ଭାଲୁ ଆକ୍ରମଣରେ ଜଣେ ମୃତ

ଉମରକୋଟ/ଝରିଗାଁ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ଧୋଡ୍ରା ପଞ୍ଚାୟତ ବି.ଏସ ପଦର ଗ୍ରାମର ଜଣେ ବ୍ୟକ୍ତିଙ୍କ ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ବି.ଏସ ପଦର ଗ୍ରାମର ମନଧର ଭତ୍ରା(୫୦) ଆଜି କିଛି ଗ୍ରାମବାସୀଙ୍କ ସହ ନିକଟସ୍ଥ ପୋଡାଗଡ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। କାଠ ସଂଗ୍ରହ କରିବା ସମୟରେ ମନଧର ଏକାକି ପାହାଡ ଉପରେ ଚଢି ଯାଇଥିଲେ। ଏହି ସମୟରେ ପାହାଡ ମଧ୍ୟରେ ଲୁଚି ରହିଥିବା ଏକ ଭାଲୁ ହଠାତ୍‌ ମନଧରଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ମନଧରଙ୍କ ଚିତ୍କାର ଶୁଣି କାଠ ସଂଗ୍ରହ କରୁଥିବା ଅନ୍ୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭାଲୁ ଆକ୍ରମଣରେ ମନଧର ରକ୍ତାକ୍ତ ହେବା ଦେଖି ସମସ୍ତେ ଭାଲୁଟିକୁ ଘଉଡାଇଥିଲେ। ଅନ୍ୟପଟେ ଭାଲୁ ଆକ୍ରମଣରେ ମନଧର ଅଚେତ ହୋଇପଡିଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହିଁ ମନଧରଙ୍କ ମୃତ୍ୟୁ ହୋଇଯାଇଥିଲା। ଉମରକୋଟ ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଉମରକୋଟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ମନଧରଙ୍କ ପରିବାର ‌ଗରିବ ହୋଇଥିବାରୁ ଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର