ବାହ୍ୟ କାରଣ ନୁହେଁ, ବରଂ ମୋଦୀ, ଧର୍ମେନ୍ଦ୍ର ଦାୟୀ: କଂଗ୍ରେସ

ଭୁବନେଶ୍ୱର : ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନ ଗ୍ୟାସ ସିଲିଣ୍ଡରର ଆକାଶଛୁଆଁ ଦର ବୃଦ୍ଧି ଘଟିଛି। ଏଥିପାଇଁ କୌଣସି ବାହ୍ୟ କାରଣ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାୟୀ ବୋଲି ଅଭିଯୋଗ କରିଛି କଂଗ୍ରେସ। ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଂପାଦକ ତଥା ଜାତୀୟ ମୁଖପାତ୍ର ପ୍ରଣବ ଝା ତୈଳଦର ବୃଦ୍ଧି ନେଇ ବିସ୍ତତ ତଥ୍ୟ ଉପସ୍ଥାପନ କରିଥିଲେ। ମୋଦୀ ସରକାରଙ୍କ ବେପରୁଆ ମନୋଭାବ, ଅର୍ଥ ବ୍ୟବସ୍ଥା ବିଧ୍ୱସ୍ତ କଲା ଭଳି ନୀତି ଓ ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନହୀନ ମନୋବୃତ୍ତି ଯୋଗୁଁ ତୈଳଦର ଆକାଶଛୁଆଁ ହୋଇଛି। ଶ୍ରୀ ଝା କହିଲେ ଯେ ୨୦୦୮ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ଥିଲା ୧୪୫ ଡଲାର। ସେତେବେଳେ ଦେଶରେ ପେଟ୍ରୋଲ୍‌ ଲିଟର ପିଛା ମୂଲ୍ୟ ୪୬ ଟଙ୍କା ଓ ଡିଜେଲ୍‌ ଦର ୩୩ ଟଙ୍କା ଥିଲା। ବର୍ତମାନ ବ୍ୟାରେଲ୍‌ ପିଛା ଦର ୭୦ ଡଲାର ଥିବା ବେଳେ ଆଜି ଭୁବନେଶ୍ୱରରେ ପେଟ୍ରୋଲ୍‌ ଲିଟର ଟ ୮୧.୧୧ ପଇସା ଓ ଡିଜେଲ୍‌ ଲିଟର ଟ ୭୯.୨୨ ପଇସା। ଗତ ଚାରିବର୍ଷରେ ମୋଦୀ ସରକାର ତୈଳ ଦର ଉପରେ ୧୨ ଥର କେନ୍ଦ୍ରୀୟ ଅବକାରୀ ଶୁଳ୍କ ବଢ଼ାଇଛନ୍ତି। ଫଳରେ କେନ୍ଦ୍ର ସରକାର ଆୟ କରିଛନ୍ତି ପାଖାପାଖି ୧୨ ଲକ୍ଷ କୋଟି। ଯଦି କଂଗ୍ରେସ ଦେଇଥିବା ପରିସଂଖ୍ୟାନ ଭୁଲ, ତେବେ ଏହି ପରିମାଣ କେତେ ବୋଲି ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପଚାରିଛନ୍ତିି। ସେହିପରି ଏହି ଅର୍ଥ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର