିଯିବା ପରେ ପରିବାର ସଂପୂର୍ଣ୍ଣ ବେସାହାରା ପାଲଟି ଯାଇଛି। ତୁରନ୍ତ‌ ସେମାନଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଗାଲେରୀ ଅଞ୍ଚଳର ବିଶିଷ୍ଠ ସଙ୍ଗଠକ ସୂର୍ଯ୍ୟନାରାୟଣ ଶତପଥି କହିଛନ୍ତି।

ସମ୍ବନ୍ଧିତ ଖବର