ନଗର ଉନ୍ନୟନ ବିଭାଗର ବିଚିତ୍ର ନିଷ୍ପତ୍ତି : ଜଣେ ଅଫିସରଙ୍କୁ ୩ ସହର ଦାୟିତ୍ବ

କଟକ-ସିଡିଏ : ଜଣେ ଅଧିକାରୀ ତିନି ତିନିଟି ସ୍ଥାନରେ ସମ୍ଭାଳୁଛନ୍ତି ଦାୟିତ୍ବ। ତାହା ପୁଣି ଅତ୍ୟନ୍ତ ବିଚିତ୍ର ଢଙ୍ଗରେ। ଗୋଟିଏ ସହରରୁ ଅନ୍ୟ ସହରର ଦୂରତା ପ୍ରାୟ ୮୦/୯୦ କିଲୋମିଟର। ସପ୍ତାହରେ କେଉଁ ଦିନ କେଉଁ ସହରରେ ସଂପୃକ୍ତ ଅଧିକାରୀ କାର୍ଯ୍ୟ କରିବେ, ସେ ସୂଚନା ବି ନାହିଁ। ଏଭଳି ସ୍ଥିତିରେ ସାଧାରଣ ଲୋକ ସମସ୍ୟାରେ ପଡୁଥିବାବେଳେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା।

ସୂଚନା ଅନୁଯାୟୀ, କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ପ୍ଲାନିଙ୍ଗ ମେମ୍ବର ରୂପେ ମହମ୍ମଦ କିସାର ଅଲ୍ଲୀ ନିଯୁକ୍ତ ହୋଇଛନ୍ତି। କିନ୍ତୁ ତାଙ୍କୁ ପାରାଦ୍ବୀପ ଓ ଯାଜପୁରର କଳିଙ୍ଗନଗର ଡେଭଲପମେଣ୍ଟ ଅଥରିଟିର ଅତିରିକ୍ତ ଦାୟିତ୍ବ ବି ଧରାଇ ଦିଆଯାଇଛି। ଅର୍ଥାତ କିସାର ଅଲ୍ଲୀ କଟକ, ପାରାଦ୍ବୀପ ଓ ଯାଜପୁର ଭଳି ତିନିଟି ସହରର ପ୍ଲାନ୍ ଆପ୍ରୁଭାଲ୍ ଦାୟିତ୍ବ ସମ୍ଭାଳୁଛନ୍ତି। ଜଣେ ଅଧିକାରୀ ଦୂରଦୂରାନ୍ତରେ ଥିବା ୩ଟି ସହରର ଦାୟିତ୍ବ ସମ୍ଭାଳୁଥିବାରୁ କୌଣସି ଗୋଟିଏ ଜାଗାରେ ବି କାମ ଠିକରେ ହୋଇପାରୁ ନଥିବା ଅଭିଯୋଗ ହେଉଛି। କଟକରେ ତ ମାସମାସ ଧରି ଲୋକଙ୍କ ଘର ତିଆରି ପ୍ଲାନ୍ ଆପ୍ରୁଭାଲ ନହୋଇ ପଡ଼ିରହୁଛି। ଅଧିକାରୀଙ୍କୁ ଦେଖାକରି ଅଭିଯୋଗ ଜଣାଇବା ପାଇଁ ବି ଲୋକେ ନିରାଶ ହେଉଛନ୍ତି। ଅଧିକାରୀ କେଉଁ ସହରରେ କେଉଁ ଦିନ କାର୍ଯ୍ୟ କରିବେ, ସେ ସୂଚନା ବି ସର୍ବସାଧାରଣଙ୍କ ଅବଗତି ପାଇଁ ଜାରି କରାଯାଇନାହିଁ। ଲୋକେ ବାରମ୍ବାର ଅଫିସ ଆସି ନିରାଶ ହୋଇ ଫେରୁଛନ୍ତି। ଏ ସମସ୍ୟା ମାସ ମାସ ଧରି ଚାଲିଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଉନଥିବାରୁ ପ୍ରତିକ୍ରିୟା ବଢିବାରେ ଲାଗିଛି। ସହରରେ ଜମି କିଣି ପ୍ଲାନ୍ ଆପ୍ରୁଭାଲ୍ ନଥିବାରୁ ଘର କରିପାରୁ ନଥିବା ବ୍ୟକ୍ତି ଏଭଳି ସ୍ଥିତିରେ ମୁଣ୍ଡରେ ହାତଦେଇ ବସିଛନ୍ତି। ଜମି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଘର କରି ପାରୁନଥିବା ସାଧାରଣ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର