ଓଡ଼ିଶାର ଛାତ୍ରମାନେ ଇ-ଆବର୍ଜନାରୁ ତିଆରି କରିଛନ୍ତି ୩୦ଫୁଟ ଉଚ୍ଚର ‘ରୋବୋ’

ଗଞ୍ଜାମ: ଓଡ଼ିଶାର ବ୍ରହ୍ମପୁର ସହରର ଏକ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରମାନେ ପରିବେଶକୁ ଇ-ବର୍ଜ୍ୟବସ୍ତୁରୁ ରକ୍ଷା କରିବା ପାଇଁ ନୂଆ ପ୍ରୟାସ ଆରମ୍ଭ କରିଛନ୍ତି।

ନିକଟରେ ସେମାନେ ଇ- ଆବର୍ଜନାକୁ ସଂଗ୍ରହ କରି ତିଆରି କରିଛନ୍ତି ଏକ ରୋବୋଟ। ଏହି ରୋବୋଟ ପରିବେଶକୁ ଏକ ନୂଆ ବାର୍ତ୍ତା ଦେଉଛି। ଏଥିରେ ଖରାପ ହୋଇଯାଇଥିବା ଇଲେକ୍ଟ୍ରୋନିକ୍ ଖେଳନା, ପିସିବି, ପ୍ରିଣ୍ଟର୍, ପ୍ରିଣ୍ଟର୍ କାର୍ଟ୍ରିଜ୍, ଆରଏଏମ, କିବୋର୍ଡ୍ ଏବଂ ମାଉସ୍ ଭଳି ଇଲେକ୍ଟ୍ରୋନିକ୍ ଆବର୍ଜନା ଖଞ୍ଜା ଯାଇଛି । ଏହି ରୋବୋଟ ଦେଶର ସବୁଠାରୁ ଉଚ୍ଚ ଇ-ଆବର୍ଜନା ମୂର୍ତ୍ତି ବୋଲି ଅଧିକାରୀମାନେ କହିଛନ୍ତି।

୩୦ ଫୁଟ ଉଚ୍ଚ ‘ରୋ‌ବୋ ‘ର ଓଜନ ୩ ଟନ୍ ରହିଥିବା ବେଳେ ଏହାକୁ ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରିଣ୍ଟର ଟ୍ରେଡର ତାଲିମ ପ୍ରାପ୍ତ ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ରୋବଟ ପାଇଁ ଇ-ଆବର୍ଜନା ବ୍ରହ୍ମପୁର ସହରରୁ ସଂଗ୍ରହ କରାଯାଇଥିଲା ।

ଆଇଟିଆଇ ବ୍ରହ୍ମପୁରର ପ୍ରିନ୍ସପାଲ ଡକ୍ଟର ରଜତ କୁମାର ପାଣିଗ୍ରାହୀ କହିଛନ୍ତି,ବର୍ତ୍ତମାନର ଯୁଗରେ ଇ-ଆବର୍ଜନା ଉତ୍ପାଦନ ବହୁତ ଅଧିକ ରହିଛି। ତମ୍ବା, ତରଳ ସ୍ଫଟିକ୍, ଲିଥିୟମ୍, ମର୍କୁର, ନିକେଲ୍, ସେଲେନିୟମ୍, ଆର୍ସେନିକ୍ ଏବଂ ବାରିୟମରୁ ଅନେକ ବିଷାକ୍ତ ପଦାର୍ଥ ବାହାରିଥାଏ। ତେବେ ଏତଦ ଦ୍ବାରା ଲୋକଙ୍କୁ ସୂଚନା ଦିଆଯାଉଛି ଯେ ଏଭଳି ବର୍ଜ୍ୟବସ୍ତୁକୁ ନଫିଙ୍ଗି ତାହାକୁ ଏପରି କିଛି ମୂର୍ତ୍ତି ତିଆରି କଲେ ପରିବେଶର ସୁରକ୍ଷା ହେବ। ତେବେ ଇ-ଆବର୍ଜନାର ସଠିକ୍ ପରିଚାଳନା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ରୋବୋ ଏକ ପ୍ରୟାସ ବୋଲି କୁହାଯାଉଛି।ଯେତେବେଳେ ଇ-ଆବର୍ଜନା ସଠିକ୍ ଭାବରେ ପରିଚାଳିତ ହୁଏ ନାହିଁ, ସେତେବେଳେ ବାୟୁ ଏବଂ ଜଳ ପ୍ରଦୂଷଣର ଆଶଙ୍କା ଯଥେଷ୍ଟ ଅଧିକ ହୋଇଯାଏ ବୋଲି ପାଣିଗ୍ରାହୀ କହିଛନ୍ତି।

ସମ୍ବନ୍ଧିତ ଖବର