ଅନୁଗୁଳରେ ସ୍ବାଇନ୍‌ ଫ୍ଲୁ’; ଦମ୍ପତି ମୃତ!, ସହରସାରା ଛାନିଆ, ପ୍ରଶାସନର ତନାଘନା

ଅନୁଗୁଳ : ଗ୍ରୀଷ୍ମ ପ୍ରବାହରେ ଚଳିତ ସପ୍ତାହରେ ଅନୁଗୁଳ ସହରର ଦୁଇ ଜଣ ସ୍ବାମୀ ଓ ସ୍ତ୍ରୀ ସ୍ବାଇନ୍‌ ଫ୍ଳୁ’ରେ ମୃତ୍ୟୁବରଣ କରିବ‌ା ଘଟଣା ସହରବାସୀକୁ ଚକିତ କରିଛି। ତା’ ସାଙ୍ଗକୁ ଆଉ ତିନି ଜଣ ସମ୍ପର୍କୀୟ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ୧୦ବର୍ଷର ବାଳକ ରହିଛନ୍ତି। ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚିକିତ୍ସା ଆରମ୍ଭ କରି ଦେଇଛି।

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସୂଚନା ମୁତାବକ, ଗତ ସପ୍ତାହରେ ଅନୁଗୁଳ ସହରର ଜଣେ ଘରୋଇ ଶିକ୍ଷକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁର ପରଦିନ କଳିଙ୍ଗ ହସ୍ପିଟାଲ୍‌ରେ ଆଖି ବୁଜିଥିଲେ ତାଙ୍କ ସ୍ତ୍ରୀ। ଘଟଣାକୁ ଲୁଚାଇବାକୁ ଉଦ୍ୟମ କରାଯାଉଥିଲା। ହୃଦ୍‌ଘାତରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଥିଲା। କିନ୍ତୁ ସ୍ବାମୀ ଓ ସ୍ତ୍ରୀଙ୍କର ହଠାତ୍‌ ଏ ପ୍ରକାର ଅସ୍ବାଭାବିକ ମୃତ୍ୟୁକୁ ନେଇ ସନ୍ଦେହ କରିଥିଲା ସ୍ବାସ୍ଥ୍ୟ ବିଭାଗ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ (ପି.ଏଚ୍‌) ଡାକ୍ତର ରାକେଶ ସାହୁ ପରିବାର ଲୋକଙ୍କୁ ଭେଟି ରୋଗ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଥିଲେ। ଚିକିତ୍ସାର କାଗଜପତ୍ର ଯାଞ୍ଚ ପରେ ତାଙ୍କର ସ୍ବାଇନ୍‌ ଫ୍ଲୁ ସନ୍ଦେହ ଆହୁରି ଦୃଢ଼ୀଭୂତ ହୋଇଥିଲା। ତେଣୁ ସ୍ବାମୀ ଓ ସ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ୧୮ଜଣ ଆତ୍ମୀୟ ସ୍ବଜନଙ୍କ ରକ୍ତ ନମୁନା ସେ ସଂଗ୍ରହ କରି କିଛି ଦିନ ତଳେ ରିଜିଓନାଲ୍‌ ମେଡିକାଲ୍ ରିସର୍ଚ୍ଚ ସେଣ୍ଟରକୁ ପରୀକ୍ଷା ପାଇଁ ପଠାଇଥିଲେ। ସେଥିରୁ ୩ଟି ନମୁନା ପଜିଟିଭ୍‌ ଆସିଛି ବୋଲି ଡାକ୍ତର ସାହୁ କହିଛନ୍ତି। ଏହି ତିନି ଜଣ ରୋଗୀଙ୍କ ମଧ୍ୟରୁ ଜଣେ ପୁରୁଷ, ଜଣେ ମହିଳା ଏବଂ ଜଣ ୧୦ବର୍ଷର ବାଳକ ବୋଲି ଜଣାପଡ଼ିଛି। ତିନି ଜଣ ଯାକ ଭିନ୍ନ ଭିନ୍ନ ପରିବାରର ବୋଲି ସେ କହିଛନ୍ତି। ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ରୋଗୀଙ୍କୁ ଔଷଧ ଦିଆ ସରିଛି। ରକ୍ତ ନମୁନା ପରୀକ୍ଷା ପାଇଁ ଅନ୍ୟାନ୍ୟ ସାମଗ୍ରୀ ସବୁ ମହଜୁଦ ରଖାଯାଇଛି। ଯେଉଁଠାରୁ ଭୂତାଣୁ ଚିହ୍ନଟ ହେଲା ସେହି ଅଞ୍ଚଳ ଯେହେତୁ ବର୍ତ୍ତମାନ କାବୁରେ ଅଛି, ଆଖପାଖ ଲୋକଙ୍କ ରକ୍ତ ନମୁନାରେ ଆଉ ଭୂତାଣୁ ଆସି ନାହିଁ, ତେଣୁ ପରିସ୍ଥିତି ସ୍ବାଭାବିକ ରହିଛି ବୋଲି ଡାକ୍ତର ସାହୁ କହିଛନ୍ତି। ତଥାପି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ରହିଛୁ। ଏହି ରୋଗ ସାଧାରଣତଃ ଶୀତ ଦିନେ ହେବା କଥା। ଗ୍ରୀଷ୍ମ ପ୍ରବାହରେ ଏହି ଭୂତାଣୁଙ୍କର ସାଧାରଣ ଭାବେ ମୃତ୍ୟୁ ହୋଇଯାଏ। କିନ୍ତୁ ୪୨ଡିଗ୍ରି ତାପମାତ୍ରାରେ ଅନୁଗୁଳରେ ସ୍ବାଇନ୍‌ ଫ୍ଲୁ ଚିହ୍ନଟ ଘଟଣା ତାଙ୍କୁ ବି ଚକିତ କରିଛି ବୋଲି ଡାକ୍ତର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର