ପୂର୍ବ ଶତ୍ରୁତାରୁ ବୃଦ୍ଧା ଭାଉଜକୁ ହତ୍ୟା, ଅଭିଯୁକ୍ତ ଗିରଫ

କାଳିଆପାଣି : ପୂର୍ବ ଶତ୍ରୁତାର ବୃଦ୍ଧା ଭାଉଜଙ୍କୁ ଜଣେ ବ୍ୟକ୍ତି ଅତି ଅମାନୁଷିକ ଭାବେ ହତ୍ୟା କରିଛି। ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ଚିତ୍ରୀ ନୂଆଗାଁ ମାଝିସାହି ପାଖ ଗାଁ ଗୋଚର ପଡ଼ିଆରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ସ୍ବର୍ଗତ ସମରା ହାଁସଦାଙ୍କ ପତ୍ନୀ ମାନ୍ଦ(୬୫)। ପଡ଼ିଆରେ ଗାଈ ଚରାଉଥିବା ବେଳେ ଅଭିଯୁକ୍ତ ମିର୍ଜା ହାଁସଦା(୫୨) ତାଙ୍କ ପଛପଟୁ ଆସି ଏକ କୋଦାଳ ବେଣ୍ଟରେ ତାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଫଳରେ ମାନ୍ଦ ସେଇଠି ଟଳି ପଡ଼ିଥିଲେ।

ମାଆଙ୍କ ଉପରେ ଆକ୍ରମଣ ଖବର ପାଇ ତାଙ୍କ ପୁଅଝିଅମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଟମକା ପୁଲିସ ମୃତଦେହ ଜବତ କରିଥିଲା। ମୃତ ମହିଳାଙ୍କ ପୁଅ ଶଙ୍କର ଥାନାରେ ଏତଲା ଦେଇଥିଲେ। ୩୦୨ ଦଫାରେ ଏକ କେସ ୧୯/୨୨ ରୁଜୁ ହୋଇଛି।

ଅଭିଯୁକ୍ତ ମିର୍ଜା ମୃତ ମାନ୍ଦଙ୍କ କକା ଶ୍ବଶୁର ବାଗରାଇ ହାଁସଦାଙ୍କ ପୁଅ। ଜିଲ୍ଲା ବାହାରକୁ ଖସି ପଳାଇବା ଉଦ୍ୟମ କରୁଥିବା ବେଳେ ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ର ସଦଳବଳ ଶୁକ୍ରବାର ଦିନ ଗାଁ ପାଖ ଜଙ୍ଗଲରେ ଚଢ଼ଉକରି ଅଭିଯୁକ୍ତକୁ ଗିରଫ କରିଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି। ହତ୍ୟାକାଣ୍ଡକୁ ନେଇ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର