ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧିତ) ଅଧ୍ୟ‌ାଦେଶ ବିବାଦ ପ୍ରସଙ୍ଗ : କୋର୍ଟ ଯିବାକୁ ପ୍ରଫେସରଙ୍କ ସଜବାଜ

ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ୱେବିନାର ଆଜି
ଏବିଭିପି କହିଲା ରାଜ୍ୟ ସରକାରଙ୍କ ଦମନଲୀଳା ଚାଲିଛି

ଭୁବନେଶ୍ୱର : ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଅଧ୍ୟ‌ାଦେଶକୁ ନେଇ ବିବାଦ ଲାଗିରହିଛି। ଗୋଟିଏ ପଟେ ବିଧାନସଭାରେ ଆଲୋଚନା ଚାଲିଥବା ବେଳେ ଅନ୍ୟପଟେ ବାହାରେ ବିଶ୍ବବିଦ୍ୟାଳୟ ପ୍ରଫେସରମାନଙ୍କ ବିରୋଧ ଜାରି ରହିଛି। ଅଧ୍ୟାଦେଶକୁ ବିରୋଧ କରୁଥିବା ପ୍ରଫେସରମାନେ ଇତି ମଧ୍ୟରେ ୱେବିନାର ମାଧ୍ୟମରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟର ୧୦ଟି ବିଶ୍ବବିଦ୍ୟାଳୟର ପ୍ରାୟ ୭୫୦ ପ୍ରଫେସରଙ୍କ ମଧ୍ୟରୁ ପାଖାପାଖି ୩୦୦ ଜଣ ଏଥିରେ ସାମିଲ ହୋଇ ସେମାନଙ୍କ ମତବ୍ୟକ୍ତ କରିଛନ୍ତି। ଅଧ୍ୟାଦେଶରେ କ’ଣ ରହିଛି? ରାଜ୍ୟ ସରକାରଙ୍କର କିଭଳି ହସ୍ତକ୍ଷେପ ରହିବ? ଓପିଏସ୍‌ସି ଦ୍ବାରା ନିଯୁକ୍ତି ପ୍ରକ୍ରିୟା ହେଲେ କି ସମସ୍ୟା ହେବ ସେନେଇ ବିଚାର ବିମର୍ଶ କରିଛନ୍ତି। ଏମିତିକି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କୋର୍ଟକୁ ଯିବା ଲାଗି ସଜବାଜ ହେଉଥିବା ବିଶେଷସୂତ୍ରରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତାକାଲି ଏହାକୁ ନେଇ ଏକ ୱେବିନାର ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବାହ୍ନ ୧୧ଟାରେ ଆୟୋଜିତ ହେବାକୁ ଥିବା ଏହି ୱେବିନାରରେ ଯୋଗଦେବାକୁ ଲାଗି ବିଶ୍ବବିଦ୍ୟାଳୟ ପ୍ରଫେସର, ଅଧ୍ୟାପକ, ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦିଆଯାଇଛି। ଏମିତିକି ବିଜେଡିର ଯୁବ ଓ ଛାତ୍ର ସଙ୍ଗଠନର ନେତାମାନଙ୍କ ମଧ୍ୟରେ ଘନ ଘନ ବୈଠକ ବସି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଜୁ ଯୁବ ଜନତା ଦଳ ଫେସ୍‌ବୁକ୍‌ ‌ପେଜ୍‌ରେ ଏହାର ପ୍ରସାରଣ କରାଯିବ। ୱେବିନାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପୂର୍ବତନ କୁଳପତି ପ୍ରଫେସର କୁମରବର ଦାସ, ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ‘ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧ୍ୟାଦେଶ-୨୦୨୦: ଉଚ୍ଚଶିକ୍ଷାରେ ଉତ୍କୃଷ୍ଟତା ପାଇଁ ଏକ ଐତିହାସିକ ପଦକ୍ଷେପ’ ଶୀର୍ଷକ ଏହି ୱେବିନାରରେ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ପ୍ରଫେସର ଅନୁପମା ପାଣ୍ଡେ, ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ପ୍ରଫେସର ଦୀପ୍ତିରଞ୍ଜନ ସାହୁ, ନ୍ୟାସନାଲ ୟୁନିଭରସିଟି ଅଫ୍‌ ସିଙ୍ଗାପୁରର ଆସୋସିଏଟ୍‌ ପ୍ରଫେସର ସଞ୍ଜୀବ ପଣ୍ଡା, ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳସଚିବ ଡ. କମଳା ପ୍ରସାଦ ମହାପାତ୍ର, ରିସର୍ଚ୍ଚ ସ୍କଲାର ବିକ୍ରମ ଜେନା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ପଟେ ବିଜେପି, କଂଗ୍ରେସ, ଏବିଭିପି ପରି ସଙ୍ଗଠନ ଅଧ୍ୟାଦେଶକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ ଯୁବ ଓ ଛାତ୍ର ବିଜେଡିର ଏହି ୱେବିନାର କେତେଦୂର ଫଳପ୍ରଦ ହେବ ତାହା ଉପରେ ଏବେ ନଜର ରହିଛି।

ସେପଟେ ଏବିଭିପି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ସ୍ବର ଚାପିଦେବା ପାଇଁ ରାଜ୍ୟ ସରକାର ଆପତକାଳୀନ ଦମନଲୀଳା ଚଳାଇଛନ୍ତି। ଦଳୀୟ ବ୍ୟକ୍ତିଙ୍କୁ ଥଇଥାନ ତଥା ଦୁର୍ନୀତିକୁ ପ୍ରଶ୍ରୟ ଦେବା ପାଇଁ ସରକାର ଗଳାବାଟରେ ଯେଉଁ ଅଧ୍ୟାଦେଶ ଆଣିଛନ୍ତି ତାହାକୁ ସଙ୍ଗଠନ କଡ଼ା ଭାଷାରେ ବିରୋଧ କରୁଛି। ଯେତେବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ନିୟମ ଭାଙ୍ଗି ବାଇକ୍‌ ରାଲି କରୁଥିଲେ ସେତେବେଳେ ସରକାରୀ ଅଧିକାରୀଙ୍କ କାହିଁକି ଏ କଟକଣା କଥା ମନେ ପଡ଼ୁ ନ ଥିଲା ବୋଲି ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର