ବିଧାନସଭା ସମାଚାର

୧୨ ବର୍ଷରେ ୯ ଠିକା‌ଦାର କଳା ତାଲିକାଭୁକ୍ତ ହୋଇଛନ୍ତି
ଭୁବନେଶ୍ବର : ୨୦୦୯-୧୦ରୁ ୨୦୨୦-୨୧ ମଧ୍ୟରେ ପୂର୍ତ୍ତ ବିଭାଗ ୪୭୩୮୮କୋଟି ୯୯ଲକ୍ଷ ୪୯ହଜାର ଟଙ୍କାର ପ୍ରକଳ୍ପ କରିବାକୁ ଖର୍ଚ୍ଚ ଆକଳନ କରିଥିବାବେଳେ ଏଥିପାଇଁ ୩୮୫୪୭କୋଟି ୧୧ଲକ୍ଷ ୨୫ହଜାର ଟଙ୍କା ଅନୁମୋଦନ ହୋଇଛି। ଏହି ସମୟରେ ୪୨୫୪ଟି ନୂତନ କୋଠା ନିର୍ମାଣ, ୪୭୦୩ଟି ରାସ୍ତାର ସମ୍ପ୍ରସାରଣ, ୭୭୩ଟି ବ୍ରିଜ୍ ନିର୍ମାଣ ହୋଇଛି।

ଏହାବାଦ୍ ୩ଲକ୍ଷ ୩୭ହଜାର ୫୭୫ଟି ପ୍ରକଳ୍ପର ମରାମତି ଓ ରକ୍ଷଣାବେକ୍ଷଣ କରାଯାଇଛି। ଏହି ୧୨ବର୍ଷରେ ୩ଲକ୍ଷ ୭ହଜାର ୧୩୬ଟି ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହୋଇଛି। ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ ହୋଇନଥିବାରୁ ୩୬୯୨ଜଣ ଠିକାଦାରଙ୍କୁ ଜରିମାନା‌ ହୋଇଛି। ୩୧୪୩ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିବାବେଳେ ୯ଜଣ ଠିକାଦାର/ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରାଯାଇଛି। ୩୯୨ଟି ପ୍ରକଳ୍ପ ପାଇଁ ପୁନଃ ଟେଣ୍ଡର ହୋଇଛି ବୋଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ବିଧାୟକ ନବ ଚରଣ ମାଝୀଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଗଞ୍ଜେଇ, ବ୍ରାଉନ୍‌ସୁଗାର କାରବାର; ୩ ବର୍ଷରେ ୧୬୭୯ ଗିରଫ
ଭୁବନେଶ୍ବର : ଗତ ୩ ବର୍ଷ ମଧ୍ୟରେ ଗଞ୍ଜେଇ ଓ ବ୍ରାଉନ୍‌ସୁଗାର କାରବାର ମାମଲାରେ ୧୬୭୯ ଜଣଙ୍କୁ ଗିରଫ କରାଯାଇଛି। ଏହି ସମୟ ଭିତରେ ୧୫ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଓ ୪୦ ହଜାର ୧୭୨କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ୨୦୧୮-୧୯ରେ ୪୫୭୧ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୭୮୪୪ କେ‌ଜି ଗଞ୍ଜେଇ ଜବତ ହୋଇଥିଲା। ୨୦୧୯-୨୦ ରେ ୨୯୬୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୮୫୨୬ କେ‌ଜି ଗଞ୍ଜେଇ, ୨୦୨୦-୨୧ରେ ୩୮୩୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୧୭,୦୨୧ କେ‌ଜି ଗଞ୍ଜେଇ ଏବଂ ୨୦୨୧-୨୨ରେ ୩୪୧୮ ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୬୭୭୯ କେ‌ଜି ଗଞ୍ଜେଇ ଜବତ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଏ ଯାଏ ୧୬ ଜଣଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି।

୧୧ଟି ଷ୍ଟିଲ୍‌ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଉନି
ଭୁବନେଶ୍ବର : ରାଜ୍ୟରେ ଏବେ ୫୦ଟି ‌ଷ୍ଟିଲ୍‌ ପ୍ଲାଣ୍ଟ ଥିବାବେଳେ ଏଥିରୁ ୩୯ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ଅଛି। ବିଭିନ୍ନ କାରଣରୁ ୧୧ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଉନି। ସେଗୁଡ଼ିକ ହେଲା ଆକ୍ସନ ଇସ୍ପାତ ଆଣ୍ଡ ପାୱାର ପ୍ରାଇଭେଟ୍ ଲିମିଟେଡ, ଆଧୁନିକ ମେଟାଲିକ୍ସ ଲିମିଟେଡ,ଦୀପକ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡ, ଜୈନ ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡ, ମାହେଶ୍ବରୀ ଇସ୍ପାତ ଲିମିଟେଡ, ମୈଥାନ ଇସ୍ପାତ ଲିମିଟେଡ, ଏମ୍‌ଏସ୍‌ପି ମେଟାଲିକ୍ସ ଲିମିଟେଡ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ, ଓଡ଼ିଶା ସ୍ପଞ୍ଜ୍ ଆଇରନ୍ ଆଣ୍ଡ ଷ୍ଟିଲ୍‌ ଲିମିଟେଡ, ରଥି ଷ୍ଟିଲ୍‌ ଆଣ୍ଡ ପାୱାର ଲିମିଟେଡ, ଏସ୍‌ଏମ୍‌ସି ପାୱାର ଜେନେରେସନ୍ ଲିମିଟେଡ୍‌। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହି ସୂଚନା ଦେଇଛନ୍ତି।

ପୂର୍ତ୍ତ ବିଭାଗରେ ୫୮୬ ଯନ୍ତ୍ରୀ ପଦବି ଖାଲି
ଭୁବନେଶ୍ବର : ପୂର୍ତ୍ତ ବିଭାଗରେ ୨୬୯୨ଟି ଯନ୍ତ୍ରୀ ପଦବି ଥିବାବେଳେ ଏବେ ୫୮୬ଟି ପଦବି ଖାଲି ପଡ଼ିଛି ବୋଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ୫ଟି ସର୍ବୋଚ୍ଚ ଯନ୍ତ୍ରୀ, ୧୩ଟି ମୁଖ୍ୟଯନ୍ତ୍ରୀ ପଦବି ଥିବାବେଳେ ଗୋଟିଏ ବି ଖାଲି ନାହିଁ। କିନ୍ତୁ ୧୧୭ଟି ଅଧୀକ୍ଷଣ ଯନ୍ତ୍ରୀ ପଦବିରୁ ୧୦୪ଟି, ୧୮୬ଟି ନିର୍ବାହୀ ଯନ୍ତ୍ରୀ ପଦବିରୁ ୫ଟି, ୬୬୯ଟି ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବିରୁ ୧୧୧ଟି, ୮୫୧ଟି ସହକାରୀ ଯନ୍ତ୍ରୀ ପଦବିରୁ ୧୯୭ଟି ଏବଂ ୮୫୧ଟି କନିଷ୍ଠ ଯନ୍ତ୍ରୀ ପଦବିରୁ ୧୬୯ଟି ଖାଲି ପଡ଼ିଛି।

କୋଭିଡ ମୁକାବିଲା ପାଇଁ ୧୦୪୦କୋଟି ଖର୍ଚ୍ଚ ହେଲାଣି
ଭୁବନେଶ୍ବର : ରାଜ୍ୟରେ କରୋନା ମୁକାବିଲା ପାଇଁ ଅଗଷ୍ଟ,୨୦୨୧ ସୁଦ୍ଧା ୧୦୪୦କୋଟି ୧୯ଲକ୍ଷ ୨୭ହଜାର ୬୦୫ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୩୮କୋଟି ୮୬ଲକ୍ଷ ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି। ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ଏହାସହ କୋରାପୁଟ ଜିଲ୍ଲାର ବିଧାୟକମାନଙ୍କ ପାଣ୍ଠିରୁ ମିଳିଥିବା ୭୭ଲକ୍ଷ ୩୮ହଜାର ୪୨୦କୋଟି ଟଙ୍କା ସହାୟତା ରାଶିରେ ଯେଉଁ ସାମଗ୍ରୀ କିଣାଯାଇଛି ସେଥିରେ କୌଣସି ଦୁର୍ନୀତିର ଗନ୍ଧ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ରାଜ୍ୟର ଋଣଭାର ୧୨୨୯୧୭କୋଟି ଟପିବ, ମୁଣ୍ଡ ପିଛା ଋଣ ୨୩୭୬୨ ଟଙ୍କା
ଭୁବନେଶ୍ବର : ରାଜ୍ୟର ଋଣ ଭାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ମାନିଛନ୍ତି।

ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି ଯେ, ମହାଲେଖାକାର, ଓଡ଼ିଶାଙ୍କ ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ ଚଳିତବର୍ଷ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୧୦୪୩୧୨.୧୨କୋଟି ଟଙ୍କା ଅଛି। ଯାହା ରାଜ୍ୟ ସକଳ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୧୭.୮୦% ଅଟେ। କିନ୍ତୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ‌ମୋଟ୍‌ ଋଣ ପରିମାଣ ୧୨୨୯୧୭.୨୫କୋଟି ‌ହେବ। ଅର୍ଥାତ୍ ୮ମାସରେ ଋଣ ଭାର ୧୮୬୦୫.୧୩କୋଟି ବଢ଼ିବ। ସେହିପରି ୨୦୧୧-୧୨ରେ ମୁଣ୍ଡ ପିଛା ଋଣ ଭାର ୯୧୪୪.୪୦ ଟଙ୍କା ଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ବଢ଼ିକି ୨୩୭୬୧.୮୩ ଟଙ୍କା ହୋଇଛି। ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୧୦ବର୍ଷରେ ୧୪୬୧୭.୪୩ ଟଙ୍କା ବଢ଼ିଛି।

ଜନସାଧାରଣଙ୍କ ହିତରେ ତିନି ବିଭାଗର ସଚିବଙ୍କ ବଦଳି ହେଉନି
ଭୁବନେଶ୍ବର : ବିଜୟ ଅରୋରା ସରକାରୀ ଉଦ୍ୟୋଗ ବିଭାଗର ସଚିବ ଭାବେ ୫ବର୍ଷରୁ ଅଧିକ ସମୟ ରହିଲେଣି। ଜି.ମାଥିଭାଥନନ୍ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସଂସଦୀୟ ବ୍ୟାପାର ବିଭାଗର ସଚିବ ଭାବେ ବି ୫ବର୍ଷରୁ ଅଧିକ ସମୟ ରହିଲେଣି।

ଏତେ ବର୍ଷ ଗୋଟିଏ ବିଭାଗରେ ରହିବା ପଛର କାରଣ ହେଲା ପ୍ରଶାସନିକ ଆବଶ୍ୟକତା ଓ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଉପରୋକ୍ତ ସଚିବମାନଙ୍କୁ ବିଭାଗରୁ ବଦଳି କରାଯାଇନି। ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତର।

ବିଧାୟିକା କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଏହାସହିତ ୧୨ଟି ବିଭାଗରେ ସ୍ଥାୟୀ ସଚିବ ନାହାନ୍ତି, କିନ୍ତୁ ଅନ୍ୟ ବିଭାଗର ସଚିବ ଏହି ବିଭାଗ ଦାୟିତ୍ବରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର