ଓଡ଼ିଶା ବିକାଶ କନ୍‌କ୍ଲେଭ୍‌-୨୦୧୮ : ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଲୋଡ଼ା – ଶାନ୍ତି ଦେବୀ

୩ ବିଶିଷ୍ଟ ସମାଜସେବୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର : ନାରୀ ନିର୍ଯାତନାକୁ ରୋକିବା ପାଇଁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ଲୋଡ଼ା। ଦୁଷ୍କର୍ମ ଭଳି ଅନ୍ୟାୟ କାର୍ଯ୍ୟ କରୁଥିବା ବ୍ୟକ୍ତିର ସମାଜରେ ବଞ୍ଚିବାର ଅଧିକାର ନାହିଁ। ଦୁଷ୍କର୍ମକାରୀଙ୍କୁ ତୁରନ୍ତ ମୃତ୍ୟୁ ଦଣ୍ଡ ଦିଆଗଲେ ଉତ୍ତର ପିଢ଼ି ଏଭଳି କାର୍ଯ୍ୟ କରିବାକୁ ସାହସ କରିବ ନାହିଁ ବୋଲି ବିଶିଷ୍ଟ ସମାଜସେବୀ ତଥା ଗୁଣୁପୁରସ୍ଥିତ ‘ସେବା ସମାଜ’ର ପ୍ରତିଷ୍ଠାତା ଶାନ୍ତି ଦେବୀ କହିଛନ୍ତି। ଗାନ୍ଧୀ ଏବଂ ବିନୋବା ବାବା ବଞ୍ଚିଥିଲେ ତାଙ୍କର ଏହି ମତକୁ ମଧ୍ୟ ସମର୍ଥନ କରିଥାନ୍ତେ ବୋଲି ଶାନ୍ତି ଦେବୀ ଦୃଢ଼ ଆଶା ପୋଷଣ କରିଛନ୍ତି। ସିଓ୍ଵାଇଏସ୍‌ଡି ପକ୍ଷରୁ ଆୟୋଜିତ ଓଡ଼ିଶା ବିକାଶ କନ୍‌କ୍ଲେଭ-୨୦୧୮ର ପ୍ରଥମ ଦିନର ଶେଷ ଅଧିବେଶନର ସଂଚାଳକ ତଥା ରାଜ୍ୟସଭା ସାଂସଦ ଓ ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଶାନ୍ତି ଦେବୀ ଉପରୋକ୍ତ ମତ ରଖିଛନ୍ତି।

‘ନାଗରିକ ସମାଜ ଗଠନ ନେଇ ନେତୃବର୍ଗଙ୍କ ସହ ବାର୍ତ୍ତାଳପ: ଆହ୍ଵାନ, ସୁଯୋଗ ଓ ମାର୍ଗ’ ଶୀର୍ଷକ ଅଧିବେଶନରେ ଯୋଗଦେଇ ସାଂସଦ ଶ୍ରୀ ପଟ୍ଟନାୟକ କହିଲେ ଓଡ଼ିଶାର ପ୍ରଗତି ପାଇଁ ଇସ୍ପାତ ଶିଳ୍ପର ଆବଶ୍ୟକତା ରହିଥିଲେ ମଧ୍ୟ କୃଷି ଓ ଜଙ୍ଗଲ ସମ୍ପଦର ବିକାଶ ଆଣିବାକୁ ପଡ଼ିବ। ମା’, ମାଟି, ମାତୃଭାଷାର ବିକାଶ ସହିତ ଏକ ନିଶାମୁକ୍ତ ସମାଜ ଗଠନ ହୋଇପାରିଲେ ଆପେ ଆପେ ଶିଳ୍ପ ପ୍ରତିଷ୍ଠାନ ଗଢ଼ି ଉଠିବ, ରାଜ୍ୟର ଆର୍ଥିକ ପ୍ରଗତି ମଧ୍ୟ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ରାଷ୍ଟ୍ର ଗଠନର ଜନ୍ମଦାତ୍ରୀ ହେଉଛି ନାଗରିକ ସମାଜ। ନାଗରିକ ସମାଜ ବିନା ରାଷ୍ଟ୍ର ଗଠନର କଳ୍ପନା ମଧ୍ୟ ହୋଇ ନପାରେ। ତେବେ ରାଷ୍ଟ୍ର ବର୍ତ୍ତମାନ ଅବକ୍ଷୟମୁଖୀ ହୋଇପଡ଼ି ଥିବାରୁ ଏଥିରେ ଅଙ୍କୁଶ ଲଗାଇବା ପାଇଁ ଜନ୍ମଦାତ୍ରୀଙ୍କୁ ଜାଗ୍ରତ ହେବାକୁ ପଡ଼ିବ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ତଥା ପାର୍ଟିସିପେଟୋରି ରିସର୍ଚ୍ଚ ଇନ୍‌ ଏସିଆ (ପିଆର୍‌ଆଇଏ)ର ପ୍ରତିଷ୍ଠାତା ତଥା ସଭାପତି ଡ. ରାଜେଶ ଟଣ୍ଡନ୍‌ ଯୋଗଦେଇ ସାଂସଦ ଶ୍ରୀ ପଟ୍ଟନାୟକ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଶ୍ରୀ ଟଣ୍ଡନ କହିଥିଲେ, ତଳସ୍ତରରୁ ସମାଜର ବିକାଶ କରିବା ଲାଗି ନାଗରିକ ସମାଜ କାର୍ଯ୍ୟ କରିବା ଆବଶ୍ୟକ। ରାଜନେତାଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତି ‘ବହୁଜନ ହିତାୟ’ ନୀତିରେ ମିଳିମିଶି କାର୍ଯ୍ୟ କରିଲେ ଦେଶର ବିକାଶ ହୋଇପାରିବ ବୋଲି ଶ୍ରୀ ଟଣ୍ଡନ କହିଥିଲେ।

ଏହି ଅଧିବେଶନରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ମୁଖ୍ୟ ପଦ୍ମଚରଣ ନାୟକ, ଆମେରିକାରେ ବାସ କରୁଥିବା ଖ୍ୟାତନାମା ପ୍ରବାସୀ ଓଡ଼ିଆ ଶିତିକଣ୍ଠ ଦାଶ ଏବଂ ବିଶିଷ୍ଟ ସାମାଜିକ କର୍ମୀ ତଥା ନିଶାମୁକ୍ତି ଆନ୍ଦୋଳନର ଆଗଧାଡ଼ିର କର୍ମୀ ପ୍ରମିଳା ସ୍ୱାଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସିଓ୍ଵାଇଏସ୍‌ଡିର ପ୍ରତିଷ୍ଠାତା ଜଗଦାନନ୍ଦ ଏହି ଅଧିବେଶନରେ ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର