ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପରିସରରେ ଆଜିଠାରୁ ଆରମ୍ଭ ହେବ ଓଡ଼ିଶା ପରିବେଶ କଂଗ୍ରେସ-୨୦୧୯

ଭୁବନେଶ୍ବର : ଓଡ଼ିଶା ପରିବେଶ କଂଗ୍ରେସର ୧୦ମ ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପରିସରରେ ତିନି ଦିନି ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ‘ଖଣି ଓ ପରିବେଶ’। ଅନେକ କ୍ଷେତ୍ରରେ ଖଣି ରାଜ୍ୟର ବିକାଶ ବଦଳରେ ବିନାଶର କାରଣ ହୋଇଛି। ବିଶେଷକରି ପରିବେଶ ଉପରେ ପଡ଼ୁଥିବା ଏହାର ପ୍ରଭାବ ସଂପର୍କରେ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯିବ। ରାଜ୍ୟ ଓ ରାଜ୍ୟ ବାହାରୁ ୩୦ଜଣ ଗବେଷକଙ୍କ ପ୍ରବନ୍ଧ ସବୁକୁ ସଂପାଦିତ କରାଯାଇ ଏକ ପୁସ୍ତକ ପ୍ରକାଶ କରାଯିବ। ଏହି ତିନିଦିନିଆ କାର୍ଯ୍ୟକ୍ରମରେ ଉକ୍ତ ପୁସ୍ତକର ସାରାଂଶ ଉପରେ ଆଲୋଚନା କରାଯିବ। ସେହିପରି ‘ଦାୟିତ୍ବସମ୍ପନ୍ନ ଖଣି ଖନନ ଓ ଖଣି ଶିଳ୍ପ’ ଓ ‘ଭୁକ୍ତଭୋଗୀଙ୍କ ସ୍ବର’ ଶୀର୍ଷକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ପରିବେଶ କଂଗ୍ରେସର କାର୍ଯ୍ୟକାରୀ ସଂପାଦକ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି। ପ୍ରକାଶ ଥାଉକି, ଏଚ୍‌ଡିଏଫ୍‌-ସିଡିଏଆର୍‌, ସିଇଡି, ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ, ଜାଭିୟର୍‌ ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା ପରିବେଶ ସମିତିର ମିଳିତ ଆନୁକୂଲ୍ୟରେ ଓଡ଼ିଶା ପରିବେଶ କଂଗ୍ରେସ ଗତ ୯ ବର୍ଷ ଧରି ଆୟୋଜିତ ହୋଇଆସୁଛି।

ସମ୍ବନ୍ଧିତ ଖବର