୭ଦିନରେ ୬ଲକ୍ଷ ୩୭ହଜାର କଇଁଛଙ୍କ ଅଣ୍ଡାଦାନ

ବ୍ରହ୍ମପୁର: ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଏକ ନୂଆ ରେକର୍ଡ଼ କରିଛି। ମାତ୍ର ୭ଦିନରେ ୬ଲକ୍ଷ ୩୭ହଜାର ୮ ଅଲିଭ୍‌ ରିଡ୍‌ଲେ କଇଁଛ ଋଷିକୁଲ୍ୟା ମୁହାଣରେ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ମୁହାଣ ବାଲୁକାଶଯ୍ୟାରେ ଗତକାଲି ସକାଳ ୬ଟାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ୧୩ହଜାର ୩୭୬ କଇଁଛ ଅଣ୍ଡାଦାନ କରିଛନ୍ତି। ପ୍ରଥମ ଦିନରେ ୨୪ଘଣ୍ଟାରେ ସର୍ବାଧିକ ଦେଢ଼ଲକ୍ଷ କଇଁଛ ଅଣ୍ଡାଦାନ କରିଥିଲେ। ଚଳିତ ବର୍ଷ ଦିନ ସମୟରେ ମଧ୍ୟ ଅଣ୍ଡାଦାନ ହୋଇଥିଲା। ଯାହାକି ବିରଳ ବୋଲି କୁହାଯାଉଛି।

ଦୀର୍ଘ ୩୦ବର୍ଷ ତଳେ ଅଲିଭ୍‌ ରିଡ୍‌ଲେ କଇଁଛ ଦିନ ସମୟରେ ଅଣ୍ଡାଦାନ କରିଥିଲେ। ଏହାପରେ ଚଳିତ ବର୍ଷ ପୁଣିଥରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ କଇଁଛ ଅଣ୍ଡାଦାନ କରୁଛନ୍ତି। ଗତବର୍ଷ ଏହି ବାଲୁକାଶଯ୍ୟା ଧୋଇହୋଇ ଅବକ୍ଷୟ ହୋଇ ଯାଇଥିଲା। କିନ୍ତୁ ଚଳିତ ବର୍ଷ ପୁଣିଥରେ ସେଠାରେ ସମୁଦ୍ର ବାଲି ଜମା ହୋଇ ନୂତନ ବେଳାଭୂମି ସୃଷ୍ଟି ହୋଇଛି। ଏହାକୁ ଡାଇନାମିକ୍‌ ବିଚ୍‌ କୁହାଯାଏ। ଏଠାରେ ଚଳିତ ବର୍ଷ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପର୍ବ ଚାଲିଛି। ଗତ ୨୩ ତାରିଖରୁ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ତାହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର