ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହେବ ମହାପ୍ରୟାଣ ଗାଡ଼ି, ଓମ୍‌ସାକୁ ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବା ସିଏଚ୍‌ସିଗୁଡ଼ିକରେ ମହାପ୍ରୟାଣ ଗାଡ଼ି ଉପଲବ୍ଧ ହେବ। ଜନସ୍ବାର୍ଥକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସାର ସଭାପତି ଡା. ନିରାକାର ଭଟ୍ଟ। ଏବେ କେବଳ ଜିଲ୍ଲାସ୍ତରରେ ମହାପ୍ରୟାଣ ଗାଡ଼ି ଉପଲବ୍ଧ ହେଉଛି। ଓମ୍‌ସା ପକ୍ଷରୁ ଗତକାଲି ବିଭିନ୍ନ ଦଫା ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ବିଶେଷକରି ଚତୁର୍ଥ ଡିଏସିପି ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ୩ଟି ସ୍ତରର ଡିଏସିପି ପ୍ରଦାନ କରିଥିବା ବେଳେ କେନ୍ଦ୍ର ସରକାର ୪ଟି ସ୍ତର ପ୍ରଦାନ କରିସାରିଛନ୍ତି। ତେଣୁ ରାଜ୍ୟ ସରକାର ମଧ୍ୟ ଏହାକୁ ପ୍ରଦାନ କରନ୍ତୁ ବୋଲି ସଂଘ ପକ୍ଷରୁ ଦାବି ହୋଇଛି। ଅସ୍ଥାୟୀ ଡାକ୍ତରଙ୍କ ଚାକିରିକୁ ନିୟମିତ କରିବା, ଜନସଂଖ୍ୟାକୁ ନଜରରେ ରଖି କ୍ୟାଡର୍‌ ପୁନର୍ଗଠନ ସହିତ ନୂତନ ଡାକ୍ତର ନିଯୁକ୍ତି, ଡାକ୍ତରଙ୍କ ଅବସର ବୟସସୀମା ୬୨ବର୍ଷରୁ ୬୫ବର୍ଷକୁ ବୃଦ୍ଧି କରା ନଯିବା, ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଆଇସିୟୁ ଓ ୨୪ଘଣ୍ଟିଆ ଜରୁରୀକାଳୀନ ଚିକିତ୍ସା, ସ୍ବାସ୍ଥ୍ୟ ନୀତି ପ୍ରଣୟନରେ ଓମ୍‌ସାର ଭୂମିକା ସଂପର୍କରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ସଂଘର ରାଜ୍ୟ ସଂପାଦକ ଡା. ପୁଣ୍ୟଶ୍ଲୋକ ଦାସ, ଡା.ଲଲାଟେନ୍ଦୁ ନାୟକ, ପବିତ୍ର ମୋହନ ମଲ୍ଲିକ, ଜ୍ୟୋତିର୍ମୟ ନାୟକ, ଅଶୋକ କୁମାର କର, ପ୍ରଦ୍ୟୁମ୍ନ କର ଓ ଅନ୍ୟମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର