ଭାପୁର : ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ସୀମା ଟପିଲାଣି। ସାଧାରଣତଃ ରାତିରେ ହାତୀପଲ ଗାଁଗଣ୍ଡାରେ ପଶି ଘରଦ୍ବାର ଭାଙ୍ଗୁଥିବାବେଳେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ବୃଦ୍ଧଙ୍କ ଜୀବନ ନେଇଛି ଏକ ଦନ୍ତାହାତୀ। ଢେଙ୍କାନାଳ ସଦର ରେଂଜ୍‌ ତଥା ଓଡ଼ାପଡ଼ା ବ୍ଲକ୍‌ ଓସ୍ତପାଳରେ ଆଜି ଘଟିଥିବା ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳାଇଛି।

Advertisment

ପ୍ରାପ୍ତ ସୂଚନା ଅନୁଯାୟୀ, ଓସ୍ତପାଳ ଗାଁର ବେନୁ ନାଏକ(୫୫) ଓ ତାଙ୍କ ପୁତୁରା ବିରଞ୍ଚି ନାଏକ ଆଜି ପୂର୍ବାହ୍ଣ ୯ଟାବେଳେ ଓସ୍ତପାଳ-ଦୀନବନ୍ଧୁପୁର ରାସ୍ତାରେ ତାରିଣୀ ଠାକୁରାଣୀଙ୍କ ପୀଠରୁ ପ୍ରାୟ ୨ଶହ ମିଟର ଦୂରରେ ଥିବା ‘ବାଘୁଆ କାଜୁ ବଗିଚା’ରେ କାଜୁ ମଞ୍ଜି ତୋଳୁଥିଲେ। ଏହି ସମୟରେ ଏକ ଦନ୍ତାହାତୀ ଅତର୍କିତ ଭାବେ ବେନୁଙ୍କୁ ଆକ୍ରମଣ କରିଥିଲା। ଦାନ୍ତରେ ଭୁସି ଦେବାରୁ ଘଟଣାସ୍ଥଳରେ ବେନୁଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାପରେ ଦନ୍ତା ତାଙ୍କୁ ଡାଳପତ୍ର ଘୋଡ଼ାଇ ପଳାଇଥିଲା। ପରିବାର ସଦସ୍ୟ ଓ ଗ୍ରାମବାସୀ ପହଞ୍ଚି ଶବ ରଖି ଦୀନବନ୍ଧୁପୁର-ଓସ୍ତପାଳ ରାସ୍ତା ଅବରୋଧ କରିଥିଲେ। ଭାପୁର ଫାଣ୍ଡି ଅଧିକାରୀ ପି.କେ. ପଢ଼ିହାରୀ, ରେଞ୍ଜର ମନୋହର ଖାଁ, ବନରକ୍ଷୀ ଯୁଗଳ ମହାନ୍ତି, ଶରତ ମଲ୍ଲ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରଙ୍କ ନିୟମ ଅନୁଯାୟୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥଲେ। ଏହାପରେ ଆନ୍ଦୋଳନ ହଟିଥିଲା।