ଓଡ଼ିଶା ଅଧିକ ଲାଭ ପାଇବ: ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୫ ମାସ ପାଇଁ ବୃଦ୍ଧି ଘୋଷଣାକୁ ସ୍ବା‌ଗତ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରି ଗରିବ, କୃଷକ ଓ ଶ୍ରମିକ ସମେତ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ପାଞ୍ଚ ମାସ ପାଇଁ ବୃଦ୍ଧି କରିଥିବା ଘୋଷଣାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି। ଦେଶ ତଥା ଓଡ଼ିଶା ପରି ରାଜ୍ୟ ଏହା ଦ୍ବାରା ଅଧିକ ଲାଭ ପାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ଜଣେ ବି ଲୋକ ଭୋକରେ ନ ରୁହନ୍ତୁ, ଏହାକୁ ମୋଦୀ ସରକାର ଅଧିକ ପ୍ରାଥମିକତା ଦେଇଛନ୍ତି। ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡର ବ୍ୟବସ୍ଥା ଏବଂ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରଣ ଗରିବଙ୍କ କଲ୍ୟାଣ ପ୍ରତି ମୋଦୀ ସରକାରଙ୍କ ସମର୍ପଣ ଭାବନାକୁ ଦର୍ଶାଉଛି। ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁ ଭାରତ ଗରିବ ତଥା ସମାଜର ସବୁ ତଳ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତୀକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରିପାରିଛି। କରୋନା ସହ ଲଢ଼େଇ ଏବେ ସୁଦ୍ଧା ସମାପ୍ତ ହୋଇ ନାହିଁ। ଏହି ସଂକ୍ରମଣ ପ୍ରତି ସତର୍କ ଓ ସାବଧାନ ହିଁ ବର୍ତ୍ତମାନ ସମୟରେ ବଡ଼ ସୁରକ୍ଷା। କରୋନା ବିରୋଧରେ ସମସ୍ତ ନିୟମକୁ ମାନି ଦେଶ ଓ ଅର୍ଥ ବ୍ୟବସ୍ଥାକୁ ଆତ୍ମନିର୍ଭର ଆଡ଼କୁ ନେବାର ଆବଶ୍ୟକତା ରହିଛି। ସୁସ୍ଥ ରହି ଦୁଇ ମିଟର ଦୂରତାକୁ ପାଳନ କରିବା, ଗାମୁଛା, ମାସ୍କ ଇତ୍ୟାଦିର ଉପଯୋଗ କରି ଆମେ ଅର୍ଥନୈତିକ ପ୍ରକ୍ରିୟାକୁ ଅଗ୍ରସର କରାଇପାରିବା। ଲୋକାଲ୍‌ ପାଇଁ ଭୋକାଲ୍‌ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢ଼ିବା ‌ବୋଲି ଶ୍ରୀ ପ୍ରଧାନ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର