ଧୋକା ଦେଉଛନ୍ତି ଔଷଧ କମ୍ପାନି : ‘ନିରାମୟ’ରେ ୩ ବର୍ଷରେ ୪୪ ଔଷଧ ନିମ୍ନ ମାନର

୧୫ କମ୍ପାନି କଳା ତାଲିକାଭୁକ୍ତ, ଔଷଧ ଯୋଗାଣ ବାଧାପ୍ରାପ୍ତ

ଭୁବନେଶ୍ୱର : ଧୋକା ଦେଉଛନ୍ତି ଔଷଧ କମ୍ପାନି। ରାଜ୍ୟ ଔଷଧ ନିଗମ ଜରିଆରେ ‘ନିରାମୟ’କୁ ଆସୁଥିବା ଔଷଧ ନିମ୍ନମାନର ବା ଏନ୍‌ଏସ୍‌କ୍ୟୁ ଥିବା ପରୀକ୍ଷାରେ ଜଣାପଡ଼ୁଛି। ପ୍ରତି ବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ରାଜ୍ୟରେ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଣ ବାଧାପ୍ରାପ୍ତ ହେଉଛି। ରାଜ୍ୟରେ ଅଧିକ ସଂଖ୍ୟାରେ ଔଷଧ ପ୍ରସ୍ତୁତକାରୀ କମ୍ପାନି ନ ଥିବା ବେଳେ ରାଜ୍ୟ ବାହାରର କମ୍ପାନି ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲେଣି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୫ରେ ରାଜ୍ୟ ଔଷଧ ଯୋଗାଣ ନିଗମ ବା ଓଏସ୍‌ଏମ୍‌ସିଏଲ ଆରମ୍ଭ ହୋଇଥିଲା। ୨୦୧୫/୧୬ବର୍ଷରେ ୧୦ଟି ନିମ୍ନମାନର ଔଷଧ ପରୀକ୍ଷାରେ ସ୍ପଷ୍ଟ ହୋଇଥିଲା। ୨୦୧୬/୧୭ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧୨ରେ ପହଞ୍ଚିଥିଲା। ତେବେ ୨୦୧୭/୧୮ରେ ଏହା ୯କୁ ଖସି ଆସିଥିଲା। ମାତ୍ର ଚଳିତ ବର୍ଷ ଅଗଷ୍ଟ ମଧ୍ୟରେ ୧୩ଟି ନିମ୍ନମାନର ଔଷଧ ପରୀକ୍ଷା ସମୟରେ ନଜରକୁ ଆସିଛି। ସମୁଦାୟ ୧୪୦ ବ୍ୟାଚ୍‌ର ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଔଷଧ ରାଜ୍ୟ ବାହାରର କମ୍ପାନି ଯୋଗାଇଛନ୍ତି। ନିକଟରେ ଗୁଜୁରାଟର ଏକ କମ୍ପାନି ନିମ୍ନମାନର ସାଲାଇନ୍‌ ରାଜ୍ୟକୁ ଯୋଗାଇଥିବା ନଜରକୁ ଆସିଥିଲା।

ଯେଉଁ କମ୍ପାନିମାନେ ନିମ୍ନମାନର ଔଷଧ ଦେଉଛନ୍ତି, ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ନିଗମର ନିୟମ ରହିଛି। ଯେଉଁ କମ୍ପାନିମାନଙ୍କର ଗୋଟିଏ ଔଷଧର ଏକାଧିକ ବ୍ୟାଚ୍‌ ନିମ୍ନମାନର ଆସିଲେ ସେହି ଔଷଧ ପାଇଁ କମ୍ପାନି କଳାତାଲିକାଭୁକ୍ତ ହୋଇଥାଏ। ଏହିପରି ୧୧ଟି କମ୍ପାନି କଳାତାଲିକାଭୁକ୍ତ ହୋଇଛନ୍ତି।

ସେହିପରି ଏକାଧିକ ଔଷଧ ନିମ୍ନମାନର ଥିବା ୪ଟି କମ୍ପାନିଙ୍କୁ କଳାତାଲିକାଭୁକ୍ତ କରାଯାଇଛି। ଏହି କମ୍ପାନିମାନେ ଆସନ୍ତା ୩ ବର୍ଷ ପାଇଁ ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ନାହିଁ। ଯେଉଁ କମ୍ପାନିମାନଙ୍କର ଗୋଟିଏ ଔଷଧ ନିମ୍ନମାନର ଆସୁଛି ସେହି କମ୍ପାନି ଉକ୍ତ ଔଷଧକୁ ଫେରାଇ ନେବା ସହିତ ଆଉ ଏକ ବ୍ୟାଚ୍‌ର ଔଷଧ ଯୋଗାଇବା ପାଇଁ ନିଗମର ସ୍ୱତନ୍ତ୍ର ନିୟମ ରହିଛି।

ନିଗମର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ‘ନିରାମୟ’ରେ ଦିଆଯାଉଥିବା ଔଷଧର ମାନ ନେଇ ପରୀକ୍ଷା କଡ଼ାକଡ଼ି କରାଯାଇଛି। ପୂର୍ବରୁ ନିଗମ ୪ଟି ଏନ୍‌ଏବିଏଲ୍‌ ପରୀକ୍ଷାଗାର ସହିତ ଅନୁବନ୍ଧିତ ହୋଇଥିବା ବେଳେ ଏବେ ତାହା ୧୨ରେ ପହଞ୍ଚିଛି। ଫଳରେ ଅଧିକରୁ ଅଧିକ ଔଷଧର ଯାଞ୍ଚ ହୋଇପାରୁଛି। ନିଗମକୁ କମ୍ପାନି ପକ୍ଷରୁ ଔଷଧ ଯୋଗାଣ ପରେ ତାହାକୁ ପରୀକ୍ଷା କରାଯାଉଛି। ଏହାସହ ଔଷଧ ଯୋଗାଣ ଚାଲିଥିବା ସମୟରେ ମଧ୍ୟ ପରୀକ୍ଷା କରାଯାଉଛି। ଔଷଧର ପରୀକ୍ଷା ପାଇଁ ମାସେ ସମୟ ଲାଗୁଥିବା ବେଳେ ନିମ୍ନମାନର ଔଷଧକୁ ଫେରାଇ ନେବା ପାଇଁ କମ୍ପାନିକୁ ୨ମାସ ସମୟ ଦିଆଯାଉଛି। ଯେଉଁ କମ୍ପାନି ଔଷଧ ଫେରାଇ ନେବାକୁ ଚାହୁ ନାହାନ୍ତି ନିଗମ ପକ୍ଷରୁ ସେହି ଔଷଧକୁ ନଷ୍ଟ କରି ଦିଆଯାଉଛି। ଏହାସହ ଯେଉଁ ଔଷଧ କମ୍ପାନିମାନେ କଳାତାଲିକାଭୁକ୍ତ ହେଉଛନ୍ତି, ଟେଣ୍ଡର୍‌ ସମୟରେ ଜମା ରଖୁଥିବା ଟଙ୍କାକୁ ବାଜ୍ୟାପ୍ତି କରାଯାଉଛି। ତେବେ ଔଷଧର ପରୀକ୍ଷା ପାଇଁ ରାଜ୍ୟ ବାହାରର ପରୀକ୍ଷାଗାର ଓ ନିମ୍ନମାନର ସ୍ପଷ୍ଟ ହେବା ପରେ ଔଷଧ ଫେରାଇବା ପ୍ରକ୍ରିୟା ଯୋଗୁଁ ଔଷଧ ଯୋଗାଣ ବାଧାପ୍ରାପ୍ତ ହେଉଛି। ଫଳରେ ଡାକ୍ତରଖାନାରେ ଅନେକ ସମୟରେ ଆବଶ୍ୟକ ଔଷଧ ମିଳୁନାହିଁ।

କର୍କଟ ଔଷଧ ପାଇଁ କୌଣସି ପ୍ରକାର ସମସ୍ୟା ନ ଥିବା ବେଳେ ଅନ୍ୟ ସାଧାରଣ ଔଷଧ ପାଇଁ ଏହି ସମସ୍ୟା ଦେଖାଯାଉଛି। ରାଜ୍ୟରେ ଯେଉଁ ଔଷଧ ପ୍ରସ୍ତୁତକାରୀ କମ୍ପାନି ରହିଛନ୍ତି ସେମାନେ ସର୍ବାଧିକ ୨୦/୨୫ ପ୍ରକାରର ଔଷଧ ଯୋଗାଉଛନ୍ତି। ଫଳରେ ରାଜ୍ୟ ବାହାରର ଔଷଧ କମ୍ପାନିମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର