ସାଇବର୍ ଠକେଇରେ ଓଡ଼ିଶା ଦେଶରେ ନବମ: ଜୁନ୍‌ ମାସରେ ରାଜ୍ୟରୁ ୨୫୯ ଜଣ ଠକାମିର ଶିକାର

ଗୃହ ମନ୍ତ୍ରଣାଳୟ ସ୍କାନର୍‌ରେ ୩୫୦ ସାଇବର୍ ଲୁଟେରା

ଭୁବନେଶ୍ବର: ସାରା ଦେଶରେ ଏବେ ସାଇବର ଅପରାଧୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ମୁହୂର୍ତ୍ତକରେ ଲୁଟି ନେଉଛନ୍ତି କୋଟିକୋଟି ଟଙ୍କା। ଏମିତି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସାଇବର ଠକଙ୍କ କାରନାମା ବଢ଼ିବଢ଼ି ଚାଲିଛି। ସ‌ାଇବର ଠକେଇରେ ପଶ୍ଚିମବଂଗ ଏବେ ଶୀର୍ଷରେ ଥିବାବେଳେ ଓଡ଼ିଶା ନବମ ସ୍ଥାନରେ ଥିବା ଜଣାପଡ଼ିଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୩ମାସ ମଧ୍ୟରେ ଓଡ଼ିଶାରୁ ସାଇବର ଠକମାନେ ମୋଟ ୯୬ଲକ୍ଷରୁ ଅଧିକ ଟଙ୍କା ଲୁଟିଛନ୍ତି। କେବଳ ଜୁନ୍ ମାସରେ ଫୋନ୍ ମାଧ୍ୟମରେ ସାଇବର୍ ଠକ ରାଜ୍ୟରେ ୯୭୬ଜଣଙ୍କୁ ଠକିବାକୁ ଉଦ୍ୟମ କରିଥିବା ବେଳେ ୨୫୯ ଜଣ ଠକାମିର ଶିକାର ହୋଇଛନ୍ତି। ଜୁନରେ ଠକମାନେ ଓଡ଼ିଶାରୁ ୭୯ହଜାର ୯୯୬ ଟଙ୍କା ଲୁଟି ନେଇଥିବାବେଳେ ଗତ ୫ମାସରେ ମୋଟ ଲୁଟର ପରିମାଣ ୭ଲକ୍ଷ ୬୨ହଜାର ୩ଶହ ୭୧ଟଙ୍କା ବୋଲି ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୭୭ଟି ଲ’ ଏନ୍‌ଫୋର୍ସମେଣ୍ଟ୍ ଏଜେନ୍ସି ୟୁଜର୍ ସକ୍ରିୟ ହୋଇ ସାଇବର୍ ଠକଙ୍କୁ ଧରିବା ପାଇଁ କାର୍ଯ୍ୟ କରୁଛନ୍ତି। ଏହି ୭୭ ଏଲ୍‌ଇଏ ୟୁଜର୍‌ଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଲିକାଭୁକ୍ତ କରିଥିବା ଜଣାପଡ଼ିଛି। ଏ ନେଇ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଏପ୍ରିଲ୍ ମାସରେ ସାଧାରଣତଃ ଆର୍ଥିକ ବର୍ଷର ଆରମ୍ଭ ହେଉଥିବାରୁ ସର୍ବାଧିକ ସାଇବର ଠକେଇ ଦେଖିବାକୁ ମିଳିଥାଏ। କାରଣ ବ୍ୟାଙ୍କ୍‌ରେ ଅନେକ ଆକାଉଣ୍ଟ୍ ବନ୍ଦ ହୁଏ ଓ କିଛି ନୂଆ ଖୋଲିଥାଏ। ଏହାକୁ ସାଇବର ଠକମାନେ ଟାର୍ଗେଟ୍ କରନ୍ତି। ବ୍ୟାଙ୍କ୍‌ରୁ ଡାଟାବେସ୍ ଲିକ୍ କରିବା ପରେ ସଂପୃକ୍ତ ଲୋକଙ୍କୁ ଫୋନ୍ କରି ବିଭିନ୍ନ ଆଳ ଦେଖାଇ ଲୁଟ୍ କରନ୍ତି। ସେଥିପାଇଁ ଏପ୍ରିଲ୍ ଓ ମେ’ ମାସରେ ସାଇବର ଠକେଇର ଅଭିଯୋଗ ଅଧିକ ଥାଏ।

ତଥ୍ୟରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ସର୍ବାଧିକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରତିମାସରେ ପ୍ରାୟ ୬ହଜାର ଲୋକେ ସାଇବର ଠକେଇର ଶିକାର ହେଉଥିବା ବେଳେ ସର୍ବନିମ୍ନ ଭାବେ ପଂଜାବ ନ୍ୟାସନାଲ୍ ବ୍ୟାଙ୍କ୍‌ର ପ୍ରାୟ ୬ଶହ ଲୋକ ପ୍ରତି ମାସ ଠକେଇର ଶିକାର ହେଉଛନ୍ତି। ଗୃହ ମନ୍ତ୍ରଣାଳୟର ଟାର୍ଗେଟ୍‌ରେ ଏବେ ବିଭିନ୍ନ ରାଜ୍ୟରୁ ମୋଟ ୩୫୦ ସାଇବର୍ ଠକ ଅଛନ୍ତି। ଯେଉଁଥିରୁ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ରାଜ୍ୟରେ ସର୍ବାଧିକ ହ୍ୟାକର୍ ଥିବା ଜଣାପଡ଼ିଛି। ତାଲିକାଭୁକ୍ତ ସାଇବର ଠକଙ୍କ ମଧ୍ୟରୁ ଅନେକ ଗିରଫ ହୋଇସାରିଥିବା ବେଳେ ଆହୁରି ଅନେକ ଠକ ଲୁଚି ରହିଛନ୍ତି। ଗତ ମାସରେ ବିଭିନ୍ନ ରାଜ୍ୟରୁ ୩୦ରୁ ଅଧିକ ସାଇବର ଠକଙ୍କୁ ପୁଲିସ୍ ଗିରଫ କରିଥିବାରୁ ଏଥର ଠକେଇ କିଛିଟା କମିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଶା ପ୍ରକାଶ କରିଛି।

ସମ୍ବନ୍ଧିତ ଖବର