ବିଦ୍ୟୁତ ତାର ମରାମତି ବେଳେ ଲାଇନ୍‌ଚାର୍ଜ: ଖୁଣ୍ଟରୁ ଖସିପଡ଼ି ଜଣେ ମୃତ, ୨ ଗୁରୁତର

ବସ୍ତା-୨/ଗାନ୍ଧିଛକ/ଦରଡ଼ା : ବିଦ୍ୟୁତ୍‌ ମରାମତି ବେଳେ ଲାଇନ୍‌ଚାର୍ଜ ହୋଇଗଲା। ଆଉ କ୍ଷଣିକ ମଧ୍ୟରେ ଖୁଣ୍ଟରୁ ଖସିପଡ଼ିଲେ ୩ ଠିକା ଶ୍ରମିକ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗିଲାଜୁଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣାକୁ ନେଇ ଆଜି ଦିନତମାମ ଉତ୍ତେଜନା ଲାଗି ରହିଥିଲା।

ସୂଚନା ଅନୁସାରେ, ରାଜଘାଟ ବିଦ୍ୟୁତ ଡିଭିଜନ୍‌ ଅନ୍ତର୍ଗତ ଗିଲାଜୁଡ଼ି ଗ୍ରାମରେ ଶନିବାର ଦିନ ୧୧ କେଭି ଲାଇନରେ ମରାମତି କାମ ଚାଲିଥିଲା। ତେବେ ମରାମତି କାମ ଚାଲିଥିବା ବେଳେ ହଠାତ ବିଦ୍ୟୁତ୍‌ ସରବରାହ ହେବାରୁ ଇନ୍‌ସୁଲେଟର୍‌ ଓ ତାର ମରାମତି କରୁଥିବା ୩ ଜଣ ଠିକା ଶ୍ରମିକ କରେଣ୍ଟ ଝଟ୍‌କାରେ ଖୁଣ୍ଟରୁ ଖସିପଡ଼ି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରେ ବସ୍ତା ଥାନା ସୁନ୍ଦରହତା ଗ୍ରାମର ଜ୍ଞାନରଞ୍ଜନ ସାହୁ (୩୫)ଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ। ପୂର୍ବାହ୍ନ ୧୧ଟାରୁ ଦୁର୍ଘଟଣା ଘଟିଥିଲେ ବି ସନ୍ଧ୍ୟା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ କିମ୍ବା ଠିକା ସଂସ୍ଥାର କାହାରି ଦେଖା ନମିଳିବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସନ୍ଧ୍ୟା ୭ଟା ସୁଦ୍ଧା ସମାଧାନ ରାସ୍ତା ନ ବାହାରିବାରୁ ବସ୍ତା ପୁଲିସ ଘଟଣାରେ ହସ୍ତକ୍ଷେପ କରିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ, ପରିବାରର ୨ ଜଣକୁ ଚାକିରି ଏବଂ ଲାଇନ୍‌ ଚାର୍ଜ କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର