ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ବାନ୍ଧି ଦାନ୍ତ ଭାଙ୍ଗିବା ଅଭିଯୋଗ

ଚିକିଟି: ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଧୀନ ଆମ୍ବଝୋଳା ଗ୍ରାମର କୁଶ ମଳିକ (୮୦) ନାମକ ଜଣେ ବୃଦ୍ଧଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଆମ୍ବଝୋଳା ଏବଂ ଯଦୁପୁର ଗ୍ରାମର କିଛି ଲୋକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଦାନ୍ତ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଗତ କିଛିଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତେବେ କୁଶ ହିଁ ଗୁଣିଗାରେଡ଼ି କରୁଥିବା ଗ୍ରାମବାସୀ ସନ୍ଦେହ କରି ଗତକାଲି ରାତିରେ ତାଙ୍କୁ ଘରୁ ଡାକି ନେଇଥିଲେ। ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିଦେଇଥିଲେ। କୁଶଙ୍କ ପୁଅ ଭାସ୍କର ମଳିକଙ୍କ ଏତଲା କ୍ରମେ କେ.ନୂଆଗାଁ ଥାନାରେ କେସ୍ ନମ୍ବର ୯୬/୨୩ରେ ମାମଲା ରୁଜୁ ‌ହୋଇଛି। ଅଭିଯୋଗକୁ ଗୁରୁତ୍ବର ସହ ଗ୍ରହଣ କରି ତଦନ୍ତକୁ ତ୍ବରାନ୍ବିତ କରାଯାଇଥିବା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଆମ ପୁଲିସ ସମିତି ଓ ପ୍ରଶାସନର ସଚେତନତା ସତ୍ତ୍ବେ ଲୋକେ ଗୁଣିଗାରେଡ଼ି ଭଳି କୁସଂସ୍କାରକୁ ପ୍ରୋତ୍ସାହନ ଦେଉଥିବାରୁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର