ବିଦ୍ୟୁତ ଖମ୍ବକୁ ପିଟିଲା ବାଇକ୍‌; ୧ ମୃତ, ୨ ଗୁରୁତର

ବଣାଇଗଡ଼ : ବଣାଇ ଉପଖଣ୍ତର ଲହୁଣିପଡ଼ା ଥାନା ଅନ୍ତର୍ଗତ ଲଲେଇ-ଖଣ୍ତାଧାର ପୂର୍ତ ବିଭାଗ ରାସ୍ତାର ବୁଢାଭୂଇଁ ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍‌ଣରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ ହେବା ସହ ଦୁଇ ଜଣ ଗୁରୁତର ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ ବଡ଼ରକ୍ସି ଅଂଚଳର ତିନି ଯୁବକ ଏକ ବାଇକ୍‌ ଯୋଗେ ଖଣ୍ତାଧାରକୁ ବଣଭୋଜି କରିବାକୁ ଯାଉଥିଲେ। ବାଇକ୍‌ଟି ଦ୍ରୁତ ଗତିରେ ଆସି ବୁଢାଭୂଇଁ ଗ୍ରାମସ୍ଥ ଏକ ବିଦ୍ୟୁତ ଖମ୍ବକୁ ପିଟିବାରୁ ତିନିଜଣ ବାଇକ ଆରୋହୀ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ପାରମଡିହି ଗ୍ରାମର ସୁନୀଲ ମୁଣ୍ତା(୧୭)ଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ଦୁଇଜଣ ବଡ଼ରକ୍ସି ଗ୍ରାମର ପ୍ରକାଶ ମୁଣ୍ତା(୧୭) ଓ ସନ୍ତୋଷ ମୁଣ୍ତା(୧୫) ଗୁରୁତର ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଉପଖଣ୍ତ ଚିକିତ୍ସାଳୟକୁ ନିଆଯାଇଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ଗ୍ରାମବାସୀଙ୍କର ଠାରୁ ସୂଚନା ପାଇ ଲହୁଣିପଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଓ ବାଇକ୍‌କୁ ଜବତ କରିବା ସହିତ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର