୨୫ରୁ ବିଧାନସଭା : ୨୭ରେ ଉପବାଚସ୍ପତି ନିର୍ବାଚନ, ୨୮ରେ ବଜେଟ୍‌, ମୋଟ୍‌ ୩୦ଟି କାର୍ଯ୍ୟଦିବସ

ଭୁବନେଶ୍ବର : ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ଏଥିରେ ମୋଟ୍‌ ୩୦ଟି କାର୍ଯ୍ୟଦିବସ ରହିଛି। ୨୭ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବ। ୨୮ରେ ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ।

୨୫ ତାରିଖରେ ରାଜ୍ୟପାଳ ଉଦ୍‌ବୋଧନରୁ ଅଧିବେଶନ ଆରମ୍ଭ ହେବ। ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ନେଇ ଘୋଷଣା ହେବ ଓ ୨୭ ତାରିଖରେ ନିର୍ବାଚନ ହେବ। ଶାସକ ବିଜେଡି ପକ୍ଷରୁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ବିଧାନସଭାରେ ଶାସକ ଦଳର ସଂଖ୍ୟା ଦୃଷ୍ଟିରୁ ଶ୍ରୀ ସିଂହ ନିର୍ବାଚିତ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ବିେରାଧୀ ଦଳ ପ୍ରାର୍ଥୀ ଦେବେ କି ନାହିଁ, ତାହା ଲକ୍ଷ୍ୟ କରିବା କଥା।

୨୮ ତାରିଖରେ ନୂଆ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ। ଗତ ଫେବ୍ରୁ୍ଆରି ମାସରେ ତତ୍‌କାଳୀନ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ, ଯେଉଁଥିରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବ୍ୟୟବରାଦ କରାଯାଇଥିଲା। ସାଧାରଣ ନିର୍ବାଚନ ଥିବାରୁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହୋଇପାରି ନ ଥିଲା।

୨୮ ତାରିଖ‌େର ବଜେଟ୍‌ ଉପସ୍ଥାପନ ହେଲା ପରେ ଅଗଷ୍ଟ ୧ ଓ ୨ ତାରିଖରେ ବଜେଟ୍‌ ଉପରେ ଆଲୋଚନା ହେବ। ଅଗଷ୍ଟ ୩ରୁ ୧୧ ତାରିଖ ଯାଏ ବିଧାନସଭା ବନ୍ଦ ରହିବ। ୧୨ ତାରିଖରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ସେହିଦିନ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ। ୧୫ ତାରିଖରୁ ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ ହେବ। ଜୁଲାଇ ୩୧ ତାରିଖରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ଅଧିବେଶନ ସମୟରେ ଅଗଷ୍ଟ ୩, ୬ ଓ ୮ ତାରିଖରେ ବେସରକାରୀ କାର୍ଯ୍ୟଦିବସ ରହିଛି।

ସମ୍ବନ୍ଧିତ ଖବର