ରାୟଗଡ଼ାରେ ଅନଲାଇନ୍ ପାଠପଢ଼ା ପାଲଟିଛି ଭେଳିକି, ନେଟୱର୍କ ଥିବାରୁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ

ଜିଲ୍ଲାର ୨୭୧ ଗାଁରେ ନାହିଁ ଫୋନ୍ ସେବା, ୭୦ ପ୍ରତିଶତ ଛାତ୍ରଛାତ୍ରୀ ପଢ଼ାରୁ ବଞ୍ଚିତ

ରାୟଗଡ଼ା: ଗାଁରେ ମୋବାଇଲ୍ ନେଟୱର୍କ ନଥିବାରୁ ପଢ଼ିବାକୁ ପାହାଡ଼ ଚଢ଼ୁଛନ୍ତି ଛାତ୍ରଛାତ୍ରୀ। ପାହାଡ଼ ଉପରେ ପଢ଼ା ସାରି ପୁଣି ଘରକୁ ଫେରୁଛନ୍ତି। ୟା ଭିତରେ ଖରା, ବର୍ଷା ମାଡ଼ ମଧ୍ୟ ଖାଉଛନ୍ତି। ଅନଲାଇନ୍ ପାଠପଢ଼ା ପାଇଁ ଏପରି ଝମେଲାର ସମ୍ମୁଖୀନ ହେବାକୁ ପଡ଼ୁଛି ରାୟଗଡ଼ା ସଦର ବ୍ଲକ୍ ପିତାମହଲ ପଞ୍ଚାୟତର କନ୍ଧଖିଲମ ଗାଁର ଛାତ୍ରଛାତ୍ରୀଙ୍କୁ। କନ୍ଧଖିଲମ ଗାଁରେ ୩୦ରୁ ଉର୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ରାୟଗଡ଼ା ମହିଳା ମହାବିଦ୍ୟାଳୟ, ରାୟଗଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟ ସମେତ ହାଇସ୍କୁଲରେ ଅଧ୍ୟୟନ କରୁଛନ୍ତି ଛାତ୍ରଛାତ୍ରୀ। ବର୍ତ୍ତମାନ କରୋନା ଲାଗି ଲକଡାଉନ୍ ଚାଲିଥିବାରୁ ସ୍କୁଲ, କଲେଜ ବନ୍ଦ ରହିଛି। ସରକାରଙ୍କ ନିର୍ଦେଶରେ ଅନଲାଇନରେ ପାଠପଢ଼ା ଚାଲିଥିବାରୁ ଛାତ୍ରଛାତ୍ରୀ ପଢ଼ିବା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କନ୍ଧଖିଲମ ଗାଁରେ ମୋବାଇଲ୍ ନେଟୱର୍କ ନଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୪ରୁ ୫ କିମି ଦୂରରେ ଥିବା ପିତାମହଲକୁ ଚାଲି ଚାଲି ଆସିବାକୁ ପଡ଼ୁଛି। ପ୍ରତିଦିନ ଏତେ ଦୂର ଚାଲି ଆସିବା ଛାତ୍ରଛାତ୍ରୀଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ଗାଁ ପାଖରେ ଥିବା ପାହାଡ଼ ଉପରକୁ ଚଢ଼ୁଛନ୍ତି ଛାତ୍ରଛାତ୍ରୀ। ମୋବାଇଲ୍ ନେଟୱର୍କ ଆସୁଥିବା ପାହାଡ଼କୁ ନିତି ଦିନିଆ ରାସ୍ତା ନଥିବାରୁ ପାଣି, କାଦୁଅ ଭରା ପାଦ ଚଲା ରାସ୍ତାରେ ଯାଇ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ସେଥିରେ ପୁଣି ପାହାଡ଼ ଉପରେ ଅଧା ସମୟ ନେଟୱର୍କ ଆସୁଥିବା ବେଳେ ଅଧା ସମୟ ଆସୁନାହିଁ। ଫଳରେ ପଢ଼ାରେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ଛାତ୍ର ମନୋଜ କୁମାର ବାତ୍ରା। ଠିକ୍ ଭାବରେ ନେଟୱର୍କ ଆସୁନଥିବାରୁ ଅନଲାଇନରେ ପାଠ୍ୟକ୍ରମ ବହୁ ଆଗକୁ ଚାଲି ଗଲାଣି ବୋଲି କହିଛନ୍ତି ଛାତ୍ରୀ ସସ୍ମିତା ଗରଡ଼ିଆ।

ମୋବାଇଲ୍ ଟାୱାର୍ ପ୍ରତିଷ୍ଠା ନେଇ ବହୁ ଦାବି ସତ୍ତ୍ବେ ପ୍ରଶାସନ କିମ୍ବା ବିଏସଏନ୍ଏଲ୍ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ କନ୍ଧଖିଲମ ନୁହେଁ ରାୟଗଡ଼ା ବ୍ଲକର ୮ଟି ପଞ୍ଚାୟତର ୨୫ଟି ଗାଁରେ ମୋବାଇଲ୍ ଟାୱାର୍ ନଥିବାରୁ ଅନଲାଇନ୍ ପାଠପଢ଼ା ବାଧାପ୍ରାପ୍ତ ହେବା ସହ ବହୁ ଜରୁରି କାମରେ ଲୋକଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେହିପରି କାଶୀପୁର ବ୍ଲକର ୮୬ ଗ୍ରାମରେ, ଗୁଣପୁର ବ୍ଲକର ୪୯, ମାଓ ପ୍ରବଣ ଚନ୍ଦ୍ରପୁର ବ୍ଲକର ୨୫, କଲ୍ୟାଣସିଂହପୁର ବ୍ଲକର ୨୦, ମୁନିଗୁଡା ବ୍ଲକର ୧୦, ବିଷମକଟକ ବ୍ଲକର ୨୪, ରାମନାଗୁଡା ବ୍ଲକର ୧୦, ଗୁଡାରି ବ୍ଲକର ୨୨, ପଦ୍ମପୁର ବ୍ଲକର ୨ ଗାଁରେ ମୋବାଇଲ୍ ସେବା ନାହିଁ। ଏପରି ଭାବେ ରାୟଗଡା ଜିଲ୍ଲାର ୨୭୧ ଗ୍ରାମରେ ମୋବାଇଲ୍ ସେବା ନଥିବାରୁ ଅନଲାଇନ୍ ପାଠପଢ଼ା ପ୍ରହସନରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର