ମେ’୧୨ରେ ଓଜେଇଇ : ଜାନୁଆରି ୨୫ରୁ ମାର୍ଚ୍ଚ ୨୫ ଯାଏ ଆବେଦନ

ଭୁବନେଶ୍ବର : ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ବ୍ୟତୀତ ଅନ୍ୟ ବୈଷୟିକ ଶିକ୍ଷା ପାଠ୍ୟକ୍ରମ ପାଇଁ ୨୦୧୯ ମେ’ ୧୨ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଏଥିପାଇଁ ୨୦୧୯ ଜାନୁଆରି ୨୫ରୁ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା କେବଳ ଅନ୍‌ଲାଇନ୍‌‌ରେ ହେବ। ଏପ୍ରିଲ୍‌ ୨୦ରୁ ଆବେଦନକାରୀମାନେ ଓଜେଇଇ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୨୧ରେ ସ୍ବତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ ବୋଲି ଆଜି ବସିଥିବା ବୈଷୟିକ ଶିକ୍ଷା ବିଭାଗର ପଲିସି ପ୍ଲାନିଂ ବଡି(ପିପିବି) ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ୍‌ ଏଣ୍ଟ୍ରି ଏମ୍‌ସିଏ, ଏମ୍‌.ଫାର୍ମା, ଏମ୍‌.ଟେକ୍‌, ଏମ୍‌.ପ୍ଲାନ୍‌ ଓ ଏମ୍‌.ଆର୍କିଟେକ୍‌ ପରି ପିଜି ପାଠ୍ୟକ୍ରମ ପାଇଁ ଅନ୍‌ଲାଇନ୍‌ ପ୍ରବେଶିକା ପରୀକ୍ଷା କରାଯିବାକୁ ଆଲୋଚନା ହୋଇଛି। ଆସନ୍ତା ଏକ ମାସ ମଧ୍ୟରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ଏହାପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତାବ ପଠାଯିବ। ସେଠାରେ ଚୂଡ଼ାନ୍ତ ମୋହର ଲାଗିବା ପରେ ତାହା ଲାଗୁ ହେବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନାହିଁ। ମେ’ ମାସର ଦ୍ବିତୀୟ ରବିବାର ଓଜେଇଇ କରିବାକୁ ପ୍ରାୟତଃ ସ୍ଥିର ହୋଇଛି। ସମସ୍ତ ବିଷୟ କେବଳ ଆଲୋଚନାରେ ହିଁ ରହିଛି। ଚୂଡ଼ାନ୍ତ ହେବା ପରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଜେଇଇ ମେନ୍‌/ସ୍ବତନ୍ତ୍ର ଓଜେଇଇ ଆଧାରରେ ଇଞ୍ଜିନିୟରିଂ(ବି.ଟେକ୍‌) ପାଠ୍ୟକ୍ରମରେ ନାମଲେଖା ହେବ। ନିଟ୍‌(ୟୁଜି)-୨୦୧୯ ଆଧାରରେ ଏମ୍‌ବିବିଏସ୍‌, ବିଡିଏସ୍‌, ବିଏଚ୍‌ଏମ୍‌ଏସ୍‌ ଓ ବିଏଏମ୍‌ଏସ୍‌ ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନାମଲେଖ ଲେଖାଇବେ। ଲାଟେରାଲ୍‌ ଏଣ୍ଟ୍ରି ବି‌.ଟେକ୍‌, ବି.ଫାର୍ମାସି, ଲାଟେରାଲ୍‌ ଏଣ୍ଟ୍ରି ଫାର୍ମାସି, ଏମ୍‌.ଫାର୍ମାସି, ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ୍‌ ଏଣ୍ଟ୍ରି ଏମ୍‌ସିଏ, ଏମ୍‌.ଟେକ୍‌, ଏମ୍‌.ପ୍ଲାନ୍‌, ଏମ୍‌.ଆର୍କିଟେକ୍‌ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ ପାଇଁ ଓଜେଇଇ ଅନୁଷ୍ଠିତ ହେବ। ସ୍ବତନ୍ତ୍ର ଓଜେଇଇରେ ଲାଟେରାଲ୍‌ ଏଣ୍ଟ୍ରି ବି‌.ଟେକ୍‌, ବି.ଫାର୍ମାସି, ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ୍‌ ଏଣ୍ଟ୍ରି ଏମ୍‌ସିଏ, ଏମ୍‌.ଟେକ୍‌ ଓ ଏମ୍‌.ଫାର୍ମା ପାଠ୍ୟକ୍ରମକୁ ସାମିଲ କରାଯିବ।

ସମ୍ବନ୍ଧିତ ଖବର