ରାଜ୍ୟପାଳ ଫେରାଇଲେ ଓଡ଼ିଶା ଭୂତଳ ଜଳ ବିଲ୍ : ମୌସୁମୀ ଅଧିବେଶନରେ ଆଉ ଥରେ ଉପସ୍ଥାପନ ହେବ, ପୂର୍ବରୁ ଆପତ୍ତି ଜଣାଇ ସଂଶୋଧନ ପାଇଁ ପରାମର୍ଶ ଦେଇଥିଲେ
ଏପ୍ରିଲରେ କ୍ୟାବିନେଟ୍ ସଂଶୋଧନକୁ ଅନୁମୋଦନ ମିଳିଥିଲା
ଭୁବନେଶ୍ୱର : ଓଡ଼ିଶା ଭୂତଳ ଜଳ(ନିୟାମକ, ବିକାଶ ଓ ପରିଚାଳନା) ବିଲ୍ ୨୦୧୧ରେ ରାଷ୍ଟ୍ରପତି ଉଠାଇଥିବା ଆପତ୍ତିକୁ ରାଜ୍ୟ ସରକାର ମାନି ନେଇଛନ୍ତି। ନିୟମ ଅନୁସାରେ ବିଲ୍ଟି ପୁଣି ଥରେ ବିଧାନସଭାରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯିବ। ଏଥିପାଇଁ ପୁରୁଣା ବିଲ୍ଟିକୁ ଆବଶ୍ୟକ ସଂଶୋଧନ ପାଇଁ ରାଜ୍ୟପାଳ ବିଧାନସଭାକୁ ଫେରାଇ ଦେଇଥିବା ଜଣାପଡିଛି। କେବଳ ସେତିକି ନୁହେଁ, ମୌସୁମୀ ଅଧିବେଶନରେ ଏହି ବିଲ୍କୁ ସଂଶୋଧନ କରି ପଠାଇବା ପାଇଁ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଲେଖି ଜଣାଇଥିବା ସୂଚନା ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ୨୦୧୨ ଡିସେମ୍ବର ୫ ତାରିଖରେ ଓଡିଶା ଭୂତଳ ଜଳ ପରିଚାଳନା ଓ ଉନ୍ନତୀକରଣ ବିଲ୍ ୨୦୧୧ ଓଡିଶା ବିଧାନସଭାର ମଂଜୁରି ଲାଭ କରିଥିଲା। ପରେ ଏହି ବିଲ୍ଟି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୫ ଜାନୁଆରି ୨୦ ତାରିଖରେ ବିଲ୍ଟି ଉପରେ ଆପତ୍ତି ଉଠାଇ ପୁଣି ଥରେ ବିଚାର ପାଇଁ ଫେରାଇ ଦେଇଥିଲେ। କୁହାଯାଇଥିଲା, ଏହି ବିଲର ଧାରା ୧୨ ଅନ୍ତର୍ଗତ ଉପଧାରା ୨ ଏବଂ ଧାରା ୧୯ର ଉପଧାରା ୪ରେ ତ୍ରୁଟି ରହିଛି। ଓଡିଶା ବିଧାନସଭାକୁ ଆସିଥିବା ଚିଠି ଅନୁଯାୟୀ ଏହି ଦୁଇଟି ଧାରା ଇଲେକ୍ଟ୍ରିସିଟି ଆଇନ ୨୦୦୩ର ବିରୋଧାଚରଣ କରୁଛି। ତେଣୁ ଏଥିରେ ଆବଶ୍ୟକ ସଂଶୋଧନ ଆବଶ୍ୟକ।
ମିଳିଥିବା ସୂଚନା ଅନୁସାରେ, ୨୦୧୮ ଏପ୍ରିଲ ୨୭ ତାରିଖରେ କ୍ୟାବିନେଟ୍ ରାଷ୍ଟ୍ରପତିଙ୍କ ପରାମର୍ଶକୁ ଗ୍ରହଣ କରିଥିଲେ ଓ ମୂଳ ବିଲ୍ରେ ସଂଶୋଧନ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା।
କ୍ୟାବିନେଟ୍ ନିଷ୍ପତ୍ତି ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗତ ୧୮ ତାରିଖ ଦିନ ଓଡିଶା ବିଧାନସଭା ସଚିବଙ୍କୁ ବିଲରେ ଆବଶ୍ୟକ ସଂଶୋଧନ କରି ପୁଣି ଥରେ ବିଧାନସଭାରେ ଉପସ୍ଥାପିତ କରିବାକୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ବିଲକୁ ରାଜ୍ୟପାଳଙ୍କ ଜରିଆରେ ପଠାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଓଡିଶା ଭୂତଳ ଜଳ ବିଲ ୨୦୧୧ର ଧାରା ୧୨ ଉପଧାରା ୨ରେ ବ୍ୟବସ୍ଥା ରହିଛି ଯେ ଏହାର ଉଲଂଘନ କରି ଭୂତଳ ଜଳ ବ୍ୟବହାର କଲେ, ଜଳ ଉତ୍ତୋଳନ ସହ ବିଦ୍ୟୁତ ସଂଯୋଗ ଛିନ୍ନ ହେବ। ଭୂତଳ ଜଳ ଉତ୍ତୋଳନ ପାଇଁ ହୋଇଥିବା ହାଇଡ୍ରୋଲିକ ନିର୍ମାଣକୁ ଭାଙ୍ଗିଦିଆଯିବ।
ସେହିପରି ଧାରା ୧୯ରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ୫ ଲକ୍ଷରୁ ଉର୍ଦ୍ଧ୍ଵ ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳରେ ୨୦୦ ବର୍ଗ ମିଟର କିମ୍ବା ୩ ମହଲା ବିଶିଷ୍ଟ କୌଣସି ନିର୍ମାଣକୁ ଅନୁମତି ଦିଆଯିବା ପୂର୍ବରୁ ଭୂତଳ ଜଳ ପରିଚାଳନା ବ୍ୟବସ୍ଥାକୁ ବାଧ୍ୟତାମୂଳକ। ଏପରିକି ୨୦୦ ବର୍ଗ ମିଟରରୁ ଅଧିକ ଅଂଚଳରେ ନିର୍ମିତ ହେବାକୁ ଥିବା କୋଠା ପାଇଁ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ବାଧ୍ୟତାମୂଳକ। ଏହି ସବୁ ବ୍ୟବସ୍ଥା ଗ୍ରହଣ କରିଥିବା କୌଣସି ନୂଆ ନିର୍ମାଣ କିମ୍ବା ପୂରୁଣା ନିର୍ମାଣର ବିଦ୍ୟୁତ ଓ ଜଳ ସଂଯୋଗକୁ ସ୍ଥାୟୀ କରିବା ପୂର୍ବରୁ ସ୍ଥାନୀୟ ଅଧିକାରୀଙ୍କ ଠାରୁ ଭୂତଳ ଜଳ ସଂରକ୍ଷଣ ସଂପର୍କିତ ଏନଓସି ଗ୍ରହଣ କରାଯିବ। ଏହି ଦୁଇଟି ବ୍ୟବସ୍ଥା ଇଲେକଟ୍ରିସିଟି ଆଇନ ୨୦୦୩ର ଧାରା ୪୩ ଓ ୫୬ର ବିରୋଧାଚରଣ କରୁଥିବାରୁ ରାଜ୍ୟପାଳ ବିଲଟିକୁ ଫେରାଇ ଦେଇଥିବା ସୂଚନା ମିଳିଛି।