ଶ୍ରୀମନ୍ଦିରରେ ଅନଲାଇନ୍ ଟିକେଟ୍ ଦର୍ଶନ ବ୍ୟବସ୍ଥା, ପ୍ରତିହାରୀ ନିଯୋଗ ପ୍ରସ୍ତୁତ କରିବ ବ୍ଲୁ-ପ୍ରିଣ୍ଟ

ପୁରୀ: ଭିଆଇପିଙ୍କ ପାଇଁ ପାରିମାଣିକ ଦର୍ଶନ ବନ୍ଦ ହେବା ପରେ ଏହାର ବିକଳ୍ପ ଭାବେ ଶ୍ରୀମନ୍ଦିର ପ୍ରଶାସନ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଯେଉଁ ଭକ୍ତମାନେ ଭିଡ଼ରେ ଧାଡ଼ିରେ ନଯିବାକୁ ଚାହୁଁଛନ୍ତି ସେମାନେ ଶ୍ରୀମନ୍ଦିର ପ୍ରଶାସନଠାରୁ ଟିକେଟ୍ କିଣି ସ୍ବତନ୍ତ୍ର ଦର୍ଶନ କରିପାରିବେ। ତେବେ ଅନଲାଇନ୍ ଟିକେଟକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଶ୍ରୀମନ୍ଦିର ପ୍ରଶାସନ ଏହି ବ୍ୟବସ୍ଥା ଲାଗୁ କରିବାକୁ ଏକପ୍ରକାର ନିଷ୍ପତ୍ତି ନେଇସାରିଛି। ଏଥି ପାଇଁ ଟିକେଟ୍ ଦର୍ଶନ ବ୍ୟବସ୍ଥାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ଦାୟିତ୍ବ ପ୍ରତିହାରୀ ନିଯୋଗକୁ ଦିଆଯାଇଛି। ପ୍ରତିହାରୀ ନିଯୋଗ ସପ୍ତାହେ ଭିତରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ପରିଚାଳନା କମିଟି ସଦସ୍ୟଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବ। ରିପୋର୍ଟ ହସ୍ତଗତ ହେବା ପରେ କେତେ ଟିକେଟ୍ ବିକ୍ରି ପାଇଁ ଉପଲବ୍ଧ ହେବ, କେତେ ଦାମ ରହିବ, ତା’ ଉପରେ ନିଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ଗତ ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ୬୦ ପ୍ରତିଶତ ଟିକେଟ୍ ଅନଲାଇନ୍‌ରେ ଏବଂ ୩୦ ପ୍ରତିଶତ ଟିକେଟ୍ ଶ୍ରୀମନ୍ଦିର କାର୍ଯ୍ୟାଳୟ କାଉଣ୍ଟରରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଅବଶିଷ୍ଟ ଟିକେଟ୍ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହିବ। ଦିନକୁ ୪ ଥର ଟିକେଟ୍ ଦର୍ଶନ ଉପଲବ୍ଧ କରାଯିବ ବୋଲି ସ୍ଥିର ହୋଇଛି। ଏହା ଉପରେ ନୀତିଗତ ନିଷ୍ପତ୍ତି ନେବା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ପୁଲିସ ଆଇଜି, ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ରହିଛନ୍ତି। ଆଜି ଏହି କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ଲାଗୁ ପରେ ଟିକେଟ୍ କରିଥିବା ଭକ୍ତ ଓ ଧାଡ଼ିରେ ଆସିଥିବା ଭକ୍ତ କେଉଁଠୁ ଓ କେତେବେଳେ ଦର୍ଶନ କରିବେ ତାକୁ ନେଇ ବଡ଼ ପ୍ରଶ୍ନ ଠିଆ ହୋଇଥିବାରୁ ପ୍ରତିହାରୀ ନିଯୋଗ ଏହାର ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ଯାହାକିଛି ନିଷ୍ପତ୍ତି ନିଆଯିବ। ସପ୍ତାହକ ଭିତରେ ଏହି ରିପୋର୍ଟ ପ୍ରସ୍ତୁତ କରି ଆଗାମୀ ବୈଠକରେ ଉପସ୍ଥାପନ ପରେ ଏ ସଂପର୍କିତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଆଜିର ଏହି ବୈଠକରେ ଶ୍ରୀ ମହାପାତ୍ରଙ୍କ ସମେତ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ଡା. ସାର୍ଥକ୍ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର