ଲଘୁଶସ୍ୟ ମିସନ୍‌ ପାଇଁ ୧୦୦ କୋଟି

୧୧ଟି ଜିଲ୍ଲାକୁ ସମ୍ପ୍ରସାରଣ ହେବ ମିସନ୍‌
ରାଜଧାନୀରେ ବିକ୍ରି ହେବ ଲଘୁ ଉତ୍ପାଦ ଖାଦ୍ୟ

ଭୁବନେଶ୍ୱର : ଓଡ଼ିଶା ଲଘୁଶସ୍ୟ ମିସନ୍‌ର ସମ୍ପ୍ରସାରଣ କରାଯିବ। ଏଥି ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରାଜ୍ୟର ୭ଟି ଜିଲ୍ଲାର ୩୦ଟି ବ୍ଲକ୍‌ରେ ଓଡ଼ିଶା ଲଘୁ ଶସ୍ୟ ମିସନ୍‌ ଏକ ପାଇଲଟ୍‌ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ ହେଉଛି। ଏହାକୁ ବର୍ତ୍ତମାନ ୧୧ଟି ଜିଲ୍ଲାର ୫୫ଟି ବ୍ଲକ୍‌ରେ କାର୍ଯ୍ୟକାରୀ କରାଯିବ।

ଆଜି ସଚିବାଳୟରେ ଲଘୁଶସ୍ୟ ମିସନ୍‌ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ, ରାଜ୍ୟ ସରକାର ଲଘୁ ଶସ୍ୟ ଅମଳ କରୁଥିବା ଚାଷୀମାନଙ୍କ ଠାରୁ ଉଚିତ ମୂଲ୍ୟ ବଦଳରେ ଖାଦ୍ୟଶସ୍ୟ ସଂଗ୍ରହ କରିବେ। ଏହାକୁ ବିଭିନ୍ନ ପୁଷ୍ଟି ସୁରକ୍ଷା ଯୋଜନାରେ ସାମିଲ୍‌ କରାଯିବ। ଏହା ଦ୍ୱାରା ରାଜ୍ୟର ସ୍ୱଳ୍ପ ବୁଷ୍ଟିପାତ ଅଞ୍ଚଳର ୫ ଲକ୍ଷ ଚାଷୀ ବିଶେଷତଃ ଜନଜାତି ବହୁଳ ଜିଲ୍ଲାଗୁଡ଼ିକର ଚାଷୀମାନେ ଉପକୃତ ହେବେ ଓ ପୁଷ୍ଟି ସୁରକ୍ଷା କ୍ଷେତ୍ରରେ ବହୁତ ଉନ୍ନତି ଆସିପାରିବ। ଲଘୁ ଶସ୍ୟଗୁଡ଼ିକ ହେଉଛି ଜନଜାତି ବହୁଳ ଅଞ୍ଚଳର ମୁଖ୍ୟ ପୁଷ୍ଟିକର ଖାଦ୍ୟ। ସ୍ୱଳ୍ପ ବୁଷ୍ଟିପାତ ଅଞ୍ଚଳରେ ଏହା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଦ୍ୱାରା ଚାଷ କରାଯାଏ।

ସୂଚନାଯୋଗ୍ୟ ଯେ ଲଘୁ ଶସ୍ୟରେ କ୍ୟାଲ୍‌ସିୟମ୍‌, ଲୌହ ଓ ତନ୍ତୁଜାତୀୟ ପୋଷାକ ତତ୍ତ୍ୱ ଅଧିକ ମାତ୍ରାରେ ରହିଛି। ତେଣୁ ଏହା ଏକ ପୁଷ୍ଟିକର ଖାଦ୍ୟ ଭାବେ ପରିଗଣିତ ହେଉଛି। ୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ୩୦ଟି ବ୍ଲକ୍‌ରେ ଲଘୁ ଶସ୍ୟର ବିକାଶ ନିମନ୍ତେ ଏନ୍‌ସିଡିସି, ଓ୍ଵାସନ୍‌ ଓ ଅନ୍ୟ ୨୬ଟି ବେସରକାରୀ ସଂସ୍ଥା ସହ ଅନୁବନ୍ଧିତ ହୋଇ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ୨୦୧୭-୧୮ରେ ଏହି ସାତଟି ଜିଲ୍ଲାରେ ୭,୪୪୪ ଏକର ଜମିରେ ଲଘୁ ଶସ୍ୟ ଚାଷ କରାଯାଇଛି। ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଉ ଚାରିଟି ଜିଲ୍ଲାର ୨୫ଟି ବ୍ଲକ୍‌କୁ କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଗଲା। ଆସନ୍ତା ୫ ବର୍ଷରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୨୬.୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଚାଷୀମାନେ ଡିବିଟି ମାଧ୍ୟମରେ ତାଙ୍କ ଅର୍ଥ ପାଇବେ। ଲଘୁ ଶସ୍ୟକୁ ସହରାଞ୍ଚଳରେ ପ୍ରଚାର, ପ୍ରସାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ମେ’ ୧ ତାରିଖରୁ ଭୁବନେଶ୍ୱରରେ ୨୬ଟି ସ୍ୱତନ୍ତ୍ର ବିକ୍ରୟ କେନ୍ଦ୍ରରେ ଲଘୁ ଶସ୍ୟରେ ତିଆରି ଖାଦ୍ୟ ବିକ୍ରି ହେବ। ଏହି ଖାଦ୍ୟ ମଧ୍ୟରେ ରହିବ ହାଲୁଆ, ବଡ଼ା, ଦୋସା, ପକୋଡ଼ା, ବିସ୍କୁଟ୍‌ ଓ କେକ୍‌ ଇତ୍ୟାଦି।

ସମ୍ବନ୍ଧିତ ଖବର