ଜଳପ୍ରପାତରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର : ଜଣେ ମୃତ, ଜଣେ ନିଖୋଜ, ବର୍ତ୍ତିଗଲେ ଅନ୍ୟ ୬ ସାଙ୍ଗ

ରାଉରକେଲା/ଗୁରୁଣ୍ଡିଆ : କ୍ୟାମ୍ପସ୍ ଚୟନରେ ପ୍ରତିଷ୍ଠିତ କମ୍ପାନିରେ ଚାକିରି ପାଇଁ ନିଯୁକ୍ତି ପତ୍ର ମିଳିଥିବାରୁ ରବିବାର ଛୁଟି ମନାଇବାକୁ ସାଙ୍ଗମାନଙ୍କ ସହିତ ବାଦଲଗିରି ଜଳପ୍ରପାତକୁ ଯାଇଥିଲେ ୨ ଇଞ୍ଜିନିୟରିଂ ଛାତ୍ର। ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ବଣେଇକେଲା-ସୋଲ ପଞ୍ଚାୟତ ମଧ୍ୟରେ ଥିବା ବାଦଲଗିରି ଜଳପ୍ରପାତରେ ଗାଧୋଉଥିବାବେଳେ ବୁଡ଼ି ଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ନିଖୋଜ ‌ହୋଇଯାଇଛନ୍ତି। ମୃତ ଛାତ୍ର ‌ହେଲେ, ରାଉରକେଲା କୋଏଲନଗର ଅଞ୍ଚଳର ସାଇସ୍ବରୁପ ମହାନ୍ତି (୨୨) ଏବଂ ନଖୋଜ ଛାତ୍ର ଅନିମେଶ ସିହ୍ନା (୨୨)। ତେବେ ପାନପୋଷ ଅଞ୍ଚଳର ଗୌରବ ବିଶ୍ବକର୍ମା ଓ ଅନ୍ୟ ୫ ଇଞ୍ଜନିୟରିଂ ଛାତ୍ର ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଖୋଜ ଦୁଇ ସାଙ୍ଗ ଯଥାକ୍ରମେ ୱିପ୍ରୋ ଓ ଟିସିଏସ୍‌ରେ ଚାକିରି ପାଇଁ ନିଯୁକ୍ତି ପତ୍ର ପାଇଥିଲେ। ସେମାନଙ୍କ ସହିତ ଯାଇଥିବା ଅନ୍ୟ ୬ ଛାତ୍ର ମଧ୍ୟ କ୍ୟାମ୍ପସ‌ ପରୀକ୍ଷା ଭାଗ ନେବାକୁ ପତ୍ର ପାଇଥିଲେ।

ଆଜି ଦିନ ପ୍ରାୟ ୧୦ଟାରେ କୋଏଲନଗରର ସାଇସ୍ବରପ, ଅନିମେଶ, ପାନପୋଷ ଅଞ୍ଚଳର ଗୌରବ ବିଶ୍ବକର୍ମାଙ୍କ ସମେତ ୮ ସାଙ୍ଗ ୪ଟି ସ୍କୁଟିରେ ଗୁରୁଣ୍ଡିଆ ବ୍ଲକ ବନେଇକଳା-ସୋଲ ଗ୍ରାମ୍ୟ ଉନ୍ନୟନ ରାସ୍ତା ସପଲତାରୁ ୩ କି.ମି. ଦୂର ବାଦଲଗିରି ଜଳପ୍ରପାତକୁ ବାହାରିଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେମାନେ ସେଠାରେ ପହଞ୍ଚିଥିଲେ। ଜଳପ୍ରପାତର ୩ ନମ୍ବର କୁଣ୍ଡରେ ଗାଧୋଇବାକୁ ପ୍ରଥମେ ଗୌରବ ବିଶ୍ବକର୍ମା ପଶିଥିଲେ। ପରେ ସାଇସ୍ବରୂପ ଓ ଅନିମେଶ ଦୁହେଁ ପାଣି ଭିତରକୁ ପଶିଥିଲେ। ପହଁରା ଜାଣି ନ ଥିବାରୁ ତିନି ସାଙ୍ଗ ପାଣିରେ ବୁଡ଼ିଯାଇଥିଲେ। କୂଳରେ ବସିଥିବା ଅନ୍ୟ ୫ ସାଙ୍ଗ ତିନି ଜଣଙ୍କ କେବଳ ଗୌରବ ବିଶ୍ବକର୍ମାଙ୍କୁ ଉଦ୍ଧାର କରିବାର ସକ୍ଷମ ‌ହୋଇଥିଲେ। କିନ୍ତୁ, ସାଇସ୍ବରୂପ ଓ ଅନିମେଶ ବୁଡ଼ି ଯାଇଥିଲେ। କିଛି ଉପାୟ ନ ପାଇ ସମସ୍ତେ ପାଟି କରିଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ସାଇସ୍ବରୂପ ଓ ଅନିମେଶ ଦୁହେଁ ପାଣି ଭିତରେ ହଜି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଗୁରୁଣ୍ଡିଆ ପୁଲିସ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାତି ପ୍ରାୟ ୮ଟା ୪୦ ମିନିଟ୍‌ ସମୟରେ ସାଇସ୍ବରୂପଙ୍କ ମୃତଦେହ ଉଦ୍ଧାର କରିଥିଲେ। ମାତ୍ର, ଶେଷ ଖବର ସୁଦ୍ଧା ଅନିମେଶଙ୍କର କୌଣସି ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର